ଓଡିଶାରେ 'ତୃତୀୟ ଶକ୍ତି'ର ଆବିର୍ଭାବ ହେବା ଖବର ୨୦୨୩ ନୂଆବର୍ଷ ଆରମ୍ଭରୁ ଶୁଣିବାକୁ ମିଳିଥିଲା। ରାଜ୍ୟର କିଛି ନେତୃତ୍ୱ ପଡୋଶୀ ତେଲେଙ୍ଗାନାରେ ଏକତ୍ରୀତ ହେବା ପରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ଭାରତ ରାଷ୍ଟ୍ରୀୟ ସମିତି (ବିଆର୍ଏସ୍) ବ୍ୟାନରରେ ଓଡିଶାର କିଛି ବରିଷ୍ଠ ନେତା ଓ ସଂଗଠକ ଏକାଠି ହୋଇଛନ୍ତି।
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡିଶା ର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍ଏସ୍କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ଗୋଟିଏ ପଟେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ଟକ୍କର ଦେବା ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ‘କେନ୍ଦ୍ର ଶକ୍ତି’କୁ ଧରି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି। ‘ଭାରତ ଯୋଡୋ ଯାତ୍ରା’, ‘ହାତ୍ ସେ ହାତ୍ ଯୋଡୋ’ ଅଭିଯାନକୁ ଆଧାରକରି କଂଗ୍ରେସ ମଧ୍ୟ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଚଲାଇଛି।
ସେହିଭଳି ଅନ୍ୟାନ୍ୟ ଦଳମାନେ ନିର୍ବାଚନୀ ରଣନୀତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ 'ତୃତୀୟ ଶକ୍ତି'ର ଏଣ୍ଟ୍ରୀ ଓଡିଶା ରାଜନୈତିକ ପାଣିପାଗକୁ ବିଗାଡି ଦେଇଛି! ବିଭିନ୍ନ ଦଳରେ ଉପୁଜିଥିବା ଦଳୀୟ କନ୍ଦଳ ଓ କର୍ମୀ ଅସନ୍ତୋଷ ଏହାକୁ ସୁହାଇବ। ବିଜେଡି ଶାସନ ସମୟରେ ଅନେକ ଆଂଚଳିକ ଓ ବାହାର ଦଳ ଓଡ଼ିଶା ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ: ବିଜେପି କରୁଥିଲା ଅଣଦେଖା ! ଏବେ BRSରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ...
Also Read
କେବଳ ୨୦୧୪ ନିର୍ବାଚନରେ ପ୍ରାୟ ଅଧଡଜନ ନବାଗତ ଦଳ ରଣାଙ୍ଗନାକୁ ଓହ୍ଲାଇଥିଲେ। ହେଲେ କାହାକୁ ବି ବିଶେଷ ସଫଳତା ମିଳିପାରି ନାହିଁ। ଏହି ସମୟରେ ଖଣି, ଚିଟ୍ଫଣ୍ଡ, ଚାଷୀ, ବେକାରୀ ଆଦି ପ୍ରମୁଖ ପ୍ରସଙ୍ଗରେ ଜନଅସନ୍ତୋଷ ଥିବା ସତ୍ୱେ ନବ ଦଳଗୁଡ଼ିକ ଏହାର ଫାଇଦା ଉଠାଇ ପାରି ନଥିଲେ। ଓଲଟି ବିପକ୍ଷକୁ ମାତ ଦେଇ ଆଗଠାରୁ ଅଧିକ ଆସନରେ ଶାସକ ବିଜେଡି ବିଜୟ ଲାଭ କରିଥିଲା।
୨୬ ଡିସେମ୍ବର ୧୯୯୭ରେ ଓଡିଶା ମାଟିରେ ବୁଣାଯାଇଥିବା ବିଜେଡିର ବୀଜ ଏବେ ମହାଦ୍ରୁମର ରୂପ ଧାରଣ କରିଛି! ଦୀର୍ଘ ପାଞ୍ଚ ପାଳି ଧରି ଲଗାତାର ଶାସନ କ୍ଷମତାରେ ରହି ଆସିଥିବା ଏହି ମହାଦ୍ରୁମକୁ ଦୋହଲାଇବାକୁ ଅନେକ ରାଜନୈତିକ ଶକ୍ତି ପ୍ରୟାସ କରି ବିଫଳ ହୋଇଛନ୍ତି।
