• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ ।

  • ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

  • ମୋଦି ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ମମତା ।

ନୂଆଦିଲ୍ଲୀ: ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ । ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ମୋଦି ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ମମତା ।

ବିରୋଧୀ ଦଳମାନେ ଏକାଠି ହୁଅନ୍ତୁ, ତାହା ସୋନିଆ ମଧ୍ୟ ଚାହାନ୍ତି ବୋଲି ଆଜିର ସାକ୍ଷାତ ପରେ କହିଛନ୍ତି ମମତା । ରାଜନୀତିରେ ପରିସ୍ଥିତି ବଦଳେ ରାଜନୈତିକ ଝଡ଼ ଆସିଲେ ସ୍ଥିତି ସମ୍ଭାଳିବା କଷ୍ଟକର ହୋଇପଡ଼େ । ମୁଁ ରାଜନୈତିକ ଜ୍ୟାତିଷ ନୁହେଁ ସବୁ ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ସଂସଦ ଅଧିବେଶନ ପରେ ବିରୋଧୀ ଦଳମାନେ ଏକାଠି ବୈଠକ କରିବା ଦରକାର ବୋଲି କହିଛନ୍ତି ମମତା । ଏଥିସହ ଆଜି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କୁ ମଧ୍ୟ ଭେଟିଛନ୍ତି । ପୂରା ଦେଶରେ ଖେଳ ହେବ ଏବଂ ଅଚ୍ଛେ ଦିନ୍ ବହୁତ ଦେଖିଲୁ, ଆମେ ସଚ୍ଚେ ଦିନ୍ ଚାହୁଁ ବୋଲି ସେ ଡାକରା ଦେଇଛନ୍ତି ମମତା । 

ମେ ୨ ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏବେ ମମତା ଏବଂ ସୋନିଆଙ୍କ ବୈଠକକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ରାଜନୈତିକ ମହଲରେ ସମସ୍ତେ ଜାଣିଛନ୍ତି ତୃଣମୂଳ କଂଗ୍ରେସର ସୁପ୍ରିମୋ ଏବଂ କଂଗ୍ରେସର ଅଧ୍ୟକ୍ଷଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ । ଏହା ବ୍ୟତୀତ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ବିରୋଧରେ ଏକ ନୂଆ ମୋର୍ଚ୍ଚା ଗଠନ ହେବାକୁ ଯାଉଛି ବୋଲି ଆକଳନ କରାଯାଉଛି ।

ବିଜେପି ବିରୋଧରେ ତୃତୀୟ ମୋର୍ଚ୍ଚା ପ୍ରସ୍ତୁତ କରିବାକୁ ମମତା ବାନାର୍ଜୀ ମଧ୍ୟ ରାଜି ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ କଂଗ୍ରେସ ବିନା କୌଣସି ମେଣ୍ଟ ସମ୍ଭବ ନୁହେଁ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ଏବେ ବିରୋଧୀ ଦଳ ଏକଜୁଟ ହେବାର ସମୟ ଆସିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି, ମମତାଙ୍କ ଠାରେ ସେହି ଶକ୍ତି ଅଛି । ବିଜେପିର ବିଜୟକୁ ରୋକିବା ପାଇଁ ସମାନ ଚିନ୍ତାଧାରା ରଖୁଥିବା ଦଳ ଏକାଠି ହେବା ଉଚିତ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ।