Advertisment

Vastu: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ସାଧାରଣତଃ ଘର ଚାରିପଟେ ଗଛ ରହିଲେ ଏହା ପରିବେଶକୁ ସୁସ୍ଥ ରଖିବା ସହ ସୁନ୍ଦର ମଧ୍ୟ କରିଥାଏ। କିନ୍ତୁ ଘର ପାଖରେ ଥିବା ଗଛ ଯଦି କାନ୍ଥରେ ଲାଗେ ତେବେ ଅନେକ ସମସ୍ୟା ଆଣିପାରେ। ଜାଣନ୍ତୁ ଏହା ଦ୍ୱାରା କେଉଁସବୁ ସମସ୍ୟାର ସମ୍ମୁଖିନ ହେବାକୁ ପଡେ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Trees Touching the House and its Influence

Trees touching the house and its influence

ଆମେ ଯେତେବେଳେ ଗୃହଟିଏ ନିର୍ମାଣ କରୁଛେ ସେହି ଗୃହରେ ଚାରିପାଶ୍ୱର୍ରେ ଖାଲି ଯାଗା ରହିଲେ ଭଲ। କିନ୍ତୁ ଏହି ଖାଲି ଯାଗା ଯଦି ବେଶିଥାଏ ତେବେ ଆମେ ସେହି ଯାଗାରେ ବିଭିନ୍ନ ଗଛ ଲଗାଇଥାଉ। ଏହି ଗଛଲତାର ମଧ୍ୟ ବାସ୍ତୁରେ ପ୍ରଭାବ ରହିଥାଏ।

Advertisment

ଏବେ କିନ୍ତୁ ଆମେ ଜାଣିବା ଯଦି ଏହି ଗଛଲତା ବଡହୋଇ ଘରକୁ ସ୍ପର୍ଶ କରେ ବା ବଡ ଗଛର ଛାଇ ଏହି ଘର ଉପରେ ପଡେ ତେବେ କ’ଣ ତା’ର ପ୍ରଭାବ।

ଯଦି ଘରର ଚାରିପାଖରେ ଆମ୍ବ, ପଣସ, ପିଜୁଳି ଇତ୍ୟାଦି ବଡ ବଡ ଗଛ ଥାଏ ଏବଂ ଏହାର ଶାଖା, ପ୍ରଖାଖା ଘରର କାନ୍ଥକୁ ସ୍ପର୍ଶ କରୁଥାଏ ତେବେ ଏହା ସମ୍ପୁର୍ଣ୍ଣ ବାସ୍ତୁଦୋଷ ହୋଇଥାଏ। ଅନେକ ସମୟରେ ଦେଖାଯାଏ ଯେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଫୁଲ ଗଛର ଲତା ଘରର କାନ୍ଥ ଉପରେ ମଡେଇ ଦିଆଯାଏ। ତେବେ ଏହା ମଧ୍ୟ ବାସ୍ତୁଦୋଷର ମୁଖ୍ୟ କାରଣ ହୋଇଥାଏ।

Advertisment

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ଅନେକ ଜାଗାରେ ଲୋକେ ଲାଉ, ପାଣିକଖାରୁ, କାକୁଡି ଗଛକୁ ମଧ୍ୟ ଘରର କାନ୍ଥରେ ମଡେଇଥାନ୍ତି। ଏହା ମଧ୍ୟ ଗ୍ରହଣୀୟ ନୁହେଁ, କାରଣ ଏହା ଦ୍ୱାରା ବି ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଏହି ଗଛର ସ୍ଥିତି ବିଭିନ୍ନ ଦିଗକୁ ନେଇ ମଧ୍ୟ ପ୍ରଭାବ ପକାଇଥାଏ। ଏଣୁ ଗଛଲତା ଘର ଭିତରେ ହେଉ କି ଘରର ବଗିଚାରେ ହେଉ ତା’ର ପ୍ରଭାବ ବାସ୍ତୁରେ ନିରନ୍ତର ପଡିଥାଏ। ଏଣୁ ଘରକୁ ସ୍ପର୍ଶ କରୁଥିବା ଗଛଲତାର ପ୍ରଭାବ ବିଷୟରେ ସ୍ପଷ୍ଟ ଧାରଣା ପାଇ ନିମ୍ନଲିଖିତ ତଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

