Advertisment

Nutrients: ଅନେକ ପୋଷକରେ ଭରପୂର ମିଲେଟ୍; କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣ କରେ, ଇମ୍ୟୁନ୍ ସିଷ୍ଟମ୍ ଠିକ୍ ରଖେ

ଆଜିକାଲି ମିଲେଟ୍‌ର ଚାହିଦା ବଢିବାରେ ଲାଗିଛି। ମିଲେଟ୍ ଖାଇବା ନେଇ ଲୋକେ ସଚେତନ ହେଉଛନ୍ତି। ତେବେ ମିଲେଟ୍ କ’ଣ ଓ ଏହାକୁ କାହିଁକି ଖାଇବା। ଏଥିରେ କେଉଁ ସବୁ ପୋଷକ ତତ୍ତ୍ୱ ଅଛି ଜାଣିବା ପାଇଁ ଆସନ୍ତୁ ପଢିବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Health Benifits Of Millets

Types and benefits of millet

ଆଜିକାଲି ଲୋକେ ମିଲେଟ୍ ଖାଇବା ନେଇ ଖୁବ୍ ସତର୍କ ହେଉଛନ୍ତି। ଏବେ ଏହି ମିଲେଟ୍ ବିଷୟରେ କିଛି କଥା ଜାଣିବା। ଏହି ମିଲେଟ୍ କହିଲେ ଆପଣମାନେ କ’ଣ ବୁଝନ୍ତି। ପ୍ରାୟ ସବୁ ସାଧାରଣ ଲୋକେ ଭାବନ୍ତି ମିଲେଟ୍ କହିଲେ କେବଳ ମାଣ୍ଡିଆକୁ ବୁଝାଏ। କିନ୍ତୁ ମିଲେଟ୍ ଅନେକ ପ୍ରକାର ଅଛି। ଯେପରି କି ମାଣ୍ଡିଆ, ବାଜରା, ସୁଆଁ ଚାଉଳ, କୁଟ୍ଟୁ ମିଲେଟ୍, କୁଡୋ ମିଲେଟ୍, କାଙ୍ଗୁ ଚାଉଳ, ଖିରା ଇତ୍ୟାଦି ହେଉଛି ଅନେକ ପ୍ରକାର ମିଲେଟ୍‌ର ନାମ।

Advertisment

ତେବେ ଏହି ସବୁ ମିଲେଟ୍ ବିଷୟରେ ତ ଆମେ କେବେ ଶୁଣିନୁ, ଆପଣ ଭାବିବେ। ତେବେ ଆସନ୍ତୁ ଆଜି ଏହିସବୁ ମିଲେଟ୍ ଓ ଏହାର ଉପକାରିତା ବିଷୟରେ ଜାଣିନେବା।

ମିଲେଟ୍ କହିଲେ ଏକ ଘାସ ଜାତୀୟ ଶସ୍ୟ ଯାହା ମୁଖ୍ୟତଃ ଶୁଖିଲା ଓ ପାହାଡିଆ ଅଞ୍ଚଳରେ ବଢ଼ିଥାଏ। କିନ୍ତୁ ସିରେଲ୍ ବା ଧାନ ଓ ଗହମ ଜାତୀୟ ଶସ୍ୟ ବଢ଼ିବା ପାଇଁ ସମତଳ ଭୂମି ଓ ଅଧିକ ଜଳ ଆବଶ୍ୟକ କରିଥାଏ। ତେଣୁ ମିଲେଟ୍ ଲଗାଇ ଅମଳ କରିବା ଖୁବ୍ ସହଜ ହୋଇଥାଏ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

ଚୀନ୍, ଭାରତ, ଆଫ୍ରିକା ଓ ନାଇଜେରିଆରେ ସର୍ବାଧିକ ମିଲେଟ୍ ଉତ୍ପାଦନ ହୋଇଥାଏ। ଏକ କେଜି ମିଲେଟ୍ ଉତ୍ପାଦନ ପାଇଁ ମାତ୍ର ୨୦୦ ରୁ ୩୦୦ଲି. ଜଳ ଆବଶ୍ୟକ ହୋଇଥାଏ। ଏହାର ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଯେକୌଣସି ପ୍ରତିକୂଳିତ ପରିବେଶରେ ମଧ୍ୟ ଚାଷ କରାଯାଇପାରିବ। ଏହା ଘାସ ପ୍ରଜାତିର ହୋଇଥିବାରୁ କୌଣସି ପ୍ରକାର ରାସାୟନିକ ପେଷ୍ଟିସାଇଡ୍ ପ୍ରୟୋଗ ସହ୍ୟ କରିପାରେ ନାହିଁ, ତେଣୁ ଏହା ଏକ ଶୁଦ୍ଧ ପ୍ରାକୃତିକ ଖାଦ୍ୟ ଦ୍ରବ୍ୟ ବୋଲି କହିପାରିବା।

