• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ହେନ୍ତାଳବଣ ବଢ଼ି, ଅଧିକ ଘଞ୍ଚ ହେଲେ ବାଘମାନେ ସେହି ଜଙ୍ଗଲ ଭିତରେ ହିଁ ରହିବେ। ଆଉ ବେଶି ବାହାରକୁ ଆସିବେନି କି ମଣିଷମାନଙ୍କ ଉପରେ ଏତେ ଆକ୍ରମଣ କରିବେନି। ଫଳରେ ସୁରକ୍ଷିତ ରହିବେ ଜୀବିକାର୍ଜନ ପାଇଁ ଗଭୀର ଜଙ୍ଗଲ ଭିତରକୁ ଯାଉଥିବା ସେମାନଙ୍କ ସ୍ୱାମୀମାନେ।‌ ଆଉ ରକ୍ଷାପାଇଯିବ ସେମାନଙ୍କ ସ°ସାର। ସେଥିପାଇଁ ରାତିଦିନ ଲାଗି ସୁନ୍ଦରବନର ବାଘ୍ ବିଧୋବା (ଏଇ ବାଘ୍ ବିଧୋବାମାନଙ୍କ ବିଷୟରେ ମୁଁ ଆଗରୁ ଏଇ ସ୍ତମ୍ଭରେ ଲେଖିଛି) ମାନେ ଲାଗିଛନ୍ତି ହେନ୍ତାଳ ବଣର ସୁରକ୍ଷାରେ।

ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀ ଦ୍ୱାରା ଘେରି ହୋଇ ରହିଥିବା ସୁନ୍ଦରବନ ଜଙ୍ଗଲ ହେଉଛି ବିଶ୍ୱର ସର୍ବବୃହତ୍ ହେନ୍ତାଳ ବଣ ବା ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ୍ ଓ ପୃଥିବୀର ବୃହତ୍ତମ ତ୍ରିକୋଣଭୂମି ମଧ୍ୟରୁ ଅନ୍ୟତମ। ତେବେ ୧୯୮୭ ମସିହାରେ UNESCO ପକ୍ଷରୁ ଏକ ୱାର୍ଲଡ୍ ହେରିଟେଜ୍ ସାଇଟ୍ ଭାବେ ଘୋଷଣା କରାଯାଇଥିବା ଏଇ ବୃହତ୍ ଜଙ୍ଗଲ ଏବେ ଭୂପୃଷ୍ଠ ତାପମାତ୍ରାର ବୃଦ୍ଧି (global warming) ଯୋଗୁଁ ଧୀରେ ଧୀରେ ଶୁଖିଲା ହୋଇ ଯିବାରେ ଲାଗିଛି। ଫଳରେ ଏଇ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଏଠାକାର ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ଜୀବନ ନିର୍ବାହ କରିବା ଦିନକୁ ଦିନ ଅତି କଷ୍ଟକର ହୋଇ ପଡୁଛି।

ଏଠାକାର ମତ୍ସ୍ୟଜୀବୀମାନେ ମୁଖ୍ୟତଃ ଯେଉଁ ସମସ୍ୟା ସବୁର ସମ୍ମୁଖୀନ ହୁଅନ୍ତି ସେଗୁଡ଼ିକ ହେଲା: ଜଳ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଜଳରେ ଲବଣା°ଶ ବୃଦ୍ଧି, ଗ୍ଲୋବାଲ୍ ଓ୍ୱାର୍ମି° କାରଣରୁ ମାଛଙ୍କ ସଠିକ ବୃଦ୍ଧି ନ ଘଟିବା ଇତ୍ୟାଦି। ତେଣୁ ସ୍ଥାନୀୟ ଲୋକମାନେ ବାରମ୍ବାର ଜଙ୍ଗଲର ଗଭୀରକୁ ପଶିବାକୁ ବାଧ୍ୟ ହେଉଛନ୍ତି ଓ ଅନେକ ସମୟରେ ବାଘ ଆକ୍ରମଣର ଶିକାର ହେଉଛନ୍ତି।

