ନବୀନବାବୁ ଯେତେବେଳେ ରାଜ୍ୟ ମୁଖିଆଭାବେ ଦାୟିତ୍ୱ ନେଲେ; ରାଜ୍ୟବସୀ ଜଣେ ନବାଗତ ମୁଖ୍ୟମନ୍ତ୍ରୀ ଙ୍କୁ ପାଇଲେ ଆଉ ନୂଆ ସରକାର ଗଠନ ହେଲା, ସେତେବେଳେ ରାଜୁ ମଧ୍ୟ ତା’ର ନୂଆ ଜୀବନ ଆରମ୍ଭ କଲା। ଯୁକ୍ତ ୨ ପରେ ପାଠ ପଢାରୁ ସମ୍ପର୍କ ତୁଟାଇ ୨୦୦୦ ମସିହା ଗଣେଶପୂଜା ଦିନ ପାନ ଦୋକାନଟେ ଖୋଲିଲା। ସୈନିକ ସ୍କୁଲ୍ ଛକରେ କ୍ୟାବିନ୍ଟିଏ ପଡିଲା। ଫୁଲ ତୋରଣରେ ସଜେଇ ହେଲା କ୍ୟାବିନ୍।
ପୂଜାପୂଜି, ଭୋଗ ରାଗ, ପ୍ରସାଦ ସେବନ କୋଉଥିରେ ରାଜୁ ହେଳା କରି ନାହିଁ। ଆଜି ଛକଟି ଯେଭଳି ବଜାର ଭିଡ ଦେଖାଯାଉଛି, ଆଗରୁ କିନ୍ତୁ ସେମିତି ନଥିଲା। ଛକରେ ମାତ୍ର ଦି’ ଚାରିଟି କ୍ୟାବିନ୍ ପଡିଥିଲା। ରାତି ୯ ବାଜିଲେ ରାସ୍ତା ଶୂନ୍ଶାନ୍। ତଥାପି ରାଜୁ ପାନଦୋକାନର ଦୀପ ଦୂରରୁ ଦେଖାଯାଏ। ରାଜୁ ଦୋକାନ ଖୋଲିବାର ସମୟ ପୁରା ଫିକ୍ସ ରଖିଥିଲା। ସୂର୍ଯ୍ୟ ଉଦୟ ଆଗରୁ ପାନରେ ଚୁନ ବୋଳା ଆରମ୍ଭ ହେଉଥିଲା ଆଉ ରାତି ପ୍ରାୟ ୧୧ଟା ପରେ ବନ୍ଦ।
ହେଲେ କିଛି ଦିନ ପରେ ସବୁ ଠିକ୍ ଠାକ୍ ହେଇଗଲା! ଧିରେ ଧିରେ ଗ୍ରାହକ ବଢିଲେ; ବେପାର ମଧ୍ୟ ଭଲ ସ୍ଥିତିରେ ପହଞ୍ଚିଲା। ଏଥିରେ ଘରର ନିଅଣ୍ଟିଆ ଦୁର୍ବଳ ଆର୍ଥିକ ପରିସ୍ଥିତି ସୁଧୁରିବାରେ ଲାଗିଲା। ସାନଭଉଣୀ ବାହାଘର ସହିତ ରାଜୁ ନିଜେ ବାହାହେଲା ଆଉ ଘର ସଂସାର ଚଳାଇଲା। ବାପାଙ୍କ ଚିକିତ୍ସା ପାଇଁ ମଧ୍ୟ ଅନେକ ଧାର କରଜ କରି ସୁଝୁଛି।
Also Read
ଜୀବନର ପ୍ରତିଟି ବିପଦ ଆପଦ ଓ ସଙ୍କଟ ସମୟରେ ଦୋକାନ ଖଣ୍ଡିକ ରାଜୁ ପାଇଁ ସହାୟକ ହୋଇଆସିଛି। କେବଳ ନିଜ ପାଇଁ ନୁହେଁ, ବରଂ ସାମାଜିକ କାର୍ଯ୍ୟରେ ନିଃସ୍ୱାର୍ଥ ଭାବେ ସେ ମାନବିକତାର ପରୀକ୍ଷା ଦେଇଛି। ରାସ୍ତାରେ ଦୁର୍ଘଟଣା ଘଟିଲେ ଦୋକାନ ଭିତରୁ ଦୌଡି ଆସି ଲୋକଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଛି। ଅନେକ ଲୋକଙ୍କ ଜୀବନ ବଞ୍ଚାଇଛି। ଛକରେ କୌଣସି ଅଘଟଣ, ସମସ୍ୟା, ସଙ୍କଟ ଘଟିଲେ ରାଜୁକୁ ଖୋଜାପଡିବା ପୂର୍ବରୁ ସେ ହାଜର ହୋଇଛି।
