Advertisment

ଯିଏ ବେଞ୍ଚ୍‌ରେ ବସାଉଥିଲା, ତାକୁ ହରାଇଲେ ମୋହସିନ୍

ବାମହାତି ପେସର୍ ମୋହସିନ୍ ଖାନ୍ ଭାରତୀୟ କ୍ରିକେଟ୍‌ରେ ଆଉ ଅପରିଚିତ ନାହାନ୍ତି । ପୂର୍ବ ସିଜନ୍ ଭଳି ଚଳିତ ସିଜନ୍‌ରେ ବି ତାଙ୍କ ପ୍ରତିଭା ସମସ୍ତେ ଦେଖିଛନ୍ତି । ଆଘାତଜନିତ ସମସ୍ୟା ତାଙ୍କୁ ଅଟକାଇ ପାରି ନାହିଁ । ଗୋଟିଏ ପରେ ଗୋଟିଏ ସିଜନ୍‌ରେ ଯେଉଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବେଞ୍ଚ୍‌ରେ ବସାଇ ଉପେକ୍ଷା କରିଆସୁଥିଲା, ସେହି ଟିମ୍‌କୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି ମୋହସିନ୍।

author-image
Biswajit Mohanty
ଅଦ୍ୟତନ ହୋଇଛି
Lucknow Super Giants' left-arm pacer Mohsin Khan is the talk of the town

Lucknow Super Giants' left-arm pacer Mohsin Khan is the talk of the town

ଆଇପିଏଲ୍ ୨୦୨୩ରେ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସର ବାମହାତି ପେସର୍ ମୋହସିନ୍ ଖାନ୍‌ଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସେ ସେମିତି ବଡ଼ ଖେଳାଳି ନୁହନ୍ତି । ସିଜନ୍ ଅଧାରୁ ଖେଳିଲେ । ଅନ୍‌ଫିଟ୍ ଥିବା ଯୋଗୁଁ ତାଙ୍କର ଖେଳିବା ନେଇ ଟିମ୍‌ର ମୁଖ୍ୟ କୋଚ୍ ଗ୍ରାଣ୍ଟ୍ ଫ୍ଲାୱାର ବି ଆଶ୍ୱସ୍ତ ନ ଥିଲେ । କିନ୍ତୁ ସିଜନ୍‌ରେ ନିଜ ତୃତୀୟ ମ୍ୟାଚ୍‌ରେ ହିଁ ମୋହସିନ୍ ଏମିତି କମାଲ୍ କରିଛନ୍ତି ଯେ ପୁରୁଖା ଖେଳାଳି ବି ତାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।

Advertisment

ମେ’ ୧୬ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ଏ ଲକ୍ଷ୍ନୌକୁ ସ୍ମରଣୀୟ ବିଜୟ ଦେଇଥିଲେ ମୋହସିନ୍ । ଶେଷ ଓଭର୍‌ରେ ମୁମ୍ବାଇ ଟିମ୍‌କୁ ଜିତିବା ପାଇଁ ୧୧ ରନ୍ ଆବଶ୍ୟକ ଥିଲା। କ୍ରିଜ୍‌ରେ ଥିଲେ ଟିମ୍ ଡେଭିଡ୍ ଓ କାମେରନ୍ ଗ୍ରୀନ୍‌ଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟର୍ । ଅଧିନାୟକ କୃଣାଲ ପାଣ୍ଡ୍ୟା ପେସର୍ ମୋହସିନ୍‌ଙ୍କୁ ବଲ୍ ଦେଇଥିଲେ ।

ମୋହସିନ୍ ଜାଣିଥିଲେ ଯେ ତାଙ୍କ ଉପରେ ଚାପ ଅଛି, ଚଳିତ ସିଜନ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ନିଜ ପୂର୍ବ ମ୍ୟାଚ୍‌ରେ ସେ ୪୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହାସତ୍ତ୍ୱେ ସେ ଚୂଡ଼ାନ୍ତ ଏକାଦଶରେ ଅଛନ୍ତି ଏବଂ ତାଙ୍କ ଉପରେ ଅଧିନାୟକଙ୍କ ଭରସା ଅଛି । ଆଉ ଏକ ବିଫଳତା ସ୍ଥଳେ ସେ ଟିମ୍‌ରୁ ବାଦ୍ ପଡ଼ିପାରନ୍ତି ।

Advertisment

ମୋହସିନ୍ ଶାନ୍ତ ଓ ସଂଯମ ରହିଥିଲେ । ଧିମା ବୋଲିଂ ସହିତ ୟର୍କର୍ର ଚତୁରତା ପୂର୍ବକ ଉପଯୋଗ କରିଥିଲେ । ପରିଣାମସ୍ୱରୂପ, ମୁମ୍ବାଇ ଟିମ୍ ମାତ୍ର ୫ ରନ୍ କରିପାରିଥିଲା ଏବଂ ବିଜୟର ଦ୍ୱାରଦେଶରେ ପହଞ୍ଚି ମ୍ୟାଚ୍ ହାତଛଡ଼ା କରିଥିଲା । ଏହି ମ୍ୟାଚ୍‌ରେ ମୋହସିନ୍ ୩ ଓଭର୍‌ରେ ୨୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ ଏବଂ ବିଜୟ ସହ ଲକ୍ଷ୍ନୌର ପ୍ଲେ-ଅଫ୍‌ରେ ପ୍ରବେଶ ଆଶା ଉଜ୍ଜୀବିତ ରହିଥିଲା।

