Advertisment

ବସୁଧୈବ କୁଟୁମ୍ବକମ୍ ବନାମ ସଂଖ୍ୟାଲଘୁ-ସଂଖ୍ୟାଗରିଷ୍ଠ

ଇଂରେଜ ଅମଳରୁ ଆଜିଯାଏ ‘ସଂଖ୍ୟାଲଘୁ’ ଶଦ୍ଦକୁ ନେଇ ରାଜନୈତିକ ବିମର୍ଷ ଚାଲିଛି। ଏହି ଶଦ୍ଦଟି ରାଜନୀତି ଏପରିକି ସାମାଜିକ ସୌହାର୍ଦ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ସ୍ୱାଧୀନତା ପୂର୍ବରୁ କଂଗ୍ରେସକୁ ମଧ୍ୟ ଏହି ଶଦ୍ଦ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ସ୍ୱାଧୀନ ଭାରତରେ ଏହି ଶଦ୍ଦ ଧୃବୀକରଣର କାରଣ ପାଲଟିଛି।

author-image
Pramod Behera
ଅଦ୍ୟତନ ହୋଇଛି
political debate on the word 'minority'

political debate on the word 'minority'

ଇଂରେଜ ଶାସନକାଳ ଠାରୁ ଅଦ୍ୟାବଧି ଗୋଟିଏ ଶଦ୍ଦକୁ ନେଇ ରାଜନୈତିକ ବିମର୍ଷ ଚାଲିଛି। ଏହି ଶଦ୍ଦଟି ରାଜନୀତି ଏପରିକି ସାମାଜିକ ସୌହାର୍ଦ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଶଦ୍ଦଟି ହେଉଛି ସଂଖ୍ୟାଲଘୁ। ସ୍ୱାଧୀନତା ପୂର୍ବରୁ କଂଗ୍ରେସକୁ ମଧ୍ୟ ଏହି ଶଦ୍ଦ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ସ୍ୱାଧୀନ ଭାରତରେ ଏହି ଶଦ୍ଦ ଧୃବୀକରଣର କାରଣ ପାଲଟିଛି।

Advertisment

ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଅବଧାରଣା- ଧର୍ମନିରପେକ୍ଷ ଏବଂ ଉଦାର ଲୋକତନ୍ତ୍ର ମଧ୍ୟ ଏହି ସଂଖ୍ୟାଲଘୁ ଶଦ୍ଦ ଆଗରେ ବିବଶ ହୋଇପଡିଛି। ବିଡମ୍ବନା ହେଉଛି ଯେ ଯେଉଁ ଶଦ୍ଦର ପରିଭାଷା ସମ୍ବିଧାନରେ ଉଲ୍ଲେଖ କରାଯିବାର ଆବଶ୍ୟକତା ସମ୍ବିଧାନ ପ୍ରଣେତାମାନେ ହୃଦୟଙ୍ଗମ କରି ନଥିଲେ ସେହି ଶଦ୍ଦ ସାମ୍ବିଧାନିକତାର ଜଗୁଆଳି ସାଜିଛି।

ୟୁରୋପୀୟ (ପଶ୍ଚିମି) ଦେଶମାନଙ୍କରେ ସମ୍ବିଧାନ ଏବଂ ସମ୍ବିଧାନ ବାହାରେ ଥିବା ସଂସ୍ଥାମାନଙ୍କ ପାଇଁ ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ ଶଦ୍ଦ ସେମାନଙ୍କର ସାମାଜିକ-ଆଧ୍ୟାତ୍ମିକ ସଂଘର୍ଷରୁ ଉତ୍ପନ୍ନ ହୋଇଥିଲା। ଯଦିଓ ସେହି ସଂଘର୍ଷ ଏବେ ଇତିହାସ ପାଲଟିଯାଇଛି ତେବେ ବି ସଂଖ୍ୟାତ୍ମକତାର ମାନସିକତାରୁ ଉତ୍ପନ୍ନ ଆଧିପତ୍ୟବାଦୀ ପ୍ରବୃତି ସମାପ୍ତ ହୋଇନାହିଁ।