  • କୌଣସି ବି ଗଛଲତା ଘରକୁ ଲଗାଇ ଲଗାନ୍ତୁ ନାହିଁ ।
  • ଯଦି କୌଣସି ଗଛର ବଡ ଶାଖା କିମ୍ବା ଲତା ଦକ୍ଷିଣ-ପୂର୍ବ କୋଣର କାନ୍ଥକୁ ସ୍ପର୍ଶ କରୁଥାଏ ତେବେ ଏହାର ପ୍ରଭାବରୁ ଘରେ ବସବାସ କରୁଥିବା ସନ୍ତାନମାନଙ୍କର କ୍ଷତି କରିବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।
  • ଯଦି କୌଣସି ଘରର ଦକ୍ଷିଣ-ପଶ୍ଚିମ କାନ୍ଥକୁ ଏହି ଗଛଲତାର ଡାଳ ସ୍ପର୍ଶ କରୁଥାଏ, ତେବେ ଗୃହକର୍ତ୍ତା ଏହି ଘରେ ଶାନ୍ତିରେ ଶୋଇପାରନ୍ତି ନାହିଁ। ବିଶେଷକରି ଯଦି ଜାମୁ, ଆମ୍ବ, ବରଗଛର ଶାଖା ସ୍ପର୍ଶ କରୁଥାଏ ତେବେ ସ୍ତ୍ରୀଙ୍କ ସହିତ ମନାନ୍ତର ମତାନ୍ତର ହୋଇଥାଏ।
  • ଏହିପରି ଗଛର ଗୋଟିଏ ବି ଶାଖା ଘରର ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥକୁ ସ୍ପର୍ଶ କରିଥିଲେ ଗୃହକର୍ତାଙ୍କ ମାନସମ୍ମାନରେ ହାନି ହୋଇଥାଏ।
  • ଉତ୍ତର ଦିଗକୁ ଗଛର ଶାଖା ସ୍ପର୍ଶ କରିଥିଲେ ଏହି ଘରେ ଦୀର୍ଘ ଦିନ ଧରି ରହିଲେ ଶରୀରରେ ରୋଗ ଉତ୍ପର୍ଣ୍ଣ ହୋଇଥାଏ ଏବଂ ଗୃହକର୍ତ୍ତା ଋଣଗ୍ରସ୍ତ ହୋଇଥାନ୍ତି।
  • ବିଶେଷ କରି ବର, ଓସ୍ତ ଏବଂ ଆମ୍ବ ପରି ଗଛର ଶାଖା ସ୍ପର୍ଶ କରୁଥଲେ ଘରର ଧାର୍ମିକ ପରିବେଶ ନଷ୍ଟ ହେବା ସହିତ ପ୍ରବଳ ଆର୍ଥିକ କ୍ଷତି ସହିବାକୁ ପଡିଥାଏ।
  • ଗଛର ଗୋଟିଏ ବଡ ଶାଖା ଯଦି ଘରର ପଶ୍ଚିମ ଦିଗର କାନ୍ଥକୁ ସ୍ପର୍ଶ କରୁଥାଏ ତେବେ ଗୃହକର୍ତ୍ତାଙ୍କ ମାନସିକ ଅସ୍ଥିରତା ଦେଖାଦେଇଥାଏ ଏବଂ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ।
  • ଯଦି ଗଛର ଶାଖା ଦକ୍ଷିଣ ଦିଗର କାନ୍ଥକୁ ସ୍ପର୍ଶ କରୁଥାଏ ତେବେ ଘରେ କଳହ ସୃଷ୍ଟି ହୋଇଥାଏ।

ଯଦି ଏହିପରି ଗଛଲତା ଗୃହସ୍ପର୍ଶ ଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ତେବେ ଏହି ବୃକ୍ଷକୁ ଶାସ୍ତାନୁଯାୟୀ, ପୂଜାକରି ଓ କ୍ଷମା ପ୍ରାର୍ଥନା ପୂର୍ବକ କାଟିବା ଦରକାର। ଆଶ୍ରୟ ନେଇଥିବା ଗଛର ଶାଖାକୁ ଭାଦ୍ରବ କିମ୍ବା ମାଘ ମାସର କୃଷ୍ଣପକ୍ଷରେ କାଟିବା ଦରକାର ଏବଂ ସେହିଦିନ ପନର୍ବସୁ, ହସ୍ତା, ସ୍ୱାତୀ, ଅନୁରାଧା ଉତରାଷାଢ ଏବଂ ଶ୍ରବଣା ନକ୍ଷତ୍ର ହୋଇଥିବା ଦରକାର। ଅନ୍ୟଥା ଗୃହକର୍ତ୍ତାଙ୍କ ଉପରେ ଦୋଷ ଲାଗିଥାଏ। ଏହିପରି ସମସ୍ୟାର ସମାଧାନ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ କରିଲେ ଭଲ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
Advertisment
Advertisment