ଗବେଷଣା କହେ ଯେ ପ୍ରାୟ ୭୦୦୦ ବର୍ଷ ପୂର୍ବରୁ ମଣିଷମାନେ ମିଲେଟ୍ ଖାଇବା ଆରମ୍ଭ କରିଥିଲେ ଯାହା କି ସେତେବେଳେ ଉନ୍ନତ ପ୍ରଣାଳୀରେ ଏକ ଜମିରେ ବହୁ ଶସ୍ୟ ଉତ୍ପାଦନର ଏକ ଅଂଶ ଥିଲା। ଦିନ ଥିଲା, ସମସ୍ତ ପ୍ରକାର ମିଲେଟ୍ ଭାରତୀୟ ଖାଦ୍ୟର ଏକ ପ୍ରଧାନ ଅଂଶ ଥିଲା, ହେଲେ ଲୋକମାନେ ବିଭିନ୍ନ ଆଧୁନିକ ଖାଦ୍ୟାଭ୍ୟାସରେ ଅଭ୍ୟସ୍ତ ହୋଇ ଆମର ଏହି ପାରମ୍ପାରିକ ଖାଦ୍ୟକୁ ଭୁଲିଯାଇଥିଲେ।

ଏବେ ବିଭିନ୍ନ ରୋଗ ଓ ଶାରୀରିକ ସମସ୍ୟାକୁ ଏଡ଼ାଇବାକୁ ଆମେ ସ୍ୱାସ୍ଥ୍ୟକର ଡାଏଟ୍ ଅନୁସରଣ କରିବାରେ ଯତ୍ନବାନ୍ ହୋଇ ପୁଣି ମିଲେଟ୍‌କୁ ଆମ ଖାଦ୍ୟରେ ଯୋଡ଼ିବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି। ଭାରତ ସରକାରଙ୍କ ପ୍ରସ୍ତାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରିଛନ୍ତି।

ମିଲେଟ୍‌ର ପୋଷକ ଗୁଣ:

ମିଲେଟ୍‌ରେ ମଧ୍ୟ ସାଧାରଣ ଶସ୍ୟ ପରି କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର ଥାଏ, ହେଲେ ଏଥିରେ ଅଧିକ ପରିମାଣରେ ଫାଇବର, ପ୍ରୋଟିନ୍, ଲୌହ, ଫସଫରସ୍, କ୍ୟାଲ୍‌ସିୟମ୍, ମ୍ୟାଗ୍ନେସିୟମ୍ ପରି ଖଣିଜ ଦ୍ରବ୍ୟ ମଧ୍ୟ ରହିଥାଏ। ଏଣୁ ଏହାକୁ ଆମେ ନିୟମିତ ଖାଦ୍ୟ ଭାବେ ଭାତ ଓ ରୁଟି ବଦଳରେ ଖାଇପାରିବା। ଏହା ସହିତ ମିଲେଟ୍‌ରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ।

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ଅଧିକରଣ ବା FSSAI (Food Safety and Standard Authority of India) ଦ୍ୱାରା ମୁଖ୍ୟତଃ ୭ପ୍ରକାର ମିଲେଟ୍‌କୁ ପ୍ରାଧାନ୍ୟ ଦିଆଯାଇଛି, ଯେପରିକି ବାଜରା(ପର୍ଲ ମିଲେଟ୍), ମାଣ୍ଡିଆ(ଫିଙ୍ଗର ମିଲେଟ୍), ବକ୍ ହ୍ୱିଟ୍ ମିଲେଟ୍(କୁଟ୍ଟୁ), ଆମାରନ୍ଥ (କୋଶଳା ଓ ଖଡ଼ା ଶାଗ ମଞ୍ଜି ବା ରାଜଗୀରା), ଖୀରା(ବର୍ଣ୍ଣୟାଡ଼୍ ମିଲେଟ୍), କାଙ୍ଗୁ(ଫକ୍ସଟେଲ୍ ମିଲେଟ୍) ଓ କୋଡୋ ମିଲେଟ୍।

ଏହା ବ୍ୟତୀତ କେତୋଟି ଉପାଦେୟ ମିଲେଟ୍ ହେଉଛି ଲିଟିଲ୍ ମିଲେଟ୍ ବା ସୁଆଁ ଚାଉଳ, ପ୍ରୋସୋ ମିଲେଟ୍ ଇତ୍ୟାଦି।