Advertisment

କ’ଣ ଭାରତୀୟ ସମାଜ ଏବଂ ଆଧ୍ୟାତ୍ମ୍ୟ ସେଇ ୟୁରୋପୀୟ ଗୁଣ-ଦୋଷକୁ ପ୍ରତିବିମ୍ବିତ କରୁଛି? ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। ଭାରତରେ ଥିବା ଅଣହିନ୍ଦୁ ଧର୍ମାବଲମ୍ବୀମାନେ ସାଧାରଣତଃ ନିଜକୁ ସଂଖ୍ୟାଲଘୁ ବୋଲି କହୁଛନ୍ତି। ଏହି ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସଂରକ୍ଷଣ ଏବେ ଭାରତର ଧର୍ମନିରପେକ୍ଷତାର ପରିଭାଷା ପାଲଟିଯାଇଛି।

ହିନ୍ଦୁଧର୍ମ ଆଧ୍ୟାତ୍ମିକ ଗଣତନ୍ତ୍ରର ମୂଳଦୁଆ ଉପରେ ଠିଆ ହୋଇଛି। ପ୍ରଶ୍ନ ଏବଂ ପ୍ରତିକାରର ବୁନିଆଦ ଉପରେ ହିଁ ହିନ୍ଦୁ ଦର୍ଶନ ଏବଂ ଜୀବନ ମୂଲ୍ୟ ବିକଶିତ ହୋଇଛି। ପ୍ରଶ୍ନ ଏବଂ ପ୍ରତିକାର ଅସହିଷ୍ଣୁତା ନୁହେଁ। ଏହା ହିନ୍ଦୁ ଜୀବନଶୈଳୀ ଏବଂ ଦର୍ଶନର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୈଶିଷ୍ଟ୍ୟ, ଯାହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ କି ତର୍କ ଦ୍ୱାରା ଏ କଥାକୁ ଖଣ୍ଡନ କରାଯାଇ ପାରିବ ନାହିଁ।

ଉପନିଷଦର ଦୁଇଟି ଶଦ୍ଦ “ନେତି ନେତି” (ଏହା ନୁହେଁ, ତାହା ମଧ୍ୟ ନୁହେଁ) ଏହି ପ୍ରବୃତିର ସୂତ୍ର ବାକ୍ୟ ଅଟେ। ସର୍ବୋପରି ଏହା ହିଁ ହେଉଛି ଆଧ୍ୟାତ୍ମିକ ଗଣତନ୍ତ୍ର ଯେଉଁଥିରେ ସଂଖ୍ୟା ନୁହେଁ ଗୁଣ-ଦୋଷ ଦର୍ଶାଇବା ଏବଂ ସଂପ୍ରଦାୟର ଅସ୍ତିତ୍ୱ କଥା ରହିଛି। ଏହି ସ୍ୱାଭାବିକ ଅସୀମିତତା ପାଇଁ ସବୁ ସ୍ତରରେ ବିବିଧତା ଦୃଷ୍ଟିଗୋଚର ହୋଇଥାଏ।

ଏଇଥିପାଇଁ ହିନ୍ଦୁ କେବେ ବି ନିଜକୁ ସଂଖ୍ୟାଗରିଷ୍ଠ ବୋଲି କୁହେ ନାହିଁ। ହିନ୍ଦୁ ସଂସ୍କୃତିରେ “ବସୁଧୈବ କୁଟୁମ୍ବକମ୍”ର ଆଦର୍ଶ କଥା ରହିଛି। ଭାରତୀୟ ସମାଜରେ ବିବିଧତା ଥିବାବେଳେ ଓ “ବସୁଧୈବ କୁଟୁମ୍ବକମ୍” କଥା କୁହାଯାଉଥିବା ବେଳେ ସଂଖ୍ୟାଲଘୁ ଶଦ୍ଦ ଅପ୍ରାସଙ୍ଗିକ ନୁହେଁ କି? କିନ୍ତୁ ଏହି ଶଦ୍ଦ ଏବେ ଅଧିକ ଗୁରୁତ୍ୱପୁର୍ଣ୍ଣ ପାଲଟିଛି। ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଧର୍ମର ମୂଳ ଚରିତ୍ର ଉପରେ ବିମର୍ଶ କରିବାକୁ ସମସ୍ତେ ଡରୁଛନ୍ତି।

