• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁରଙ୍କ ସହ ସ୍ୱର ମିଳାଇଲେ ଅଶୋକ । ପିସିସି ସଭାପତି ପ୍ରସଙ୍ଗରେ ସୁରଙ୍କ ସହ ସ୍ୱର ମିଳାଇଲେ କଂଗ୍ରେସ ନେତା ଅଶୋକ ସାମଲ । ପିସିସି ସଭାପତି ପଦ ପାଇଁ ଶରତ ପଟ୍ଟନାୟକଙ୍କ ନାଁକୁ ନେଇ ପ୍ରଶ୍ନରେ ସେ କହିଛନ୍ତି ସଭାପତି ଶକ୍ତିଶାଳୀ ହେବା ନିହାତି ଜରୁରୀ । କିନ୍ତୁ ବିଜେଡି ଚାହୁଁନି ସଭାପତି ପଦବୀରେ ଜଣେ ଶକ୍ତିଶାଳୀ ଲୋକ ବସୁ । ତେଣୁ ଲବି କରି ଦୁର୍ବଳ ଲୋକ ବସେଇବା ପାଇଁ ଯୋଜନା ହୋଇଛି ।

ଯାହାଙ୍କର ବହୁ ଦିନ ଧରି ରାଜନୀତି ସହ ସଂପର୍କ ନାହିଁ, କଂଗ୍ରେସ ରାଜନୀତିରେ ନାହାନ୍ତି । ଏମିତି ଲୋକ ସଭାପତି ହେଲେ ବହୁ କଂଗ୍ରେସ ନେତା ଦଳ ଛାଡ଼ିଦେବେ । ପିସିସି ସଭାପତି ସମସ୍ତଙ୍କୁ ନେଇ ଚାଲିବା ଦରକାର, ଟଙ୍କା ଆଉ ଟାଲେଣ୍ଟ ଦରକାର । ବିଧାୟକଙ୍କ ଭିତରୁ ଜଣଙ୍କୁ ପିସିସି ସଭାପତି କରାଯାଉ । ଯଦି ଶରତ ପଟ୍ଟନାୟକ ପିସିସି ସଭାପତି ହୁଅନ୍ତି ତେବେ ବିଜେଡି ସଫଳ ହେଲା ବୋଲି ପ୍ରମାଣିତ ହେବ, କହିଛନ୍ତି ଅଶୋକ ସାମଲ । ତେବେ ଏନେଇ ପିସିସି କି ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  

ଅନ୍ୟପଟେ ୫ ତାରିଖ ନୁହେଁ ୯ରେ ଦିଲ୍ଲୀ ଯିବେ ଓଡ଼ିଶା ନେତା । ଦିଲ୍ଲୀ ଡକରା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ଏନେଇ AICC ପକ୍ଷରୁ ଚିଠି ଆସିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି ।

ସଙ୍ଗଠନ ମଜବୁତ୍‌ ନେଇ ହାଇକମାଣ୍ଡଙ୍କୁ ବୈଠକରେ ଅବଗତ କରାଇବି ବୋଲି ନିରଞ୍ଜନ କହିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ତିନି ଆଶାୟୀ ପ୍ରମୋଦ ପ୍ରଧାନ, ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ ପିସିସି ପାଖରେ ଆବେଦନ କରିଛନ୍ତି । ପିସିସି ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ଏକ କମିଟି ଗଠନ ହୋଇଛି । ସୁନ୍ଦରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ସଭାପତିଙ୍କୁ ନେଇ କମିଟି ହୋଇଛି । ସ୍ଥାନୀୟ ନେତା ଓ ଜଣେ ଉପ ସଭାପତିଙ୍କୁ ସେଠାକୁ ପଠାଯିବ । ୮ ତାରିଖ ସୁଦ୍ଧା ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧି ନିଜେ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି ।