ସାରା ପୃଥିବୀରେ ମିଳୁଥିବା ଏକ ଲୋକପ୍ରିୟ ପାନୀୟ ହେଉଛି ଚା’। ଜଣାଯାଏ ଯେ ପ୍ରାୟ ୪୫୦୦ ବର୍ଷ ପୂର୍ବରୁ ଏହି ଚା’ ପିଇବାର ଅଭ୍ୟାସ ରହିଆସିଛି। ୧୮୩୪ରେ ବ୍ରିଟିଶ୍ ରାଜତ୍ୱ କାଳରେ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ଭାରତରେ ଏକ ଚା’ ଉତ୍ପାଦନ ୟୁନିଟ୍ ଖୋଲିବାକୁ ପରିକ୍ଷାମୂଳକ କମିଟି ବସାଇଥିଲେ। ସେତେବେଳେ ଆସାମର ପାହାଡ଼ିଆ ଅଞ୍ଚଳରେ ପ୍ରଥମ କରି ଚା’ ଚାଷ କରାଯାଇଥିଲା। ଆଜି ଭାରତ ପୃଥିବୀର ସର୍ବାଧିକ ଚା’ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରେ ରହିଛି।
ତେବେ ଆଜି ଏସବୁ କଥା କହିବାର କାରଣ ହେଉଛି ଏବେ ସବୁ ବର୍ଗର ଲୋକମାନଙ୍କ ଦ୍ୱାରା ଆଦୃତ ପାନୀୟ ଚା’ର ବହୁଳ ବ୍ୟବସାୟ ବା ପ୍ରସାରଣ। ଆପଣ ଜାଣନ୍ତି କି କାହିଁକି ଚା’ ପିଇବା ଏକ ନିଶା ପାଲଟିଯାଏ ଏବଂ ପ୍ରତି ଗୋଷ୍ଠୀର ଲୋକେ ଏହାକୁ ପସନ୍ଦ କରନ୍ତି? ଚା’ ର ଏମିତି କ’ଣ ସବୁ ଗୁଣ ଅଛି ଆସନ୍ତୁ ଜାଣିବା।
ଅଧିକ ପଢ଼ନ୍ତୁ: ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ
ଏହା ସମସ୍ତେ ଜାଣନ୍ତି ଯେ ଆମେ ଯେଉଁ ଚା’ ପିଇଥାଉ ତାହା ହେଉଛି ଚା’ ଗଛ(କ୍ୟାମେଲିଆ ସାଇନେସିସ୍)ର ପତ୍ରରୁ ତିଆରି। ଏହା ଆମ ଦେଶର ଆସାମରେ ଉତ୍ପାଦିତ ଚା’। ଏହି ଗଛର ପତ୍ରକୁ ତୋଳାଯାଇ ଏହାକୁ ଫରମେଣ୍ଟେସନ୍ ବା କିଣ୍ୱନ ପ୍ରକ୍ରିୟାରେ ରଖାଯାଏ ଏବଂ ତା’ ପରେ ବିଭିନ୍ନ ପ୍ରକ୍ରିୟାକରଣ କରି ସେ ପତ୍ରକୁ ଶୁଖାଇଲା ପରେ ଚା’ ତିଆରି ହୁଏ।
Also Read
ଫରମେଣ୍ଟେସନ୍ ନ ହୋଇଥିବା ପତ୍ର ଏଥିରେ ଥିବା ଟାନିନ୍ ହେତୁ ଟିକେ କଷା ଲାଗିଥାଏ। ଏହାକୁ ଚାଇନିଜ୍ ଗ୍ରୀନ୍ ଟି ଭାବେ ପିଆଯାଏ। ଏମିତି ବି ଆପଣ ଅନେକ ପ୍ରକାର ଚା’ ର ନାମ ଜାଣିଥିବେ। କ୍ଷୀର ଚା’, ନାଲି ଚା’ ବା ବ୍ଲାକ୍ ଟି, ଗ୍ରୀନ୍ ଟି, ତୁଳସି ଚା’, ଲେମନ୍ ଚା’ ଆଦି ଅନେକ ପ୍ରକାର ଚା’ ଆଜିକାଲି ମିଳୁଛି। ହେଲେ ସବୁଥିରେ ମୁଖ୍ୟ ଉପାଦାନ ହେଲା ଏହି ଚା’ ପତ୍ର।
