• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

ବାସ୍ତୁ ସିଦ୍ଧାନ୍ତରେ ଦିଗ ସହିତ ପଞ୍ଚମହାଭୂତର ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପଞ୍ଚମହାଭୂତ ହେଉଛି ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ । ଭୂଖଣ୍ଡର ପୂର୍ବଦିଗରେ ଅଗ୍ନି ଜଳ ତତ୍ତ୍ୱ ପଶ୍ଚିମ ଦିଗ ପୃଥିବୀ ବାୟୁତତ୍ତ୍ୱ, ଉତ୍ତର ଦିଗରେ ବାୟୁ-ଜଳ ତତ୍ତ୍ୱ ଓ ଦକ୍ଷିଣ ଦିଗରେ ଅଗ୍ନି ପୃଥିବୀ ତତ୍ତ୍ୱର ପ୍ରଭାବ ଥାଏ।

କୋଣକୁ ବିଚାର କଲେ ଅଗ୍ନି ବା ଦକ୍ଷିଣ-ପୂର୍ବ କୋଣରେ ଅଗ୍ନିତତ୍ତ୍ୱ, ନୈଋତ ବା ଦକ୍ଷିଣ-ପଶ୍ଚିମ କୋଣରେ ପୃଥିବୀ ତତ୍ତ୍ୱ, ଐଶାନ୍ୟ ବା ଉତ୍ତର-ପୂର୍ବ କୋଣରେ ଜଳ ତତ୍ତ୍ୱ, ବାୟୁ ବା ଉତ୍ତର- ପଶ୍ଚିମ କୋଣରେ ବାୟୁ ତତ୍ତ୍ୱର ପ୍ରଭାବ ଥାଏ ଏବଂ ଭୂମିର ମଧ୍ୟ ଭାଗରେ ଆକାଶ ତତ୍ତ୍ୱର ପ୍ରଭାବ ଥାଏ।

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଭୂମିରେ ଏବଂ ଗୃହରେ ଏହି ତତ୍ତ୍ୱମାନଙ୍କର ସନ୍ତୁଳନ ରହିଲେ ଗୃହବାସୀମାନେ ସୁଖରେ ଜୀବନ ନିର୍ବାହ କରନ୍ତି । ଗ୍ରହ ଓ ଦେବତାମାନଙ୍କର ପ୍ରଭାବକୁ ଦେଖିଲେ ପୂର୍ବଦିଗର ଅଧିପତି ଗ୍ରହ ସୂର୍ଯ୍ୟ ଓ ଦେବତା ଇନ୍ଦ୍ର । ପଶ୍ଚିମ ଦିଗର ଅଧିପତି ଗ୍ରହ ଶନି ଓ ଦେବତା ବରୁଣ। ଉତ୍ତର ଦିଗର ଅଧିପତି ଗ୍ରହ ବୁଧ ଓ ଦେବତା କୁବେର ଅଟନ୍ତି । ଦକ୍ଷିଣ ଦିଗର ଅଧିପତି ଗ୍ରହ ମଙ୍ଗଳ ଓ ଦେବତା ଯମ ।

ସେହିପରି ଅଗ୍ନିକୋଣର ଅଧିପତି ଗ୍ରହ ଶୁକ୍ର ଓ ଦେବତା ଅଗ୍ନି ନୈଋତ କୋଣର ଅଧିପତି ଗ୍ରହ ରାହୁ ଓ ଦେବତା ନୈଋତି । ବାୟୁକୋଣର ଅଧିପତି ଗ୍ରହ ଚନ୍ଦ୍ର ଓ ଦେବତା ବାୟୁ । ଐଶାନ୍ୟ କୋଣର ଅଧିପତି ଗ୍ରହ ବୃହଷ୍ପତ ଓ ଦେବତା ଶିବ।

ଯେତେବେଳେ ଭୂମିଟିଏ କ୍ରୟ କରି ବାସ୍ତୁସିଦ୍ଧାନ୍ତ ଅନୁଯାୟୀ ପାଚେରୀ ନିର୍ମାଣ କରି ଜାଗାଟିକୁ ଆବଦ୍ଧ କରି ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ ପାଚେରୀ ନିର୍ମାଣ କରି ଜାଗାଟିକୁ ଆବଦ୍ଧ କରିଥାଉ ସେତେବେଳେ ବାସ୍ତୁର ପ୍ରଭାବ ସେହି ସ୍ଥାନ ବା ଭୂଖଣ୍ଡ ଉପରେ ପଡ଼ିଥାଏ। ଏହି ଭୂଖଣ୍ଡ ଯେପରି ଆକାର ଥାଏ ସେହିପରି ପ୍ରଭାବ ଭୂମି ଉପରେ ପଡ଼ିଥାଏ ।

ସବୁବେଳ ଆୟତାକାର ଏବଂ ବର୍ଗାକାର ଭୂମି ସର୍ବଶ୍ରେଷ୍ଠ ହୋଇଥାଏ, କିନ୍ତୁ ବେଳେ ବେଳେ ଆମେ ଏହିପରି ଭୂଖଣ୍ଡ ବି ଦେଖିଥାଉ ଯାହା ବିଭିନ୍ନ ଦିଗ ଏବଂ କୋଣରେ ବିସ୍ତାର ବା ବୃଦ୍ଧି ହୋଇଥାଏ ନଚେତ୍ କମି ଯାଇଥାଏ।

ଏପରି ହେବା ଦ୍ୱାରା ଏହି ଭୂମିର ପଞ୍ଚତତ୍ତ୍ୱ ଉପରେ ବୃଦ୍ଧି ଏବଂ ହ୍ରାସର ପ୍ରଭାବ ପଡ଼ିବା ଦ୍ୱାରା ଭୂମିର ସକରାତ୍ମକ ଶକ୍ତି ସଂଚାର ହୋଇଥାଏ ନହେଲେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