ଉଦାହରଣ ସ୍ୱରୂପ, ଲାହିରୀପୁର ଦ୍ୱୀପର ଶମ୍ଭୁ ମଣ୍ଡଳଙ୍କ କଥାକୁ ନିଆଯାଇପାରେ। ୩ବର୍ଷ ତଳେ ଶମ୍ଭୁ ଓ ତାଙ୍କ ପଡୋଶୀ ରାଧାକାନ୍ତ କଙ୍କଡ଼ା ଧରିବା ଉଦ୍ଦେଶ୍ୟରେ ଘଞ୍ଚ ହେନ୍ତାଳ ବଣ ଭିତରକୁ ଯାଇଥିଲେ। ଯେଉଁଠାକୁ ଡଙ୍ଗା ବାହିଯିବା ପ୍ରାୟ ଅସମ୍ଭବ ଓ ଯେଉଁଠାରେ ଭଟ୍ଟା ସମୟରେ ଭୂମି ପୂରା କାଦୁଆ ହୋଇଯାଏ, ଗଭୀର ହେନ୍ତାଳ ବଣ ଭିତରେ ରହିଥିବା ସେଭଳି ସ୍ଥାନଗୁଡ଼ିକରେ ମିଳୁଥିବା କଙ୍କଡ଼ାର ବହୁ ଚାହିଦା ଥାଏ। ଏପରିକି ଏହା ଅନେକ ସମୟରେ କିଲୋଗ୍ରାମ ପିଛା ୧୫୦୦ ଟଙ୍କାରେ ମଧ୍ୟ ବିକ୍ରି ହୁଏ।

ତେବେ ଏଥିପାଇଁ ସେମାନେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୀମାରେ ନିର୍ଦ୍ଧାରିତ ବିପଦ ସଂକେତକୁ ଅତିକ୍ରମ କରି ଯାଇଥିଲେ। ଘଞ୍ଚ ଜଙ୍ଗଲରେ ହଠାତ ସେମାନେ ବାଘ ଆକ୍ରମଣର ଶିକାର ହେଲେ। ରାଧାକାନ୍ତ ପ୍ରଥମେ ତ ବାଡ଼ି ସାହାଯ୍ୟରେ ବାଘ ସହ ଲଢ଼ିବାକୁ ଚେଷ୍ଟାକଲେ। ହେଲେ ଶେଷରେ ବାଘ ତାଙ୍କୁ ଟାଣି ନେଇଗଲା।

Women of Sundarbans are on the defensive(ସବୁଜୀମାଭରା ହେନ୍ତାଳବନ)

ଶମ୍ଭୁ ଯଦିଓ କୌଣସି ମତେ ଲହୁଲୁହାଣ ଅବସ୍ଥାରେ ଘରକୁ ଫେରିଆସିବାରେ ସକ୍ଷମ ହେଲେ କିନ୍ତୁ କିଛି ସମୟ ପରେ ତାଙ୍କର ମଧ୍ୟ ମୃତ୍ୟୁ ହେଲା। ଏବେ ଶମ୍ଭୁଙ୍କ ସ୍ତ୍ରୀ ସରୋଜିନୀ ଓ ରାଧାକାନ୍ତଙ୍କ ସ୍ତ୍ରୀ ସରସ୍ଵତୀ, ଉଭୟ ‘ବାଘ୍ ବିଧୋବା’। ଏଇଭଳି ଆହୁରି ଅନେକ ‘ବାଘ୍ ବିଧୋବା’ ଏ ଅଞ୍ଚଳରେ ଅଛନ୍ତି। ଏମାନଙ୍କ ସ୍ୱାମୀମାନେ ସାଧାରଣତଃ ସୁନ୍ଦରବନ ଜଙ୍ଗଲର କୋର୍ ଏରିଆ ଭିତରେ ମାଛ, କଙ୍କଡ଼ା ଆଦି ଧରୁଥିବା, କାଠ କାଟିବା କିମ୍ବା ମହୁ ସଂଗ୍ରହ କଲାବେଳେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।

ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୬ରୁ ଏ ମଧ୍ୟରେ ଜଙ୍ଗଲର କୋର୍ ଏରିଆ ନିକଟରେ ମାଛ ଓ କଙ୍କଡ଼ା ଧରିବା ସମୟରେ ପ୍ରାୟ ୭୫୦ ଜଣଙ୍କର ବାଘ ଆକ୍ରମଣରେ ମୃତ୍ୟୁ ଘଟିଛି। ତେବେ ଏଇ ମହିଳାମାନେ ସେମାନଙ୍କ ଦୁର୍ଦ୍ଦଶା ପାଇଁ ବାଘମାନଙ୍କୁ ଦାୟୀ କରନ୍ତି ନାହିଁ। ବରଂ ସେମାନଙ୍କ ମତରେ ବହୁ ମାତ୍ରାରେ ସ୍ଥାନୀୟ ହେନ୍ତାଳ ବଣ ନଷ୍ଟ ହୋଇ ଯାଇଥିବାରୁ ବାଘମାନେ ବାହାରକୁ ଚାଲି ଆସୁଛନ୍ତି ଓ ଲୋକମାନେ ସେମାନଙ୍କ ଶିକାର ପାଲଟୁଛନ୍ତି। ଏନେଇ ସେମାନେ ବିଭିନ୍ନ ଏନଜିଓଙ୍କ ସହାୟତାରେ ଏବେ ହେନ୍ତାଳ ବଣ ସୃଷ୍ଟିରେ ଲାଗିଛନ୍ତି। ପଶ୍ଚିମବଙ୍ଗର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରୋଜେକ୍ଟ୍ ଅଧୀନରେ ଏମାନେ ସମଗ୍ର ସୁନ୍ଦରବନରେ ୫ କୋଟି ହେନ୍ତାଳ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି।

