• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ସୋମବାର ଭୋଟ୍ । ଆଉ ଏଇ ସୋମବାର ଅର୍ଥାତ ଆଜି ପଦ୍ମପୁରରେ ପଡ଼ିଛି ଆଇଟି ରେଡ୍ । ତିନି ତିନ ଜଣ ବିଜେଡି ନେତାଙ୍କ ଘରେ ପଶିଛି ଆୟକର ବିଭାଗ । ସ୍ଥାନୀୟ ବହିଦାରପଡାର ମହମ୍ମଦ ସାଜିଦ୍, ସାହୁପଡ଼ାର ମାନଭଂଜନ ସାହୁ ଓ ବଡ଼ପଡାର ଗଜାନନ୍ଦ ଅଗ୍ରଓ୍ୱାଲଙ୍କ ଘରେ ସକାଳୁ ସକାଳୁ ପହଞ୍ଚିଥିଲେ ଆଇଟି ଅଫିସର୍ । ସାଙ୍ଗରେ ଥିଲେ ସଶସ୍ତ୍ର ସିଆରପିଏଫ୍ ଫୋର୍ସ ।

ତେବେ ଏହି ରେଡ୍ ବେଳେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଘର ଭିତରକୁ କାହାରିକୁ ଛାଡିନଥିଲା କେନ୍ଦ୍ରୀୟ ଫୋର୍ସ । ଏପରିକି ମହମ୍ମଦ ସାଜିଦ୍‌ଙ୍କ ଓକିଲଙ୍କୁ ବି ଘରକୁ ଯିବାକୁ ଦେଇନଥିଲା ସିଆର୍‌ପିଏଫ୍ । ଏନେଇ ପଦ୍ମପୁରରେ ଥାନାରେ ଏତଲା ଦେଇଥିଲେ ସାଜିଦ୍‌ଙ୍କ ଓକିଲ ପ୍ରଶାନ୍ତ ମହାନ୍ତି । ଏହାପରେ ପଦ୍ମପୁର ଥାନା ଆଇଆଇସି ଓ ଏସ୍‌ଡିପିଓ ସାଜିଦ୍‌ଙ୍କ ଘରକୁ ଯାଇ ଆୟକର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସେପଟେ ଆଜି  ବିଜେଡିର ଯେଉଁ ତିନି ନେତାଙ୍କ ଘରେ ରେଡ୍ ହେଉଛି, ସେମାନେ ସମସ୍ତେ ଦିବଙ୍ଗତ ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ଅନୁଗତ ଥିଲେ ବୋଲି କୁହାଯାଉଛି । ମହମ୍ମଦ ସାଜିଦ୍‌ଙ୍କ ରାଇସ୍ ମିଲ୍ ସହ ଟ୍ରାନସ୍ପୋର୍ଟ ବିଜିନେସ୍ ବି ରହିଛି । ଆଉ ମାନଭଂଜନ ସାହୁ ସାଜିଦଙ୍କ ବିଜନେସ୍ ପାର୍ଟନର ବୋଲି ଜଣାପଡ଼ିଛି । ରେଡ୍ ହୋଇଥିବା ଅନ୍ୟତମ ବିଜେଡି ନେତା ଗଜାନନ୍ଦ ଅଗ୍ରଓ୍ୱାଲଙ୍କର ବି ରହିଛି ରାଇସ୍ ମିଲ୍ ।