ଭୂମି ଯଦି ଐଶାନ୍ୟ କୋଣକୁ ବିସ୍ତାର ହୋଇଥାଏ ତେବେ ଆମେ ଜାଣିବା ଏହା ପୂର୍ବ କିମ୍ବା ଉତ୍ତର କିମ୍ବା ଉଭୟ ପଟେ ଜାଗା ବଢିଯାଇଛି। ଏହି ଦିଗ ବା କୋଣକୁ ବଢ଼ିଥିଲେ ଯେହେତୁ ଏହି ଦିଗ ଏବଂ କୋଣରୁ ସକରାତ୍ମକ ଶକ୍ତିର ପ୍ରଭାବ ଆସିଥାଏ ଏବଂ ଏହି ଜାଗା ବଢ଼ିବାରୁ ସକରାତ୍ମକ ଶକ୍ତି ମଧ୍ୟ ବଢ଼ିଥାଏ। ଯାହାଦ୍ୱାରା ଆମକୁ ଶୁଭ ଫଳ ମିଳିଥାଏ।

ଯଦି ଅଗ୍ନିକୋଣକୁ ବିସ୍ତାର ହୋଇଥାଏ ତେବେ ଆମେ ଜାଣିବା ଯେ ଭୂଖଣ୍ଡର ପୂର୍ବ କିମ୍ବା ଦକ୍ଷିଣ କିମ୍ବା ଉଭୟ ଦିଗରେ ବଢ଼ି ଆଗ୍ନେୟ କୋଣରେ ବିସ୍ତାର ହୋଇଥାଏ। ଏହି ଦିଗ ଏବଂ କୋଣରେ ବିସ୍ତାର ହୋଇଥାଏ। ଏହି ଦିଗ ଏବଂ କୋଣରେ ବିସ୍ତାର ଦ୍ୱାରା ଅନେ ଅଶୁଭ ଫଳ ମିଳିଥାଏ।

ଏହିପରି ଭୂମିରେ ଘର କଲେ ଗୃହକର୍ତ୍ତା ଦିନକୁ ଦିନ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚିନ୍ତା ଓ ଭୟ ସବୁବେଳେ ମନକୁ ଗ୍ରାସ କରି ରଖିଥାଏ। ଯଦି ନୈଋତ କୋଣକୁ ବୃଦ୍ଧି ବା ବିସ୍ତାର ହୋଇଥାଏ ତେବେ ଏହି ଭୂଖଣ୍ଡରେ ଦକ୍ଷିଣ କିମ୍ବା ପଶ୍ଚିମ କିମ୍ବା ଉଭୟ ଦିଗରେ ବିସ୍ତାର ହୋଇଛି ବୋଲି ଜାଣିବା। ଏହିପରି ଭୂଖଣ୍ଡ ଅନେକ ଅଶୁଭ ଫଳ ହୋଇଥାଏ। ଏହିପରି ଭୂଖଣ୍ଡରେ ବସବାସ କଲେ ଆତ୍ମୀୟ ଓ ପଡ଼ୋଶୀମାନଙ୍କର ସହ ଭଲ ସମ୍ପର୍କ ରହେ ନାହିଁ।

ବାୟୁକୋଣ ବିସ୍ତାର ଭୂଖଣ୍ଡ କହିଲେ ଯେଉଁ ଭୂଖଣ୍ଡର ଉତ୍ତର କିମ୍ବା ପଶ୍ଚିମ କିମ୍ବା ଉଭୟ ଦିଗ ବୃଦ୍ଧି ହୋଇଛି। ଏହିପରି ଭୂମି ମଧ୍ୟ ଅଶୁଭ ଫଳ ପ୍ରଦାନ କରିଥାଏ । ଅସତ୍ ମାର୍ଗରେ ଧନ ଉପାର୍ଜନ ପାଇଁ ଗୃହବାସୀମାନେ ଚେଷ୍ଟିତ ଥାଆନ୍ତି। ପରିବାରରେ ମତାନ୍ତର ଏବଂ ମନାନ୍ତର ହୋଇଥାଏ।

ପ୍ରତିକାର:

ଉପରୋକ୍ତ ମତେ ଐଶାନ୍ୟ କୋଣ ବିସ୍ତାର ଭୂଖଣ୍ଡ ବ୍ୟତୀତ ଅନ୍ୟ କୋଣକୁ ବିସ୍ତାରିତ ଭୂମି ଅନେକ ଅଶୁଭ ଫଳ ପ୍ରଦାନ କରିଥାଏ। ଏଣୁ ଅଶୁଭ ପଟକୁ ବିସ୍ତାରିତ ସ୍ଥାନକୁ ବାଦ ଦେଇ ପାଚେରୀ କରି ଗୃହ କରିବେ। ବାଦ ଦେଇଥିବା ଭୂଖଣ୍ଡରେ ବୃକ୍ଷରୋପଣ କରିବା ଉଚିତ। ଏହି ବୃକ୍ଷ ସବୁ ବାସ୍ତୁ ସମ୍ମତ ହେବା ଦରକାର। ଯଦି ପାଚେରୀ ନିର୍ମାଣ କରି ହେଉ ନଥାଏ ତେବେ ବାସ୍ତୁବିତଙ୍କ ପରାମର୍ଶ ନେଇ ଭୂମିକୁ ସଂଶୋଧନ କରିବେ ତା’ପରେ ଗୃହ ନିର୍ମାଣ କରିବେ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)