ସମଗ୍ର ବିଶ୍ୱରେ ଥିବା ବାଘ ବାସୋପଯୋଗୀ ଅଞ୍ଚଳର ମାତ୍ର ଏକ ଚତୁର୍ଥା°ଶରୁ ବି କମ୍ ଅଞ୍ଚଳ ଭାରତରେ ରହିଥିଲେ ମଧ୍ୟ ଏଠାରେ ମୋଟ ବାଘ ସଂଖ୍ୟାର ୭୦% ବାଘ ବାସ କରନ୍ତି (୨୦୧୮ର ବାଘ ଗଣନା ଅନୁଯାୟୀ ଏଇ ସଂଖ୍ୟା ୩,୦୦୦)। ଆଉ ବାଘ ଏକ ବିଲୁପ୍ତପ୍ରାୟ ଜୀବ ହୋଇଥିବାରୁ ଏହାର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇଥାଏ।

ତେବେ ସୁନ୍ଦରବନର ପରିବେଶ ଓ ଏହାର ବାଘମାନଙ୍କ ପାଇଁ ଅତି ଆବଶ୍ୟକ ସୁନ୍ଦରୀ ଗଛଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଜଳରେ ଲବଣା°ଶ ବୃଦ୍ଧି, ମୃତ୍ତିକା କ୍ଷୟ ଓ ବିଭିନ୍ନ ପ୍ରକାରର ରୋଗ(ମୁଖ୍ୟତଃ ଅଗ ପଚିଯିବା ରୋଗ: ଯେଉଁଥିରେ ୧୯୮୦ ମସିହା ପରଠାରୁ ୧୫ପ୍ରତିଶତ ଗଛ ନଷ୍ଟ ହୋଇସାରିଛି) ହିଁ ସୁନ୍ଦରୀ ଗଛ ନଷ୍ଟର କାରଣ ସାଜିଛି।

Women on the Edge of Land and Life(ହେନ୍ତାଳବନକୁ ସୁରକ୍ଷାଦେବାକୁ ଆଗେଇଆସୁଛନ୍ତି ସ୍ଥାନୀୟ ମହିଳା)

ସୁନ୍ଦରବନର ମୁଖ୍ୟ ହେନ୍ତାଳ ପ୍ରଜାତି ଓ ଏହାର ଇକୋ ସିଷ୍ଟମର ସୁରକ୍ଷା ପାଇଁ ନିତାନ୍ତ ଆବଶ୍ୟକ ସୁନ୍ଦରୀ ଗଛ ଯେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଭଲଭାବେ ହୃଦୟଙ୍ଗମ କରିଛନ୍ତି ସମ୍ପୃକ୍ତ ବ୍ୟାଗ୍ରୋ ବା ବାଘ୍ ବିଧୋବାମାନେ। ତେଣୁ ସୁନ୍ଦରବନ ଅନ୍ତର୍ଗତ ଗୋସାବା ନଦୀ କୂଳରେ ଥିବା ଗୋସାବା ଆଇଲାଣ୍ଡର ‘ବାଘ୍ ବିଧୋବା’ମାନେ ମୁଖ୍ୟତଃ ଏଇ ସୁନ୍ଦରୀ ବୃକ୍ଷର ସୁରକ୍ଷା କରୁଛନ୍ତି।

କେବଳ ‘ବାଘ୍ ବିଧୋବା’ ମାନେ ନୁହନ୍ତି, ସୁନ୍ଦରବନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଅନେକ ମହିଳା ମଧ୍ୟ ନିଷ୍ଠାର ସହ ହେନ୍ତାଳବଣ ସୁରକ୍ଷାରେ ନିୟୋଜିତ ଅଛନ୍ତି। ଯେମିତି କି ପଶ୍ଚିମବଙ୍ଗ ଅନ୍ତର୍ଗତ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଝାରଖାଲି ଗ୍ରାମପଞ୍ଚାୟତସ୍ଥିତ ବିଦ୍ୟାସାଗର ପଲ୍ଲୀର 'ସବୁଜ ବାହିନୀ।'