ନବୀନ ପଟ୍ଟନୟକଙ୍କ ୨୩ ବର୍ଷର ଶାସନ କଳ ମଧ୍ୟରେ ଓଡିଶାରେ ଅନେକ ଆଂଚଳିକ ଦଳ ସୃଷ୍ଟି ହୋଇଛି। କିଛି ବାହାର ଦଳ ଓଡିଶାରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ହେଲେ ସଫଳତାକୁ ସ୍ୱର୍ଶ କରିପାରି ନାହାଁନ୍ତି। ବିଜେଡି ପ୍ରତିଷ୍ଠା ହେବା ପରେ ପରେ ପ୍ରଥମ ଆଂଚଳିକ ଦଳ ଭାବେ ଓଡିଶା ଗଣ ପରିଷଦ (ଓଜିପି) ଗଠନ ହୋଇଥିଲା।
ବିଜୁ ପଟ୍ଟନାୟକଙ୍କ କ୍ୟବିନେଟ୍ରେ ମନ୍ତ୍ରୀ ଥିବା, ୧୯୮୦ରୁ ୧୯୯୫ ପର୍ଯ୍ୟନ୍ତ ୪ ଥର ପାଟକୁରା ଆସନରୁ ବିଜୟ ଲାଭ କରିଥିବା; ସେହି ସମୟର ପାୱାରଫୁଲ ନେତା ବିଜୟ ମହାପାତ୍ର ବିଜେଡିରୁ ବାହାରି ୨୯ ଅକ୍ଟୋବର ୨୦୦୦ରେ ଓଜିପି ଗଠନ କରି ଥିଲେ। ୨୦୦୪ ନିର୍ବାଚନରେ କଂଗ୍ରେସ ସାହଯୋଗରେ ଓଜିପି ୪ ଜଣ ପ୍ରାର୍ଥୀଙ୍କୁ ଠିଆ କରିଥିଲା, ଯେଉଁଥିରୁ ୨ ଜଣ ଜିତିଥିଲେ।
ବାଲେଶ୍ୱରରୁ ଅରୁଣ ଦେ ଏବଂ କେନ୍ଦ୍ରାପଡାରୁ ଉତ୍କଳ କେଶରୀ ପରିଡା ବିଜୟ ଲାଭ କରିଥିଲେ। ଏହାପରେ ଦଳ ଓଡିଶା ଛାତ୍ର ପରିଷଦ ଗଠନ କଲା। ଓଜିପି ୨୦୦୭ରେ ଶତରଦ ପୱାରଙ୍କ ଦଳ ଏନ୍ସିପି ସହିତ ମେଣ୍ଟ କଲା ଏବଂ ପରେ ବିଜୟ ବିଜେପିରେ ଯୋଗଦେଲେ।
ବିଜେଡି ଗଠନ ପରେ ଓଡିଶାରେ ଏନ୍ସିପି ପ୍ରବେଶ କରିଥିଲା। ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏନ୍ସିପିରୁ ୨୦୦୦ ମସିହା ନିର୍ବାଚନରେ ୩୩ ଜଣ ପ୍ରାର୍ଥୀ ଲଢିଥିଲେ, କିନ୍ତୁ କେହି ନିର୍ବାଚିତ ହୋଇପାରି ନଥିଲେ। ପରବର୍ତ୍ତୀ ସମୟରେ ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ନେତୃତ୍ୱରେ ଦଳ ୨୦୦୯ରେ ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା ଯେଉଁଥିରୁ ୪ଜଣ ଜିତିଥିଲେ।
ଇତିମଧ୍ୟରେ ରାଜ୍ୟରେ ମୁଣ୍ଡ ଟେକିଥିଲା ଆଉ ଏକ ଆଂଚଳିକ ଦଳ ‘ସମୃଦ୍ଧ ଓଡିଶା’। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଜତୀନ ମହାନ୍ତି ୨୦୦୭ ଅଗଷ୍ଟରେ ସମୃଦ୍ଧ ଓଡିଶା ଗଠନ କଲେ। ରାଜ୍ୟରେ ଗରିବୀ, ପଛୁଆବର୍ଗ, କୃଷି, ଜଙ୍ଗଲ, ଜମି ସମେତ ମହିଳାଙ୍କ ପାଇଁ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ଏବଂ ଖଣିରୁ ୫୦ ପ୍ରତିଶତ ଲାଭ ଆଦି ପ୍ରମୁଖ ପ୍ରସଙ୍ଗରେ ଦଳ ୨୦୦୯ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ହେଲେ ସଫଳତା ପାଇପାରିଲା ନାହିଁ। ଏହା ପରେ ଲଗାତର ୨୦୧୪, ୨୦୧୯ ନିର୍ବାଚନରେ ସମୃଦ୍ଧ ଓଡିଶା ନିଜ ଉପସ୍ଥିତି ଜାହିର କରିଆସିଛି।