୧୮୮୫ରେ ଯେତେବେଳେ କଂଗ୍ରେସର ସ୍ଥାପନା କରାଗଲା ସେତେବେଳେ ସମୁଦାୟ ୭୨ ପ୍ରତିନିଧିଙ୍କ ମଧ୍ୟରୁ ୫୯ ହିନ୍ଦୁ ଥିଲେ। ଖ୍ରୀଷ୍ଟିଆନ ଏବଂ ଇସଲାମ ଧର୍ମର ଦୁଇ ଦୁଇ ଜଣ ପ୍ରତିନିଧି ଥିଲେ, କିନ୍ତୁ ଦେଶରେ ସଂଖ୍ୟା ଦୃଷ୍ଟିରୁ କମ୍ ଥିବା ପାର୍ସିମାନଙ୍କ ମଧ୍ୟରୁ ୯ଜଣ କଂଗ୍ରେସର ପ୍ରତିନିଧି ଥିଲେ। ଏହି କ୍ରମ କିଛି ଅବଧି ପର୍ଯ୍ୟନ୍ତ ଚାଲିଥିଲା।

୧୯୦୪ରେ କଂଗ୍ରେସର ଅଧିବେଶନରେ ମୁସଲିମ ପ୍ରତିନିଧି ୨୫ ଥିବାବେଳେ ପାର୍ସି ପ୍ରତିନିଧି ୬୫ ଥିଲେ । ୧୯୦୭ରେ ମୁସଲିମ ଓ ପାର୍ସି ପ୍ରତିନିଧିଙ୍କ ସଂଖ୍ୟା କ୍ରମଶଃ ୧୦ ଏବଂ ୨୦ ଥିଲା । ପାର୍ସିମାନଙ୍କ ଜନସଂଖ୍ୟା ୧୯୩୧ର ଜନଗଣନାରେ ମାତ୍ର ୧ଲକ୍ଷ ୯ହଜାର ଥିଲା। କିନ୍ତୁ ଅସ୍ତିତ୍ୱ ସଙ୍କଟକୁ ନେଇ କେବେ ସେମାନେ ଆଶଙ୍କା ପ୍ରକାଶ କରିନାହାଁନ୍ତି । ଏଇଥିପାଇଁ ସେମାନେ ସଂଖ୍ୟାଲଘୁ ହୋଇ ମଧ୍ୟ ସଂଖ୍ୟାଲଘୁ ହୋଇ ରହି ନାହାଁନ୍ତି।

କଂଗ୍ରେସ ଆରମ୍ଭ ହେବା ପରଠାରୁ ୬ଜଣ ଅଧ୍ୟକ୍ଷ ଡବ୍ଲ୍ୟୁସି ବାନାର୍ଜୀ (ଖ୍ରୀଷ୍ଟିଆନ), ଦାଦାଭାଇ ନାରୋଜୀ (ପାର୍ସି), ବଦ୍‌ରୁଦ୍ଦିନ ତେୟବଦି (ମୁସଲମାନ), ଜର୍ଜ ୟୁଲେ ଏବଂ ବେଡେନ ବର୍ଣ୍ଣ (ଉଭୟେ ୟୁରୋପୀୟ) ଏବଂ ୧୮୯୦ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ଫିରୋଜ ଶାହ ମେହେଟା ପାର୍ସି ଥିଲେ। କିନ୍ତୁ ଯଦିଓ ସେତେବେଳେ ବି ଦେଶରେ ହିନ୍ଦୁ ବହୁସଂଖ୍ୟକ ଥିଲେ ତେବେ ବି କେହି ଏମାନଙ୍କୁ ଅଧ୍ୟକ୍ଷ ହେବା ପାଇଁ ବିରୋଧ କରିନାହାଁନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସଂଖ୍ୟାଲଘୁ ଶଦ୍ଦ କଂଗ୍ରେସକୁ ଚାପଗ୍ରସ୍ତ କରିଦେଇଥିଲା।

