Advertisment

ବୀରତା ସମ୍ମାନ ପାଇବାରେ ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ ଦୀପିକା

ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ଅସୀମ ସାହସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିବା ଯୋଗୁଁ ତାଙ୍କୁ 'ଏୟାର ଫୋର୍ସ ମେଡାଲ୍ (ଗାଲାଣ୍ଟ୍ରି)' ବା 'ବାୟୁସେନା ମେଡାଲ(ବୀରତା)' ପ୍ରଦାନ କରାଯାଇଛି। ଏହି ଶୌର୍ଯ୍ୟ ତଥା ବୀରତା ସମ୍ମାନ ପାଇବାର ଗୌରବ ଅର୍ଜନ କରିବାରେ ଦୀପିକା ମିଶ୍ରା ହେଉଛନ୍ତି ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ।

author-image
Preeti Prajna Pradhan
ଅଦ୍ୟତନ ହୋଇଛି
Wing Commander Deepika Misra is first IAF woman officer to receive gallantry award

Wing Commander Deepika Misra is first IAF woman officer to receive gallantry award

ୱ୍ୱିଙ୍ଗ୍ କମାଣ୍ଡର ଦୀପିକା ମିଶ୍ରା। ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ଅସୀମ ସାହସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିବା ଯୋଗୁଁ ତାଙ୍କୁ 'ଏୟାର ଫୋର୍ସ ମେଡାଲ୍ (ଗାଲାଣ୍ଟ୍ରି)' ବା 'ବାୟୁସେନା ମେଡାଲ(ବୀରତା)' ପ୍ରଦାନ କରାଯାଇଛି। ଏହି ଶୌର୍ଯ୍ୟ ତଥା ବୀରତା ସମ୍ମାନ ପାଇବାର ଗୌରବ ଅର୍ଜନ କରିବାରେ ଦୀପିକା ହେଉଛନ୍ତି ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ।

Advertisment

ଏପ୍ରିଲ ୨୦ ତାରିଖ ଦିନ ଦିଲ୍ଲୀର ସୁବ୍ରୋତୋ ପାର୍କସ୍ଥିତ ବାୟୁସେନା ସଭାଗାର ଠାରେ ଆୟୋଜିତ ଅଳଙ୍କରଣ ସମାରୋହରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ସଲ୍ ବିବେକ ରାମ ଚୌଧରୀ ଦୀପିକାଙ୍କୁ ବାୟୁସେନା ମେଡାଲ୍‌ ସମ୍ମାନରେ ସମ୍ମାନିତ କରିଛନ୍ତି।

ବାୟୁସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ ମଧ୍ୟପ୍ରଦେଶରେ ଭୀଷଣ ବନ୍ୟା ପରିସ୍ଥିତି ସମୟରେ ଦୀପିକାଙ୍କ ଅସୀମ ସାହସ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏହି ମେଡାଲ୍ ପ୍ରଦାନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି ମହିଳା ହିପ୍ ହପ୍ ଗ୍ରୁପ୍

ଭାରତୀୟ ସେନା ଅଧିକାରୀମାନଙ୍କ କହିବା ମୁତାବକ ୨୦୨୧ ମସିହା ଅଗଷ୍ଟ ମାସରେ ଉତ୍ତର ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଅଚାନକ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଏଇ ସମୟରେ ୱିଙ୍ଗ୍ କମାଣ୍ଡର ଦୀପିକା ମିଶ୍ରାଙ୍କୁ ସେଇ ଅଞ୍ଚଳର ମାନବ ସମ୍ବଳର ସୁରକ୍ଷା ତଥା ବିପର୍ଯ୍ୟୟ ପ୍ରଶମନ ଓ ରିଲିଫ୍ ପରିଚାଳନା ନେଇ ବିସ୍ତୃତ ଦାୟିତ୍ଵ ପ୍ରଦାନ କରାଯାଇଥିଲା।

ଅତ୍ୟନ୍ତ ଖରାପ ପାଗ, ଜୋରଦାର ପବନ ତଥା ସୂର୍ଯ୍ୟାସ୍ତ ସମୟର ସ୍ୱଳ୍ପାଲୋକ ଭଳି ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ପ୍ରଥମ ଓ ଏକମାତ୍ର ଉଦ୍ଧାରକାରୀ ଅଧିକାରୀ ଭାବେ ଦୀପିକା ସେଠାରେ ପହଞ୍ଚି ଥିଲେ।