ଏଇ ଗୋଷ୍ଠୀର ମହିଳାମାନେ ହେନ୍ତାଳବଣକୁ ସୁରକ୍ଷା ଦେଇ ତା' ମାଧ୍ୟମରେ ନିଜର ଘର-ପରିବାର ଓ ଗାଁକୁ ବାରମ୍ବାର ଦେଖାଦେଉଥିବା ଝଡ଼-ତୋଫାନ (ଖାସ୍ କରି ୨୦୦୯ର ‘ଆଇଲା’ ବାତ୍ୟା ପରେ ସୁନ୍ଦରବନର ବହୁ ଅଞ୍ଚଳ ପ୍ରଭାବିତ ହୋଇ ଏଠାକାର ବଣ ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିଲା। ତା' ପରେ ବାରମ୍ବାର ଏଠାରେ ଝଡ଼-ବାତ୍ୟାର ପ୍ରାଦୁର୍ଭାବ ମଧ୍ୟ ବଢ଼ିଛି) ତଥା ସୁନ୍ଦରବନର ଉଚ୍ଚ ଜୁଆର କବଳରୁ ରକ୍ଷା କରିବାକୁ ଚାହାନ୍ତି।

ଏମାନେ ମୁଖ୍ୟତଃ ଉଚ୍ଚ ଜୁଆର ସମୟରେ ହେନ୍ତାଳ ମଞ୍ଜି ସଂଗ୍ରହ କରି ସେସବୁକୁ ଚାରାରେ ପରିଣତ କରିଥାନ୍ତି ଓ ପରେ ସେସବୁକୁ ମାଟଲା ନଦୀ କୂଳରେ ରୋପଣ କରିଥାନ୍ତି। ଏହା ଦ୍ୱାରା ପ୍ରାକୃତିକ ଦୁର୍ବିପାକରୁ ଅନେକ ପରିମାଣରେ ରକ୍ଷା ମିଳୁଥିବା ସ୍ଥାନୀୟ ଲୋକେ ଅନୁଭବ କରୁଛନ୍ତି।

Women in Sundarbans empowered by planting mangroves(ହେନ୍ତାଳବନର ସୁରକ୍ଷାରେ ମହିଳା)

ସୁନ୍ଦରବନର କାକଦ୍ୱୀପ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁରର ମହିଳାମାନେ ମଧ୍ୟ ଏଇ ସୁରକ୍ଷା କାର୍ଯ୍ୟରେ ପଛରେ ରହି ନାହାନ୍ତି। ୨୦୨୦ ମସିହାର ‘ଅମ୍ଫାନ’ ବାତ୍ୟା ପରେ ଏ ଅଞ୍ଚଳର ଅଧିକାଂଶ ଗଛ ନଷ୍ଟ ହୋଇଯାଇଥିଲା। ଫଳରେ ଉଚ୍ଚ ଜୁଆର ସମୟରେ କୂଳ ଲଙ୍ଘି ସମୁଦ୍ର ପାଣି ବାରମ୍ବାର ଲୋକଙ୍କ ଘର ଭିତରକୁ ପଶି ଆସୁଥିଲା।

ଏବେ କିନ୍ତୁ କେତେକ ସ୍ଥାନୀୟ ମହିଳାଙ୍କ ଉଦ୍ୟମରେ ଏଠାରେ ଏକ ଛୋଟ ଜଙ୍ଗଲ ସୃଷ୍ଟି ହୋଇପାରିଛି। ସ୍ଥାନୀୟ ଅଞ୍ଚଳର ପାଣିରେ ଲବଣା°ଶ ଅଧିକ ଥିବାରୁ ସମ୍ପୃକ୍ତ ମହିଳାମାନେ ଏହାକୁ ସୁହାଇବା ଭଳି ଆଭିସିନିଆ ପ୍ରଜାତିର ହେନ୍ତାଳ ଗଛ ଲଗାଇଛନ୍ତି। ଏଇ ମହିଳାମାନେ ଅନେକ ସଂଖ୍ୟାରେ ନର୍ସରୀ ସୃଷ୍ଟିକରି ଶହ ଶହ ହେନ୍ତାଳ ଗଛ ରୋପଣ କରିଛନ୍ତି। ଏହାଦ୍ୱାରା ସେମାନେ ସମସ୍ତେ ହେନ୍ତାଳ ବଣ ରୂପକ ଏକ ପ୍ରାକୃତିକ ସୁରକ୍ଷା ବଳୟ ପାଇପାରିବା ସହ ନଦୀ କୂଳଗୁଡ଼ିକୁ ସୁରକ୍ଷିତ ରଖିପାରୁଛନ୍ତି ତଥା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ପାଇ ପାରୁଛନ୍ତି।

'Nature Environment and Wildlife Society (NEWS)' ଭଳି NGOଗୁଡ଼ିକ ସାହାଯ୍ୟରେ ବହୁ ସ୍ଥାନୀୟ ମହିଳା ଜଣେ ଜଣେ ସବୁଜ ଯୋଦ୍ଧାରେ ପରିଣତ ହୋଇପାରିବା ସହ ହେନ୍ତାଳବଣକୁ ସୁରକ୍ଷା ଦେବାରେ ସକ୍ଷମ ହୋଇ ପାରିଛନ୍ତି।

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)