  • ପର୍ଲ ମିଲେଟ୍ ବା ବାଜରା ସାଧାରଣତଃ ସବୁଠାରୁ ଅଧିକ ଖିଆଯାଉଥିବା ମିଲେଟ୍। ଏହା ଅପେକ୍ଷାକୃତ ଅଧିକ ପରିମାଣର ପ୍ରୋଟିନ୍ ସହିତ ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଭିଟାମିନ୍ ବି କମ୍ପେକ୍ସ, ଭିଟାମିନ୍ ଇ ଓ ଲୌହ ଧାରଣ କରେ। ଏହା ହୃଦ୍ ରୋଗ ଓ ସ୍ନାୟବିକ ସମସ୍ୟା କ୍ଷେତ୍ରରେ ଏକ ଉପାଦେୟ ଖାଦ୍ୟ। ଏହା କ୍ଷାର ସ୍ୱଭାବ ବା ଆଲକାଲାଇନ୍ ହୋଇଥିବାରୁ ଏସିଡିଟି ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାକୁ ଆପଣ ଖିରି କରି, ରୁଟି କରି ବା ପିଠା କରି ନେଇପାରିବେ।
  • ଫିଙ୍ଗର ମିଲେଟ୍ ବା ମାଣ୍ଡିଆ ହେଉଛି ଓଡ଼ିଶାରେ ଉତ୍ପନ୍ନ ସବୁଠାରୁ ଅଧିକ ପରିମାଣର ମିଲେଟ୍। ଏହା ଦକ୍ଷିଣ ଭାରତରେ ମଧ୍ୟ ଏକ ଷ୍ଟାପଲ୍ ଫୁଡ୍ ଭାବେ ବ୍ୟବହାର କରାଯାଏ। ଏହା ଗ୍ଲୁଟେନ୍ ଫ୍ରି ହୋଇଥାଏ ଓ କ୍ୟାଲସିୟମ୍ ରେ ଭରପୂର ଥାଏ। ଏହା ଉଚ୍ଚ ଫାଇବର ଯୁକ୍ତ ହୋଇଥିବାରୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଖାଦ୍ୟ। ଏଥି ସହିତ ଏହା କ୍ୟନସର ପ୍ରତିରୋଧକ ଭାବେ ମଧ୍ୟ କାମ ଦିଏ। ନିୟମିତ ଭାବେ ଏହାକୁ ଦହି ସହିତ କିମ୍ୱା ଗୁଡ଼ ଦେଇ ପାରମ୍ପାରିକ ରୂପରେ ଖିରି କରି ଖାଇହେବ।
  • ବକ୍ ହ୍ୱିଟ୍ ବା କୁଟ୍ଟୁ ମିଲେଟ୍ ସାଧାରଣତଃ ଉତ୍ତର ଭାରତରେ ଉପବାସ ସମୟରେ ଲୋକମାନେ ବିଭିନ୍ନ ପ୍ରକାରରେ ଖାଇଥାନ୍ତି। ଏହା ମାଙ୍ଗାନିଜ୍, ଜିଙ୍କ୍, ପୋଟାସିୟମ୍, କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍‌ରେ ଭରପୂର ଥାଏ। ବ୍ଲଡ୍ ପ୍ରେସର ଓ କାଡ଼ିଓ ଭାସ୍କୁଲାର ରୋଗ ପାଇଁ ଏହା ଅତ୍ୟନ୍ତ ଉପକାରୀ। ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୁଏ। ଏହା ପଲିଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ରେ ମଧ୍ୟ ପୂର୍ଣ୍ଣ ଥାଏ।
  • ଆମାରନ୍ଥ ବା କୋଶଳା ଓ ଖଡ଼ା ଶାଗ ମଞ୍ଜି ଏକ ସହଜରେ ମିଳୁଥିବା ମିଲେଟ୍ ଯାହା ପ୍ରୋଟିନ୍ ଓ କ୍ୟାଲସିୟମ୍ରେ ଭରପୂର ଥିବା ସହ କ୍ୟାଲସିୟମ୍, ଆଇରନ୍ ବା ଲୌହର ମଧ୍ୟ ଏକ ଉତ୍ତମ ଉତ୍ସ ହୋଇଥାଏ। ଏହା ରକ୍ତରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣ କରେ, ଇମ୍ୟୁନ୍ ସିଷ୍ଟମ୍ ଠିକ୍ ରଖିବା ସହିତ ଅଷ୍ଟିଓପୋରୋସିସ୍ ଓ ଆନିମିଆରେ ମଧ୍ୟ ଉପାଦେୟ ହୋଇଥାଏ।
  • ବର୍ଣ୍ଣୟାର୍ଡ଼ ମିଲେଟ୍ ବା ଖିରା ଉଭୟ ଫାଇବର ଓ ଲୌହର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଶରୀରରେ ପ୍ରଦାହ ପ୍ରତିରୋଧକ ଭାବେ କାମ କରେ। ଏହା ଆମର ଯକୃତ କାର୍ଯ୍ୟକାରିତା ପାଇଁ ଅତ୍ୟନ୍ତ ଉପାଦେୟ ହୋଇଥାଏ।