ସମ୍ପୃକ୍ତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟ ଅନ୍ତର୍ଗତ ଦୀପିକା ଲଗାତାର ୮ଦିନ ଧରି ଲୋ' ହୋଭରି° ପିକ୍-ଅପ୍ ଓ ୱିନ୍ସି° (low hovering pick-ups and wincing) କରି ଅନ୍ତତଃ ୪୭ ଜଣଙ୍କ ଜୀବନ ରକ୍ଷା କରିଥିଲେ। ଖାଲି ସମ୍ପୃକ୍ତ ମୂଲ୍ୟବାନ ଜୀବନଗୁଡ଼ିକର ରକ୍ଷା କରି ନଥିଲେ ଦୀପିକା, ବିପଦ ସମୟରେ ଲୋକମାନଙ୍କୁ ସାହସ ନ ହରେଇବା ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ଏକ ସୁରକ୍ଷିତ ଭାବନା ସୃଷ୍ଟି କରାଇବାରେ ସହାୟକ ହୋଇଥିଲେ।

ହେଲିକପ୍ଟର ପାଇଲଟ୍ ଦୀପିକା ମିଶ୍ରା ହେଉଛନ୍ତି ରାଜସ୍ଥାନର ବାସିନ୍ଦା। ୨୦୦୬ ମସିହା ଡିସେମ୍ବରରେ ଏୟାର ଫୋର୍ସ ଏକାଡେମୀରୁ ଦୀପିକା ଜଣେ କମିଶନଡ୍ ଅଫିସର ଭାବେ ପାସ୍ ଆଉଟ୍ ହେଲା ପରେ ପ୍ରଥମେ ସର୍ଟ୍ ସର୍ଭିସ୍ କମିଶନ୍ ଅଧୀନରେ ତାଙ୍କୁ ବାୟୁସେନାରେ ସାମିଲ କରାଯାଇଥିଲା।

ସେତେବେଳେ ତାଙ୍କୁ ହେଲିକପ୍ଟର (ଚିତା ଓ ଚେତକ-chopper Cheetah and Chetak) ଉଡ଼ାଇବା ପାଇଁ କମିଶନ ପ୍ରଦାନ କରାଯାଇଥିଲା। ଦୀପିକା କିନ୍ତୁ ଆରମ୍ଭରୁ ହିଁ ସୂର୍ଯ୍ୟକିରଣ ଓ ସାରଙ୍ଗ୍ ଆକ୍ରୋବାଟିକ୍ ଡିସ୍‌ପ୍ଲେ ଟିମ୍ (the fixed- wing and rotary- wing aerobatic display teams of the Indian Air Force)ରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ ଥିଲେ। ସେତେବେଳେ କିନ୍ତୁ ବାୟୁସେନାର ମହିଳା ପାଇଲଟ୍‌ମାନଙ୍କୁ କେବଳ ସିଙ୍ଗଲ୍ ଇ°ଜିନ୍ ଥିବା ହେଲିକପ୍ଟର ଚଳାଇବା ପାଇଁ ହିଁ ଅନୁମତି ଦିଆଯାଉଥିଲା।

ତେବେ ୨୦୧୦ ମସିହାରେ ଏହି ନିୟମରେ ପରିବର୍ତ୍ତନ କରାଯାଇ ମହିଳା ପାଇଲଟ୍‌ମାନଙ୍କୁ ଡବଲ୍ ଇଂଜିନ୍(ଟ୍ୱିନ୍ ଇଂଜିନ୍) ବିଶିଷ୍ଟ ହେଲିକପ୍ଟର ଉଡ଼ାଇବା ପାଇଁ ଅନୁମତି ଦିଆଗଲା। ସେତେବେଳେ ଟିମ୍‌ରେ ପ୍ରବେଶ ପାଇଁ ଦୀପିକା ଆବେଦନ କଲେ। କିନ୍ତୁ ସେଇ ସମୟରେ ତାଙ୍କର ୧୮ମାସର ଝିଅଟିଏ ଥିବାରୁ ବାୟୁସେନା କମିଟି ଏନେଇ ସୁନିଶ୍ଚିତ ହୋଇପାରିଲେ ନାହିଁ ଯେ ଘରର ଏତେ ଗୁରୁ ଦାୟିତ୍ୱ ଓ ନିଜ କର୍ତ୍ତବ୍ୟର ଚାପ ମଧ୍ୟରେ ସେ ସନ୍ତୁଳନ ରକ୍ଷା କରିପାରିବେ। ତେଣୁ ତାଙ୍କ ଆବେଦନକୁ ଖାରଜ କରିଦିଆଗଲା।