୧୯୩୭ରେ ଯେତେବେଳେ ପ୍ରାନ୍ତୀୟ (ଆଞ୍ଚଳିକ) ସରକାର ଗଠନ ହେଲା ସେତେବେଳେ ମୁସଲିମ ଲିଗ୍ ପୀରପୁର କମିଟି ରିପୋର୍ଟ ଜାରି କରିଥିଲା। ମୁସଲିମ୍ ଲିଗ୍ ମହାତ୍ମାଗାନ୍ଧୀଙ୍କ ଫଟୋ ଲଗାଇବା ଏବଂ ତ୍ରୀରଙ୍ଗା ଉଡାଇବାକୁ ହିନ୍ଦୁ ଫାସିବାଦର ଆଖ୍ୟା ଦେଇଥିଲା। ଏତିକିରେ ମଧ୍ୟ ମୁସଲିମ୍ ଲିଗ୍‌ର କାର୍ଯ୍ୟ ସୀମିତ ନଥିଲା। କମଲୟର ଜଙ୍ଗ ରିପୋର୍ଟ ଏବଂ ଶରିଫ୍ ରିପୋର୍ଟରେ ଏ କଥା କହି ମୁସଲିମ୍ ଲିଗ୍ କଂଗ୍ରେସ ଉପରେ ଚାପ ପକାଇଥିଲା।

୧୮୮୫ରୁ ୧୯୪୭ ମଧ୍ୟରେ ନିଜକୁ ସଂଖ୍ୟାଲଘୁଙ୍କ ହିତୈଷି ସାବ୍ୟସ୍ତ କରିବା ପାଇଁ କଂଗ୍ରେସ ପାଖାପାଖି ୩୨୩ ପ୍ରସ୍ତାବ ଗୃହୀତ କରାଇଛି ହେଲେ ସବୁ ନିରର୍ଥକ ସାବ୍ୟସ୍ତ ହୋଇଛି। ଏଇଥିପାଇଁ ସମ୍ବିଧାନ ସଭାରେ ବିହାରର ମୁସଲିମ୍ ଲିଗ୍ ନେତା ତଜାମୁଲ ହୁସେନ୍ ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ ଶଦ୍ଦ ବ୍ରିଟେନରୁ ସୃଷ୍ଟି ବୋଲି କହିଥିଲେ ଓ ମାତ୍ର ସଂଖ୍ୟାର ଆଧାରରେ କେହି ସଂଖ୍ୟାଲଘୁ ବା ସଂଖ୍ୟାଗରିଷ୍ଠ ହୋଇପାରିବ ନାହିଁ ବୋଲି ଯୁକ୍ତି କରିଥିଲେ।

ତଜାମୁଲ ହୁସେନ ସମ୍ବିଧାନ ସଭାରେ ଦେଇଥିବା ତାଙ୍କ ଭାଷଣରେ ଏ ଦୁଇ ଶଦ୍ଦକୁ ଶଦ୍ଦକୋଷରୁ ବାହାର କରିଦେବା ପାଇଁ ମଧ୍ୟ କହିଥିଲେ। କିନ୍ତୁ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନଥିଲେ । ସୋସାଲିଷ୍ଟ୍‌ ନେତା ଦେବି କୃପାଳିନୀ “ମଡର୍ଣ୍ଣଟି ଇନ୍ ଇଣ୍ଡିଆ” ନାମକ ଏକ ପୁସ୍ତକ ଲେଖିଛନ୍ତି। ଉକ୍ତ ପୁସ୍ତକରେ କୃପାଳିନୀ ଉଲ୍ଲେଖ କରିଛନ୍ତି ଯେ ବେଦ, ପୁରାଣ, ରାମାୟଣ, ମହାଭାରତ, ଉପନିଷଦ ହେଉଛି ଭାରତର ବୁନିଆଦୀ ଢାଞ୍ଚା। କିନ୍ତୁ ଭାରତର ଅଣ-ହିନ୍ଦୁମାନେ ଏକଥାକୁ ମାନିବାକୁ ନାରାଜ।

ସେମାନେ ପରିବର୍ତ୍ତନ କଥା ଚାହୁଁ ନାହାଁନ୍ତି। ମୋଗଲ ଶାସକ ଦାରା ଶିକୋହ ଉପନିଷଦର ଅନୁବାଦ କରାଇଥିଲେ। କିନ୍ତୁ ମୁସଲିମ ସଂପ୍ରଦାୟ ତାକୁ ମଧ୍ୟ ଗ୍ରହଣ କରିବାକୁ ନାରାଜ।