ଏଥିରେ କ୍ୟାଫିନ୍, ପେକ୍ଟିନ୍, ସାଚୁରେଟେଡ୍ ଓ ଅନ୍ସାଚୁରେଟେଡ୍ ଆଲଡିହାଇଡ୍, ଏସିଡ୍, ଫେନଲ୍ ଓ ଟରପେଣ୍ଟାଇନ୍ ଆଦି ପଦାର୍ଥ ରହିଛି ଯାହା ଏହାର ରଙ୍ଗ ଓ ବାସ୍ନା ପାଇଁ ଦାୟୀ ଅଟେ। ଆମେ ଏହାର ପ୍ରସ୍ତୁତି ପ୍ରଣାଳୀକୁ ଏତେ ଧ୍ୟାନ ନ ଦେଇ ଏବେ ଦେଖିବା ଏହାର ଆମ ଶରୀର ପାଇଁ କ’ଣ ଉପକାରିତା ରହିଛି।
ଚା’ ଓ କଫି ଆଦିରେ ରହୁଥିବା କ୍ୟାଫିନ୍ ନାମକ ଜିନିଷଟି ଆମ ଶରୀରର ବହୁ କାର୍ଯ୍ୟକଳାପକୁ ପ୍ରଭାବିତ କରେ। ଏହା ଆମ ହୃତ୍ପିଣ୍ଡ, ଫୁସ୍ଫୁସ୍, କିଡ୍ନୀ ଆଦି ଉପରେ ପ୍ରଭାବ ପକାଇଥାଏ। ଚା’ ପତ୍ରରେ ସେମିତି କ୍ୟାଲୋରୀ ନ ଥିବାବେଳେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଚା’ ର ମୁଖ୍ୟ ଉପାଦାନ ହେଉଛି କ୍ୟାଫିନ୍ ଓ ପଲିଫିନଲ୍(ଫ୍ଲାବନଏଡ୍, ଥିଓଫ୍ଲାବିନ୍, କ୍ୟାଟକିନ୍)। ଏହି ଫ୍ଲାବନଏଡ୍ ହିଁ ଚା’କୁ ସ୍ୱାସ୍ଥ୍ୟୋପଯୋଗୀ କରିଥାଏ ଯାହାକୁ ଆଣ୍ଟିଅକ୍ସିଡାଣ୍ଟ କୁହାଯାଏ।
ଏହା ଆମ ଶରୀରର ଫ୍ରୀ ରାଡିକଲସ୍ ନଷ୍ଟ କରିଦିଏ। ହେଲେ ଚା’ ରେ ଆମେ କ୍ଷୀର ଓ ଲେମ୍ୱୁ ଆଦି ମିଶାଇବା ପରେ ଏହିସବୁ ପଦାର୍ଥର ପରିମାଣରେ ପରିବର୍ତ୍ତନ ଦେଖାଯାଏ। ଗବେଷଣାରୁ ଜଣାଯାଏ ଯେ କ୍ଷୀର ମିଶାଇବା ଦ୍ୱାରା ଚା’ ର ଆଣ୍ଟିଅକ୍ସିଡାଣ୍ଟ ଗୁଣ କିଛି ମାତ୍ରାରେ ପ୍ରଭାବିତ ହୋଇଥାଏ।
ଚା’ ରେ ବିଭିନ୍ନ ମିନେରାଲସ୍ ରହୁଥିବା ବେଳେ ବିଶେଷକରି ଚାରୋଟି ମିନେରାଲ ଯେପରିକି ଗୋଟିଏ କପ୍ ଚା’ ରେ ୮୦ ପ୍ରତିଶତ ମାଙ୍ଗାନିଜ୍, ୨୦ ରୁ ୨୫ ପ୍ରତିଶତ ଲୌହ ଓ କପର୍ ଏବଂ ୧୦ ପ୍ରତିଶତ ଫ୍ଲୋରିନ୍ ରହିଥାଏ। ଚା’ ଆମର ଶରୀରକୁ ୭୦ ପ୍ରତିଶତ ଫ୍ଲୋରାଇଡ୍ ଦିଏ ଯାହାକି ଅସ୍ଥି ଓ ଦାନ୍ତ କ୍ଷୟରୁ ଆମକୁ ବଞ୍ଚାଉଥିବା ଏକ ଉପାଦେୟ ମିନେରାଲ୍।
ଏକ କପ୍ ଚା’ ରେ ପାଖାପାଖି ୧୫୦ ମି.ଗ୍ରା ଟାନିନ୍ ରହିଥାଏ। ଆମେ ଯେତେବେଳେ କ୍ଷୀର ଦେଇ ଚା’ ପ୍ରସ୍ତୁତ କରୁ ଏହି ଟାନିନ୍ କ୍ଷୀରରେ ଥିବା ପ୍ରୋଟିନ୍ ସହ ବାନ୍ଧିହୋଇ ଏହାର ଏସିଡିକ୍ ବା ଅମ୍ଲୀୟ ସ୍ୱାଦକୁ ପାଟିରେ ବଢ଼ାଇଥାଏ। ଏହା କିନ୍ତୁ ପାକସ୍ଥଳୀ ମଧ୍ୟକୁ ଗଲେ ପୁଣି ଟାନିନ୍ ଓ ପ୍ରୋଟିନ୍ ଅଲଗା ହୋଇଯାଏ ଓ ଅମ୍ଲୀୟତା ବଢ଼ିଯାଏ। ଏଥିପାଇଁ ଗ୍ୟାସ୍ ବା ହଜମଜନିତ ସମସ୍ୟା ଥିବା ଲୋକମାନଙ୍କୁ ଚା’ ପିଇବାକୁ ବାରଣ କରାଯାଏ।