ତେବେ ନିଜ ଲକ୍ଷ୍ୟ ନେଇ ଦୃଢ଼ ନିଶ୍ଚିତ ଥିଲେ ଦୀପିକା। ତେଣୁ ୨୦୧୩ ଓ ୨୦୧୪ରେ ସେ ପୁଣି ଥରେ ଟିମ୍‌ରେ ସାମିଲ ହେବା ପାଇଁ ଆବେଦନ କଲେ। ଶେଷରେ ଦୀପିକାଙ୍କ ଇଚ୍ଛା ପୂରଣ ହେଲା ଓ ତାଙ୍କୁ ସିଲେକ୍ସନ ପାଇଁ କଲ୍ ଆସିଲା। ଆଉ ୨୦୧୪ ମସିହାରେ ସେ ହେଲେ ସାରଙ୍ଗ ଟିମ୍‌ର ସ୍କ୍ୱାଡ୍ରନ୍ ଲିଡର। ସାରଙ୍ଗ ଫର୍ମେସନ୍‌ରେ ସ୍ଥାନ ପାଇବାରେ ଦୀପିକା ଥିଲେ ପ୍ରଥମ ମହିଳା ଅଫିସର।

ନିଜ ଡ୍ରିମ୍ ଟିମ୍‌ରେ ସ୍ଥାନ ପାଇବା ପାଇଁ ତାଙ୍କୁ ବିଶେଷ ପ୍ରଶିକ୍ଷଣ (ସେ ତାଙ୍କ ଟିମ୍‌ର ସେଫ୍ଟି ଅଫିସର ହୋଇଥିବାରୁ ଫର୍ମେସନ୍ ଡିସ୍‌ପ୍ଲେ ପୂର୍ବରୁ ତାହାର ମନିଟରି° ତଥା ଟିମ୍‌ର ସଦସ୍ୟମାନେ ବାହାରକୁ ଆସିବା ପରେ ସେମାନଙ୍କ ଠାରୁ ସମସ୍ତ ବିବରଣୀ ସ°ଗ୍ରହ କରିବା ହେଉଛି ତାଙ୍କ ଦାୟିତ୍ୱ) ନେବାକୁ ହୋଇଥିଲା।

ଦୀପିକାଙ୍କ ଏହି ସଫଳତା ପଛରେ ତାଙ୍କ ଅର୍ଗାନାଇଜେସନ୍‌ର ଦୃଢ଼ ସହଯୋଗ ଓ ସହାୟତା ନିହିତ ଥିବା ସେ କୁହନ୍ତି। ସେ କେବେହେଲେ ଏଠାରେ ଲିଙ୍ଗଗତ ବୈଷମ୍ୟର ଶିକାର ହୋଇ ନଥିବା ଏବଂ ଠିକ ନିଜ ପୁରୁଷ ସହକର୍ମୀମାନଙ୍କ ଭଳି ସମସ୍ତ ଟ୍ରେନିଂ ପାଇଥିବା ମଧ୍ୟ କହନ୍ତି। ୨୦୧୫ ମସିହାରେ ବେଙ୍ଗାଲୁରୁ ଠାରେ ଆୟୋଜିତ ଏରୋ ଶୋ' ଥିଲା ଦୀପିକାଙ୍କ ଜୀବନର ପ୍ରଥମ ପ୍ରଦର୍ଶନ।

ୱିଙ୍ଗ୍ କମାଣ୍ଡର ଦୀପିକା ମିଶ୍ରା ପେଣ୍ଟିଂ ଓ ମ୍ୟୁଜିକ୍‌ରେ ମଧ୍ୟ ରୁଚି ରଖନ୍ତି। ସାରଙ୍ଗ ଟିମ୍‌ରେ ଏରୋନଟିକାଲ୍ ଇଂଜିନିୟର ଥିବା ସ୍କ୍ୱାଡ୍ରନ୍ ଲିଡର ସୌରଭ କକ୍କରଙ୍କୁ ସେ ବିବାହ କରିଛନ୍ତି। ଏହି ପାୱାର୍‌ କପଲ୍ ଅତ୍ୟନ୍ତ ସମର୍ପଣର ସହିତ ନିଜ କର୍ତ୍ତବ୍ୟ କରିଥାନ୍ତି। ଆଗକୁ ଇଣ୍ଡିଆନ୍‌ ଏୟାର ଫୋର୍ସରେ ଦୀପିକାଙ୍କର ଏଇ ଯାତ୍ରା ଆହୁରି ଅଧିକ ଗୌରବମଣ୍ଡିତ ହେବ ବୋଲି ଆଶା ଓ କାମନା।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: [email protected]

Women Empowerment
Advertisment
Advertisment