ଶାସକ ବିଜେଡିକୁ ଟକ୍କର ଦେବା ପାଇଁ ବିପକ୍ଷ ଦଳମାନଙ୍କ ପାଖରେ ସବୁଠାରୁ ବଡ ସୁଯୋଗ ଆଣିଥିଲା ୨୦୧୪ ନିର୍ବାଚନ। ଏହି ନିର୍ବାଚନରେ ବିରୋଧୀମାନଙ୍କ ପାଇଁ ମୁଖ୍ୟ ଅସ୍ତ୍ର ଥିଲା ଖଣି ଓ ଚିଟ୍ପଣ୍ଡ୍ ଦୁର୍ନୀତି ଥିଲା। ଏହି ସମୟରେ ତିନୋଟି ଆଂଚଳିକ ଦଳ ଗଠନ ହୋଇଥିଲା।
ବରିଷ୍ଠ ରାଜନେତା ସୌମ୍ୟ ପଟ୍ଟନାୟକଙ୍କ ‘ଆମ ଓଡିଶା ପାର୍ଟି’, ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ‘ଓଡିଶା ଜନ ମୋର୍ଚ୍ଚା’ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ‘ସମତା କ୍ରାନ୍ତି ଦଳ’ ୨୦୧୪ ନିର୍ବାଚନରେ ଓହ୍ଲାଇଥିଲା।
ଏହି ସମୟରେ ଆମ୍ ଆଦମୀ ପାର୍ଟି (ଆପ୍) ଓ ତୃଣମୂଳ କଂଗ୍ରେସ (ଟିଏମ୍ସି) ମଧ୍ୟ ଓଡିଶା ରାଜନୀତିରେ ପ୍ରବେଶ କରିଥିଲା। ଆପ୍ ଦିଲ୍ଲୀ ଦଖଲ କଲା ପରେ ଓଡିଶାରେ କେଜରିୱାଲ ହାୱା ଅନେକଙ୍କୁ ଉତ୍ସାହିତ କରିଥିଲା।
୨୦୧୪ ନିର୍ବାଚନରେ ଆପ୍ ଓଡିଶାରେ ୧୦୬ଟି ବିଧାନସଭା ଏବଂ ୧୮ଟି ଲୋକସଭା ଆସନରେ ଲଢିଥିଲା। ସେହିଭଳି ଟିଏମ୍ସି ୫ଟି ଲୋକସଭା ଓ ୨୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା। ତେବେ ଏହି ସମସ୍ତ ଆଂଚଳିକ ଓ ବାହାର ଦଳ ମଧ୍ୟରୁ କାହାକୁ ମଧ୍ୟ ସଫଳତା ମିଳି ନଥିଲା। କେବଳ ସମତା କ୍ରାନ୍ତି ଦଳ ଏକମାତ୍ର ଆସନ (ବୀରମିତ୍ରପୂର)ରେ ବିଜୟ ଲାଭ କରିଥିଲା ଏବଂ ଆଦିବାସୀ ନେତା ଜର୍ଜ ତିର୍କୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଗଣ୍ଡା ଗଣ୍ଡା ପ୍ରସଙ୍ଗ ଓ ଜନ ଅସନ୍ତୋଷ ସତ୍ୱେ; ସମସ୍ତ ନବାଗତ ଦଳଗୁଡିକର ସବୁ ଉଦ୍ୟମ ଫେଲ୍ ମାରିଲା। ୨୦୦୯ ନିର୍ବାଚନରେ ୧୦୩ ବିଧାନସଭା ଆସନ ଜିତିଥିବା ଶାସକ ବିଜେଡି ୨୦୧୪ରେ ୧୧୭ ଅଧିକ ଆଜନରେ ବିପୁଳ ବିଜୟ ହାସନ କରି ପୁନଃ କ୍ଷମତାକୁ ଆସିଲା।
କୁହାଯାଏ, ବିଜେଡି ପ୍ରତି ଥର ଅଧିକରରୁ ଅଧିକ ଆସନ ଜିତିବାର ଯେଉଁ ସବୁ ଫର୍ମୁଲା ରହିଛି ସେଥିମଧ୍ୟରୁ ଅନ୍ୟତମ ବିଶେଷତ୍ୱ ହେଉଛି, ଦଳ ଗୋଟିଏ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ହିଁ ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥାଏ।