ଚା’ ରେ ଥିବା ଫ୍ଲାବନଏଡ୍ ହୃଦ୍ରୋଗର ଆଶଂକା କମ୍ କରେ। ଏହା ଶିରା ଓ ଧମନୀକୁ ସରଳ କରିଥାଏ ଯାହା ରକ୍ତର ସହଜ ପ୍ରବାହକୁ ପ୍ରେରିତକରେ ଏବଂ ଉଚ୍ଚ ରକ୍ତଚାପରୁ ମୁକ୍ତିଦିଏ। ଏହା ଆମ ଶରୀରରେ କମ୍ ଘନତାର ସ୍ନେହସାରକୁ ନିୟନ୍ତ୍ରଣରେ ରଖେ ଯାହା ଦ୍ୱାରା ଆମର କୋଲେଷ୍ଟରଲ ବଢ଼ି ନଥାଏ।
ବିଶେଷ କରି ଗ୍ରୀନ୍ ଟି ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଏଥିରେ ଥିବା ଏପିଗ୍ୟାଲୋକ୍ୟାଟକିନ୍-୩ ଶରୀରରେ କ୍ୟାନ୍ସର୍ ସେଲ୍ ବଢ଼ିବାକୁ ପ୍ରତିରୋଧ କରେ। ତେବେ ଚା’ କୁ ଗରମ ଥିବାବେଳେ ନ ପିଇ ଟିକେ ଥଣ୍ଡା ହେବା ପରେ ପିଇବା ଉଚିତ। ଗରମ ଚା’ ପିଇବା ଦ୍ୱାରା ପାକସ୍ଥଳୀ ଅଲସର୍ ଓ ଖାଦ୍ୟନଳୀ କ୍ୟାନ୍ସର୍ ପରି ରୋଗ ସୃଷ୍ଟି ହୋଇଥାଏ।
ଆଜିକାଲି ବଜାରରେ ଡି କ୍ୟାଫିନେଟେଡ୍ ଟି ମିଳୁଛି। ଏହା କ୍ୟାଫିନ୍ ମୁକ୍ତ ହୋଇଥାଏ ଓ ଯେଉଁମାନଙ୍କୁ କ୍ୟାଫିନ୍ ନେବାରେ ଅସୁବିଧା ହୁଏ ସେମାନେ ଏହା ନେଇପାରିବେ। ତେବେ ଏଥିରେ କିନ୍ତୁ ପଲିଫିନଲ୍ ଆଦି ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକ କମ୍ ପରିମାଣରେ ଥାଏ। ଚା’ କିଣିବାକୁ ଗଲେ ଆପଣ ଚା’ ର କିଛି କମ୍ ଭେରାଇଟି ପାଇବେନି।
ପାରମ୍ପାରିକ ଚା’ ସହିତ ଏବେ ଲୋକପ୍ରିୟ ହେଉଛି ହର୍ବାଲ ଟି। ଏହା କ୍ୟାଫିନ୍ ପ୍ରି ଥାଏ ଓ ଏଥିରେ ବିଭିନ୍ନ ଉଦ୍ଭିଦଜାତ ଫ୍ଲେଭର ଯେପରି କି କ୍ୟାମୋମାଇଲ୍, ହଳଦୀ, ତୁଳସୀ, ଲେମନ୍ ଗ୍ରାସ୍ ଆଦି ଉପଲବ୍ଧ। ଭାରତରେ ମିଳୁଥିବା ଚା’ ମୁଖ୍ୟତଃ ମସଲା ଚା’ ବା ଗୁଜୁରାତି, ଲବଙ୍ଗ, ଅଳେଇଚ, ଗୋଲମରିଚ, ଅଦା, ତେଜପତ୍ର, ଡାଳଚିନି ଆଦି ପଡ଼ି ପ୍ରସ୍ତୁତ ସ୍ୱାଦଯୁକ୍ତ ଚା’ ବୋଲି ବିଶ୍ୱବିଖ୍ୟାତ। ତେବେ ଚା’ର ବହୁଳ ପ୍ରସାର ପୂରା ପୃଥିବୀରେ ରହିଛି।
ବିଭିନ୍ନ ଅଞ୍ଚଳ ଅନୁସାରେ ଏହାର ପିଇବା ଓ ତିଆରି କରିବାର ଉପାୟ ମଧ୍ୟ ଅଲଗା ଅଲଗା ରହିଛି। ତେବେ ଏହାକୁ କେବଳ ଫ୍ରେଶ୍ ଅନୁଭବ କରିବା ବା ଅଳସୁଆପଣ ଦୂରେଇବା ପାଇଁ ନ ଖାଇ ଏକ ଔଷଧୀୟ ପାନୀୟ ଭାବେ ନେବା ଉଚିତ। ଠିକ୍ ଉପାୟରେ ଏହାକୁ ଖାଇଲେ ଏହାର ସ୍ୱାସ୍ଥ୍ୟପ୍ରଦ ଗୁଣର ଲାଭ ଆମେ ପାଇପାରିବା।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)