  • ଫକ୍ସଟେଲ୍ ମିଲେଟ୍ ବା କାଙ୍ଗୁ ଚାଉଳ ସାଧାରଣତଃ ଲୋକମାନଙ୍କ ମଧ୍ୟରେ ଚଢ଼େଇଖିଆ ଦାନା ଭାବେ ଜଣାଶୁଣା ଥିବା ବେଳେ ଏହାର ପୋଷକ ତତ୍ତ୍ୱ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହା ଅପପୁଷ୍ଟି ନିରାକରଣରେ ମୁଖ୍ୟ ଭୂମିକା ତୁଲାଏ। ଏହା ଆମର ମସ୍ତିଷ୍କଜନିତ ରୋଗ ଯେପରି ପାର୍କିନସନ୍ସ ଡିଜିଜ୍, ଆଲଝାଇମର, ପାରାଲିସିସ୍ ପରି ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ସହ ଆମର ଅସ୍ଥିର ସ୍ୱାସ୍ଥ୍ୟପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ। ଏହା ପ୍ରୋଟିନ୍ ଓ ଫାଇବରରେ ଭରପୂର। ଖିରି କରି ବା ଖେଚୁଡ଼ି କରି ଏହାକୁ ଆମେ ଖାଇପାରିବା। ଆଇରନ୍ ଥିବା ହେତୁ ଏହାକୁ ରକ୍ତ ହୀନତା ଓ ଗର୍ଭବତୀ ନାରୀମାନେ ମଧ୍ୟ ନେବା ଜରୁରୀ।
  • କୋଡୋ ମିଲେଟ୍ କାର୍ବୋହାଇଡ୍ରେଟ୍ ଓ ଫାଇବରରେ ଭରପୂର ଥିବାରୁ ଏହା ରକ୍ତ ଶର୍କରାକୁ ନିୟମିତ କରେ। ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଉପକାରିତା ହେଉଛି ଏହା ଖାଇବା ଦ୍ୱାରା ଡେଙ୍ଗୁ ଦ୍ୱାରା ନଷ୍ଟ ହେଇଥିବା ରକ୍ତ କଣିକାର ବୃଦ୍ଧି କରିଥାଏ। ମେନୋପଜ୍ ସମୟର ମାନସିକ ସ୍ଥିତିକୁ ଏହା ନିୟନ୍ତ୍ରଣ ରଖିଥାଏ। ଏହା ଛଡ଼ା ନର୍ଭସ ସିଷ୍ଟମ୍‌କୁ ମଧ୍ୟ ଏହା ସୁସ୍ଥ ରଖିଥାଏ। ଗର୍ଭବତୀ ନାରୀମାନେ ଏହା ନିତାନ୍ତ ନେବା ଜରୁରୀ।
  • ଲିଟିଲ ମିଲେଟ୍ ବା ସୁଆଁ ଚାଉଳ ସାଧାରଣତଃ ଆମେ ଖିରି କରିଖାଉ। ଏହା ପିସିଓଡି ପାଇଁ ଏକ ଅତି ଉପକାରୀ ଖାଦ୍ୟ। ହରମୋନ୍‌ର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରି ଏହା ସ୍ତ୍ରୀଜନନ ତନ୍ତ୍ରକୁ ସୁସ୍ଥ ରଖେ। ଏହା ଆଇରନ୍‌ରେ ଭରପୂର ହୋଇଥାଏ। ଥାୟାମିନ୍, ଆଣ୍ଟି ଅକ୍ସିଡାଣ୍ଟ ଓ ବି କମ୍ପେକ୍ସ ଭିଟାମିନ୍‌ରେ ଏହା ଭରପୂର ଥାଏ।

ତେବେ ଏହି ସବୁ ପ୍ରକାର ମିଲେଟ୍‌ରୁ ଆବଶ୍ୟକ ଅନୁଯାୟୀ ନିହାତି ଭାବେ କିଛି ପ୍ରକାର ମିଲେଟ୍ ଆମ ନିୟମିତ ଖାଦ୍ୟ ଥାଳିରେ ରହିବା ଜରୁରୀ। ଖିରି କରି, ଖେଚୁଡ଼ି କରି, ଦହି ସହ, ରୁଟି ପରି କିମ୍ୱା ପିଠା ପରି କରି ଆମେ ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ଖାଇପାରିବା। ତେବେ ଏହାକୁ ନିୟମିତ ଆମ ଖାଦ୍ୟର ଏକ ଅଂଶ କରିଲେ ଆମେ ନିଶ୍ଚୟ ବହୁ ଗୁଡ଼ିଏ ଦୁସାଧ୍ୟ ରୋଗରୁ ଦୂରରେ ରହିବା, ଏଥିରେ ସନ୍ଦେହ ନାହିଁ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Health Tips
Advertisment
Advertisment