• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପରେ ଖେଳିବନି ପାକିସ୍ତାନ ! ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍ ? ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ବୟାନ ପରେ ଏହି ପ୍ରଶ୍ନ ଏବେ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନର ଓହରିବା ନେଇ ଧମକ ଦେଇଛନ୍ତି ପାକିସ୍ତାନର କ୍ରୀଡାମନ୍ତ୍ରୀ । ସେ କହିଛନ୍ତି ଯେ, ଭାରତ ନ୍ୟୁଟ୍ରାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେ ସେହି ଦାବି କରିବ ।

ବିଶ୍ୱକପ୍ ପାଇଁ ଆଇସିସି ପକ୍ଷରୁ ଖେଳସୂଚୀ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଭାରତର ୪ଟି ସହରରେ ପାକିସ୍ତାନ ମୋଟ୍‌ ୮ଟି ମ୍ୟାଚ୍ ଖେଳିବ । ହେଲେ ଏବେ ବିଶ୍ୱକପରୁ ଓହରିବାକୁ ଧମକ ଦେଇଛନ୍ତି ପାକିସ୍ତାନର କ୍ରୀଡାମନ୍ତ୍ରୀ ।

ପାକିସ୍ତାନ କ୍ରୀଡାମନ୍ତ୍ରୀ ଏହସାନ୍ ମଜାରୀ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି , ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ୧୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏଥିରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ସମେତ ୧୧ ଜଣ ମନ୍ତ୍ରୀ ରହିଛନ୍ତି । ଏହି କମିଟି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ, ପାକିସ୍ତାନ ଭାରତ ଆସି କ୍ରିକେଟ୍ ଖେଳିବ କି ନାହିଁ ସେ ଉପରେ ନିଷ୍ପତ୍ତି ନେବ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ପଠାଇବା ପରେ ଯାଇ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବ କି ନାହିଁ, ସେ ନେଇ ଶେଷ ନିଷ୍ପତ୍ତି ନିଆଯିବ ।

ଏଥର ଏସିଆ କପ୍ ଆୟୋଜନ ପାଇଁ ପ୍ରଥମେ ପାକିସ୍ତାନକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ଭାରତ କିନ୍ତୁ ପାକିସ୍ତାନ ଯାଇ ମ୍ୟାଚ୍ ଖେଳିବାକୁ ସିଧା ସିଧା ମନା କରିଦେଇଥିଲା BCCI । ଏହାପରେ ଏସିଆ କପ୍ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏସିଆ କପରେ ନ୍ୟୁଟ୍ରାଲ ଭେନ୍ୟୁ କଥା ଉଠିବା ପରେ , ଏବେ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସି ବିଶ୍ୱକପ୍ ଖେଳିବାକୁ ମନା କରୁଛି । ଭାରତ ଯଦି ଏସିଆ କପ୍ ପାଇଁ ପାକିସ୍ତାନ ନଆସେ , ତେବେ ପାକିସ୍ତାନ ମଧ୍ୟ ଭାରତ ଆସିବାକୁ ମନା କରିଦେବ ବୋଲି ସୂଚନା ମିଳିଛି ।