ହେଲେ ଏମିତି ଏକ ଦିନ ଆସିଲା ଯେତେବେଳେ ରାଜୁ ପାଇଁ କେହି ମାନବିକତା ଦେଖାଇ ପାରିଲେ ନାହିଁ! ସକାଳେ ସରକାର ଦୋକାନ ଭାଙ୍ଗିବା ପାଇଁ ଆସିବା ଖବର ଶୁଣିବା କ୍ଷଣି ତା’ର ପାଦ ତଳୁ ସତେ ଯେମିତି ମାଟି ଖସିଯାଇଛି। ରାଜୁର ପିଲା ଛୁଆ ପରିବାର, ଘର ସଂସାର ଚଳାଇବାର ସଙ୍କଟରେ ଚତୁର୍ଦିଗ ଅନ୍ଧକାର ଖେଳିଗଲା। ନିଜ ଚିହ୍ନାଜଣା ଭିତରେ ଯେତେ ସବୁ ବାବୁମାନଙ୍କୁ ଜାଣିଛି, ସଭିଙ୍କୁ କାକୁତିମିନତୀ ହୋଇଛି।
ରାଜୁ ଆଖିରୁ ନିଦ ହଜିଯାଇଥିଲା, ରାତିରେ ଅଖିଆ ଅପିଆ ଶେଯରେ ପଡିରହି ସକାଳକୁ ଚାହିଁ ବସୁଥିଲା। ସବୁଦିନ ଭଳି ସେଦିନ ସୂରୁଜ ଉଇଁବା ବହୁ ଆଗରୁ ଦୋକାନରେ ପହଞ୍ଚି ଯାଇଥିଲା। ହେଲେ ଫରକ ଏତିକି ଯେ, ଦୋକାନ ଖୋଲି ଲୋକଙ୍କ ବରାଦିଆ ପାନ ଭାଙ୍ଗି ଥୋଇବା ବଦଳରେ କ୍ୟାବିନ୍ରୁ ଗୋଟି ଗୋଟି କରି ଜିନିଷ କାଢି ବାହାରେ ଆଣି ରଖୁଥିଲା।
ସେତେବେଳେ ବିଗତ ୨୨ ବର୍ଷର ସବୁ କଥା, ସବୁ ସ୍ମୃତି ଗୋଟି ଗୋଟି କରି ଅଚାନକ ରାଜୁ ଆଖି ଆଗରେ ଯେମିତି ଲହଡୀମାରୁଥିଲା। ସତେ ଯେମିତି କେହି ଜଣେ ଅତି ଆପଣା ଅନ୍ତରର ଜଣେ ଚାଲିଯାଉଛି ଆଉ ତାକୁ ଅନ୍ତିମ ବିଦାୟ ଦେବାକୁ ସେ ଆସିଛି।
ଶେଷରେ ରାଜୁ ପାଇଁ ସେହି ଦୁଃଖଦ ସମୟ ଆସି ପହଞ୍ଚିଲା! ଲମ୍ବା ଲମ୍ବା ଦୁଇ ତିନିଖଣ୍ଡ କାର୍ ଆସି ଦୋକାନ ପାଖରେ ଲାଗିଲା। ଗାଡିରୁ ବାବୁମାନେ ଓହ୍ଲାଇ ହାତ ଠାରି ଦୋକାନ ଆଡକୁ ଇସାରା କରିବା କ୍ଷଣି କ୍ୟାବିନ୍ ଆଡକୁ ମାଡିଯାଇଥିଲା ହାତୀଗାଡି(ବୁଲ୍ଡୋଜର୍)। ଆଖପାଖ ସବୁ ଦୋକାନ ନିମିଷକ ମଧ୍ୟରେ ମାଟିରେ ମିଶିଲା। ଘଟଣା ଦେଖିବାକୁ ଲୋକଙ୍କ ଭିଡ ଲାଗିଥାଏ। କିଏ ଫଟୋ ଉଠାଉଥାଏ ତ କିଏ ଭିଡିଓ କରୁଥାଏ। ହେଲେ ରାଜୁ ଖାଲି ବଲ ବଲ ହୋଇ ଚାହିଁ ରହିଥାଏ। ଆଖି ଆଗରେ ଚୁର୍ମାର୍ ହୋଇଯାଉଥିବା ନିଜ ସଂସାରକୁ ଦେଖି ଆଖିରୁ ଅପଣାଛାଏଁ ଲୁହ ବୋହି ଯାଉଥିଲା।