ଭାରତରେ ଯେଉଁ ବିମର୍ଶ ଚାଲିଛି ତାକୁ ସଂଖ୍ୟାତ୍ମକ କଥାରୁ ଅଲଗା ରଖାଯିବା ଉଚିତ। ସଂଖ୍ୟାଲଘୁ –ସଂଖ୍ୟାଗରିଷ୍ଠ ଶଦ୍ଦ ମନୋବୈଜ୍ଞାନିକ ବିଭାଜନକୁ ଜନ୍ମ ଦେଉଛି। ସଂଖ୍ୟାଲଘୁ ଅବଧାରଣା ଜାତିୟତାବୋଧକୁ ସମାପ୍ତ କରିଦେଇଥାଏ। ଜାତୀୟତାବୋଧ ପର-ଆପଣାବୋଧକୁ ଦୂରେଇ ଦେଇଥାଏ।

ଯେଉଁଠି ଜାତୀୟତାବାଦ ରହିଛି ସେଠାରେ ସାଂପ୍ରଦାୟିକତା ତିଷ୍ଠି ରହି ପାରିବ ନାହିଁ। ଧର୍ମନିରପେକ୍ଷତାର ଆଧାରରେ ଦେଶରେ ଶିକ୍ଷା ବ୍ୟବସ୍ଥା ଚାଲିବା କଥା କିନ୍ତୁ ସଂଖ୍ୟାଲଘୁ ଶଦ୍ଦ ଏଥିରେ ବାଧକ ସାଜୁଛି। ଯେତେବେଳେ ସମାନ ଶିକ୍ଷା ବ୍ୟବସ୍ଥା କଥା କୁହାଯାଉଛି ସେତେବେଳେ ଏହାକୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୋଲି କୁହାଯାଇ ବିରୋଧ କରାଯାଉଛି।

୧୯୫୭ରେ କେରଳର ନମ୍ବୁଦ୍ରିପାଦ ସରକାରକୁ ଏହାର ଫଳ ଭୋଗିବାକୁ ପଡିଥିଲା। ଯେତେବେଳେ କେରଳରେ ସମାନ ଶିକ୍ଷା ବ୍ୟବସ୍ଥା କଥା ନମ୍ବୁଦ୍ରିପାଦ ସରକାର କହିଲେ ସେତେବେଳେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଏହାକୁ ବିରୋଧ କରିଥିଲେ।

ସଂଖ୍ୟାଲଘୁ ଶଦ୍ଦ ଅନ୍ୟମାନଙ୍କଠାରୁ ଭିନ୍ନ ବା ସ୍ୱତନ୍ତ୍ର ରହିବାର ମାନସିକତାକୁ ଜନ୍ମ ଦେଇଥାଏ। କିନ୍ତୁ ପାର୍ସିମାନେ ଏହାର ଉର୍ଦ୍ଧ୍ୱରେ। ଏମାନଙ୍କ ସଂଖ୍ୟା କମ୍ ହେଲେବି ଦେଶ ଓ ସମାଜ ପାଇଁ ଏମାନଙ୍କ ଯୋଗଦାନ ଅଧିକ। ସଂଖ୍ୟାଲଘୁ-ସଂଖ୍ୟାଗରିଷ୍ଠ ଶଦ୍ଦ ଜଟିଳତାର ମାୟାଜାଲ ସୃଷ୍ଟିକରେ ଯାହା ରାଷ୍ଟ୍ରୀୟ ଜୀବନ ଉପରେ ପ୍ରଭାବ ପକାଇଥାଏ।

ସମ୍ବିଧାନ ସଭାରେ ଏ ଦୁଇ ଶଦ୍ଦକୁ ନେଇ ଯେତିକି ଚର୍ଚ୍ଚା ବା ବିମର୍ଶ ହୋଇଥିଲା ସେଭଳି ଚର୍ଚ୍ଚା ବା ବିମର୍ଶ ଆଉ କେବେ ହୋଇ ନାହିଁ। ଏ ଦୁଇ ଶଦ୍ଦ ଉପରେ ସବୁ ରାଜନୈତିକ ଦଳ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆଲୋଚନା କରିବା ଆବଶ୍ୟକ। ରାଷ୍ଟ୍ରୀୟ ଜୀବନ ପାଇଁ ଏ ଦୁଇ ଶଦ୍ଦର ବିଲୋପ ଜରୁରୀ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: [email protected]

Minority Religion
Advertisment
Advertisment