ବିଜେଡି ନେତା ମହମ୍ମଦ ସାଜିଦ କେବଳ ବିଜୟ ରଂଜନଙ୍କ ଅତ୍ୟନ୍ତ ଅନୁଗତ ନଥିଲେ, ସେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କର ଅତି ଘନିଷ୍ଠ ବୋଲି ମଧ୍ୟ କୁହଯାଉଛି । ସବୁଠାରୁ ବଡ଼ ପ୍ରଶ୍ନ ଉପନିର୍ବାଚନ ସମୟରେ କାହିଁକି ଏହି ନେତାଙ୍କ ଘରେ ରେଡ୍ ହେଲା ? ବ୍ୟବସାୟରେ ଆୟକର ଫାଙ୍କିଛନ୍ତି କି ସାଜିଦ୍ ? ଭୋଟ୍ ପାଇଁ ବିଜେଡି ଟଙ୍କା ଏମାନଙ୍କ ଘରେ ଥିଲା କି ? ଟଙ୍କା ପଠାଇବା ମନିଟରିଂ ଏମାନଙ୍କ ଘରୁ  ହେଉଥିଲା କି ? ପଦ୍ମପୁର ଅଞ୍ଚଳରେ ଏସବୁ ଦିଗ ଉପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଭୋଟ୍ ସମୟରେ ରେଡ୍‌କୁ ନେଇ ତେଜିଛି ରାଜନୀତି । ବର୍ଷାତମାମ ଆଇଟି ରେଡ୍ ହୋଇପାରିବ, କିନ୍ତୁ ଉପନିର୍ବାଚନ ସମୟରେ ରେଡ୍ ହେବା ଦୁର୍ଭାଗ୍ୟଜନକ । ଭୋଟ୍‌ରେ ବିଜେପିର ଶଙ୍କା ଥିବାରୁ ଏହି ରେଡ୍ ବୋଲି ଅଭିଯୋଗ କରିଛି ବିଜେଡି । ଜବାବରେ ବିଜେପି କହିଛି ନିର୍ବାଚନ ଆଳରେ ଆୟକର ଫାଙ୍କିଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଆଦୌ ନ୍ୟାୟସଂଗତ ନୁହେଁ । କଂଗ୍ରେସ ବି ଏଭଳି ଚଢଉକୁ ସମାଲୋଚାନ କରିଛି ।

ଗୋଟିଏ ପଟେ ଆୟକର ଅଧିକାରୀ ବିଜେଡି ନେତାଙ୍କ ଘରେ ରେଡ୍ କରିଛନ୍ତି । ସେପଟେ ଗତକାଲି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସମୟରେ ସିଆଇଡି ସ୍ପେଶାଲ ବ୍ରାଂଚର ASI ଭୋଜରାଜ ଦାସ୍‌ଙ୍କୁ ଗୁପ୍ତଚରୀ ଅଭିଯୋଗ ପ୍ରସଙ୍ଗ ବି ବେଶ୍ ଚର୍ଚ୍ଚାରେ ରହିଛି । ବିଜେପିର ଜଣେ କର୍ମୀଙ୍କ ଘରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୋଜନ କରୁଥିବା ସମୟରେ ASI ଭୋଜରାଜ ଫଟୋ ଉଠାଉଥିବା ସମୟରେ ଧରାପଡ଼ିଥିଲେ । ତାଙ୍କୁ ପଚରା ଉଚରା କଲା ବେଳେ ସେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ସେଠାକୁ ଆସିଥିବା କହିଥିଲେ । ପରେ କିନ୍ତୁ ଏଏସ୍‌ଆଇ ଜଣକ ସେଠାରୁ ଦୌଡ଼ି ପଳାଇଥିଲେ ମଧ୍ୟ ତାଙ୍କ ଆଇଡି କାର୍ଡ ଓ ମୋବାଇଲ୍ ଫୋନ୍ ସେଠି ଖସି ପଡିଥିଲା । ଏହି ଘଟଣାକୁ ନେଇ ପଦ୍ମପୁର ଟାଉନ୍ ଥାନାରେ ବିଜେପି ନେତା ଅଭିଯୋଗ କରିବା ସହ ଥାନା ଘେରାଉ କରିଥିଲେ ।

ଅନ୍ୟପଟେ ଆଜି ସକାଳେ ୩ ଜଣ ସ୍ଥାନୀୟ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍‌ ହେବା ପରେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌ ହୋଇଛି । ବିଜେପି ନେତାଙ୍କ ମାଲିକାନାରେ ଥିବା କିଛି ବ୍ୟାବସାୟିକ ସଂସ୍ଥାରେ ଆଜି ରାଜ୍ୟ ସରକାରଙ୍କ ଅଧିନରେ ଥିବା ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍ ହୋଇଛି । ପଦ୍ମପୁରରେ ଥିବା ଲୁଗା ଦୋକାନ, ପେଟ୍ରୋଲ ପମ୍ପ ସମେତ ପାଇକମାଳ ଓ ଝାରବନ୍ଧରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନରେ GST ରେଡ୍ ହୋଇଛି । ପଦ୍ମପୁରରେ ରେଡ୍ ହୋଇଥିବା ଜଗଦମ୍ବା ଲୁଗା ଦୋକାନ ହେଉଛି, ସ୍ଥାନୀୟ ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲଙ୍କର । ସୁନୀଲଙ୍କ ବାପା ବି ପୂର୍ବରୁ ପଦ୍ମପୁର ନଗରପାଳ ଥିଲେ ।