ଆଜି ରାଜ୍ୟର ସେହି ମୁଖିଆ ଅଛନ୍ତି, ତାଙ୍କ ଶାସନ କ୍ଷମତା ଆହୁରି ମଜଭୁତ ଓ ଶକ୍ତିଶାଳୀ ହୋଇଛି। ଦେଶ ବିଦେଶରେ ତାଙ୍କ ସ୍ୱନାମର ସ୍ୱର ଗୁଞ୍ଜରିତ ହେଉଛି। ହେଲେ ରାଜୁ କିନ୍ତୁ ନିଜ ଉଜୁଡା ସଂସାରକୁ ରକ୍ଷା କରିବାରେ ଅସମର୍ଥ ହେଲା। ଯେଉଁ ଜାଗାରେ ସେ କ୍ୟାବିନ୍ ପକାଇ ଘର ପରିବାର ଚଳାଉଥିଲା ଆଜି ସେଠାରେ ରଙ୍ଗ ବେରଙ୍ଗର ଚିତ୍ର, ‘ବର୍ଣ୍ଣବୋଧ’ର ଛବି ଅଙ୍କାଯାଇଛି।
ରାଜଧାନୀ ରେ ହକି ବିଶ୍ୱକପ୍ ହେବ। ଦେଶ ବିଦେଶରୁ ଲୋକେ ଆସି ବୁଲି ଦେଖିବେ। ସେଥିପାଇଁ ସଜେଇ ହେଉଛି ରାଜଧାନୀ। ଆଉ ଏଥିରେ ଉଜୁଡିଯାଇଛି ରାଜୁ ଭଳି ଅନେକ ଲୋକଙ୍କ ସଂସାର।
ଉଠାଦୋକାନୀମାନଙ୍କ ପାଇଁ କାମ କରୁଥିବା ଜଣେ ସାମାଜିକକର୍ମୀଙ୍କ ସୂଚନା ଅନୁସାରେ ସରକାର ହକି ବିଶ୍ୱକପ୍ ପାଇଁ ଭଙ୍ଗାଯାଇଥିବା ଦୋକାନରେ ପ୍ରାୟ ୩ ହଜାରରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ମଧ୍ୟ ସେ କହିଛନ୍ତି। ଏଥିପାଇଁ ଦୈନିକ ଆନ୍ଦୋଳନ, ବିକ୍ଷୋଭ, ସଭା ଶୋଭାଯାତ୍ରା ହେଉଛି।
ତେବେ ପ୍ରଶ୍ନ ହେଉଛି ସରକାର ସେମାନଙ୍କ ରୋଜଗାର, ଜିବୀକା ଛଡାଇନେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁ ନାହାଁନ୍ତି କି? ଏଠାରେ ମାନବିକତାର ଉଲଙ୍ଘନ ହେଉ ନାହିଁ କି? ଦୀର୍ଘ ବର୍ଷ ଧରି ଦୋକାନ କରି ଘର ଚଳାଉଥିବା ଲୋକେ କରିବେ କ’ଣ? ସେମାନଙ୍କୁ ଥଇଥାନ କରିବା ଦାୟିତ୍ୱ କାହାର? ଏଥିପ୍ରତି ସରକାର ଚିନ୍ତାଶୀଳ ହେବାର ଆବଶ୍ୟକତା ରହିଛି।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)