୨୦୧୪ ପରେ ଏବେ ୨୦୨୪ ନିର୍ବାଚନ ପାଇଁ ଦୀର୍ଘ ୧୦ ବର୍ଷ ପରେ ବିଆର୍ଏସ୍ ଓଡିଶାରେ ରାଜନୈତିକ ବିକଳ୍ପ ଭାବରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ତେଲେଙ୍ଗାନା ଆନ୍ଦୋଳନର ମୁଖ୍ୟ କେ. ଚନ୍ଦ୍ରଶେଷର ରାଓ ପ୍ରଥମ ସରକାର ୨୦୧୪ରେ ଏଠାକାରେ ସରକାର ଗଢିଲେ। କେସିଆର୍ଙ୍କ ବିକାଶ ଓ ବ୍ୟବସ୍ଥାର ମଡେଲ୍କୁ ତେଲେଙ୍ଗାନାବାସୀ ପସନ୍ଦ କରି ପୁନଃ ୨୦୧୮ ନିର୍ବାଚନରେ ତାଙ୍କୁ କ୍ଷମତା ପ୍ରଦାନ କଲେ।
୨୦୧୪ରେ ତେଲେଙ୍ଗାନାର ମୋଟ ୧୧୯ଟି ବିଧାନସଭା ଆସନ ମଧ୍ୟରୁ ଟିଆର୍ଏସ୍ (ତେଲେଙ୍ଗାନା ରାଷ୍ଟ୍ର ସମିତି) ୬୩ ଆସନ ପାଇଥିବାବେଳେ ୨୦୧୮ ନିର୍ବାଚନରେ ସର୍ବାଧିକ ୮୮ ଆସନ ଅକ୍ତିଆର କରି ଇତିହାସ ସୃଷ୍ଟି କଲା। ଆରୋଗ୍ୟ ଲକ୍ଷ୍ମୀ ଯୋଜନା, ଗରିବଙ୍କ ପାଇଁ ମାଗଣା ଡବଲ ବେଡ୍ରୁମ୍ ହାଉସିଂ ଯୋଜନା, ଦଳିତଙ୍କୁ ୩ ଏକର ଜମି, ୨୧ ଜିଲ୍ଲାରେ ୨୧ଟି ସୁପର୍ ସ୍ପେସିଆଲିଟି ହସ୍ପିଟାଲ୍, ପ୍ରତି ନିର୍ବାଚନମଣ୍ଡଳୀରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପ୍ରମୁଖ ଯୋଜନାକୁ ନେଇ କେସିଆର୍ ଚର୍ଚ୍ଚାରେ ଅଛନ୍ତି।
ଟିଆର୍ଏସ୍ ୨୦୨୨ ବିଜୟାଦଶମୀରେ ବିଆର୍ଏସ୍ ଜାତୀୟ ଦଳ ଘୋଷଣା ହେବା ପରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ୨୦୨୪ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଆନ୍ଧ୍ରରେ କିଛି ମନ୍ତ୍ରୀ ଓ ଅବସରପ୍ରାପ୍ତ ଆଇଏଏସ୍ ପ୍ରଥମ କର୍ଯ୍ୟାୟରେ କେସିଆର୍ଙ୍କ ବିଆର୍ଏସ୍ ଟିମ୍ରେ ସାମିଲ ହୋଇଛନ୍ତି। ଥୋଟା ଚନ୍ଦ୍ରଶେଖରଙ୍କୁ ବିଆର୍ଏସ୍ର ଆନ୍ଧ୍ର ମୁଖ୍ୟ ଭାବେ ଘୋଷଣା କରାଯାଇଛି।
ସେହିଭଳି ଓଡିଶା ୟୁନିଟ୍ରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର, ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା କୈଳାଶ ଚନ୍ଦ୍ର ମୁଖିଙ୍କ ସମେତ ଅନେକ ନେତା ଓ ସଙ୍ଗଠକ ବିଆର୍ଏସ୍ରେ ଯୋଗଦେବାକୁ ନେଇ ଚର୍ଚ୍ଚା ହେଉଛି।
କୁହାଯାଉଛି ଆଗାମୀ ୨୦୨୪ ନିର୍ବାଚନରେ ବିଆର୍ଏସ୍ ଦକ୍ଷିଣ ଓଡିଶାରେ ୪ଟି ଲୋକସଭା ନିର୍ବାଚନ ଲଢିବ। ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ଓଡିଶାର ମୁଖ୍ୟତଃ କୃଷି, ଆଦିବାସୀ(ଦକ୍ଷିଣାଞ୍ଚଳ) ଓ ତେଲୁଗୁ ଭାଷାଭାଷୀ ଭୋଟ୍ ଉପରେ ବିଆର୍ଏସ୍ର ଫୋକସ ରହିଛି।
୨୦୨୪ ନିର୍ବାଚନ ପାଇଁ ଓଡିଶାକୁ ପ୍ରବେଶ କରୁଥିବା ନଗାବତ ଦଳକୁ ରାଜ୍ୟ ଭୋଟର୍ କେତେ ଗ୍ରହଣ କରୁଛନ୍ତି ଆଉ ହାତରେ ମାତ୍ର ୧ବର୍ଷ ସମୟ ଧରି ବିଆର୍ଏସ୍ କିଭଳି ନିଜ ରଣନୀତି ପ୍ରସ୍ତୁତ କରୁଛି ତାହା ଆଗାମୀ ଦିନରେ ଜଣାପଡିବ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)