ଏହି ସଫଳତା ମୋହସିନ୍‌ଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ରଖେ, ଏଥିରେ ଦ୍ୱିମତ ନାହିଁ । ତେବେ ଆଉ ଏକ କଥା ତାଙ୍କ ସଫଳତାର ଗୁରୁତ୍ୱକୁ ଦ୍ୱିଗୁଣିତ କରେ । ସେ ଏମିତି ଏକ ଟିମ୍‌କୁ ହରାଇଛନ୍ତି, ଯିଏ ତାଙ୍କୁ ଗୋଟିଏ ପରେ ଗୋଟିଏ ସିଜନ୍‌ରେ ବେଞ୍ଚରେ ବସାଇ ଉପେକ୍ଷା କରିଆସୁଥିଲା । ଆଜି ସେହି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ସେ ଜଣାଇ ଦେଇଛନ୍ତି ଯେ ତାଙ୍କ ପ୍ରତିଭାକୁ ରୋହିତ ଶର୍ମାଙ୍କ ଟିମ୍ ଚିହ୍ନିପାରି ନ ଥିଲା।

ମୋହସିନ୍ ୨୦୧୮ ଜାନୁଆରୀରେ ଉତ୍ତର ପ୍ରଦେଶ ପକ୍ଷରୁ ଟି-୨୦ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେହି ମାସରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ନିଲାମୀରେ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ମୁମ୍ବାଇ ସ୍ୱଳ୍ପ-ପରିଚିତ ଓ ପ୍ରତିଭାଶାଳୀ ଖେଳାଳିଙ୍କୁ ବାଛିକି ଆଣେ ଏବଂ ସେମାନେ କମାଲ୍ କରନ୍ତି ।

ସମ୍ଭବତଃ ମୋହସିନ୍ ବି ସେମିତି ଆସିଥିଲେ, ହେଲେ ତାଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲା । ୨୦୧୯ ନିଲାମୀ ପୂର୍ବରୁ ରିଲିଜ୍ କରିବା ପରେ ୨୦୨୦ ନିଲାମୀରେ ମୁମ୍ବାଇ ତାଙ୍କୁ ପୁଣି ଥରେ କିଣିଥିଲା । ପୁଣି ତାଙ୍କୁ ବେଞ୍ଚରେ ବସାଯାଇଥିଲା । ୨୦୨୧ ସିଜନ୍‌ରେ ବି ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା ।

୨୦୨୨ ନିଲାମୀରେ ଲକ୍ଷ୍ନୌ ଫ୍ରାଞ୍ଚାଇଜୀ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ନିଜ ସହିତ ଯୋଡ଼ିଥିଲା । ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ଆଇପିଏଲ୍ ଯାତ୍ରା ।

କେବଳ ଗୋଟିଏ ଓଭର୍‌ର କମାଲ୍ ଯାଏଁ ସୀମିତ ନୁହନ୍ତି ମୋହସିନ୍ । ପୂର୍ବ ସିଜନ୍‌ରେ ସେ ଲକ୍ଷ୍ନୌ ଟିମ୍ ପକ୍ଷରୁ ନଅ ମ୍ୟାଚ୍ ଖେଳି ୧୪ ୱିକେଟ୍ ନେଇଥିଲେ । ସେ ମାତ୍ର ୫.୯୭ ଇକୋନୋମୀ ରେଟ୍‌ରେ ବୋଲିଂ କରିଥିଲେ । ସେଥିମଧ୍ୟରେ ୧୬/୪ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା । ଏହାପରେ କାନ୍ଧ ଯନ୍ତ୍ରଣା ଯୋଗୁଁ ସେ ସର୍ଜରୀ କରାଇଥିଲେ ଏବଂ ପ୍ରାୟ ୧୦ ମାସ କ୍ରିକେଟ୍‌ରୁ ଦୂରେଇ ରହିଥିଲେ ।

ଫିଟ୍‌ନେସ୍ ନ ଥିବାରୁ ସେ ଚଳିତ ଆଇପିଏଲ୍ ସିଜନ୍‌ର ପ୍ରଥମାର୍ଦ୍ଧରୁ ବଞ୍ଚିତ ହୋଇଥିଲେ । ମେ’ ୩ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଜରିଆରେ ସେ ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଯାଇଥିଲା, ଯେଉଁଥିରେ ଲକ୍ଷ୍ନୌ ଟିମ୍ ବୋଲିଂ କରି ନ ଥିଲା । ଏହାପରେ ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିଥିଲେ । ସେଥିରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ହାତ କାଟିବାକୁ ପଡ଼ିଥା’ନ୍ତା... ମୋହସିନ୍‌ଙ୍କ ଜୀବନର ସେହି ଭୟାବହ ସତ୍ୟ

ଜଣେ ବୋଲର୍, ବିଶେଷକରି ପେସର୍‌ଙ୍କ ପାଇଁ ଫିଟ୍‌ନେସ୍ ବହୁତ ଜରୁରୀ । ସ୍ପିନରଙ୍କ ଭଳି ପେସର୍‌ଙ୍କ କ୍ୟାରିଅର୍ ସେତେ ଦୀର୍ଘ ହୋଇ ନ ଥାଏ । ଅନେକ ସମୟରେ ଆଘାତଜନିତ ସମସ୍ୟା ଯୋଗୁଁ ସେମାନଙ୍କ କ୍ୟାରିଅର୍‌ ପ୍ରଭାବିତ ହୋଇଥାଏ । ଆଘାତ କେତେକଙ୍କ କ୍ୟାରିଅର୍‌ର ଅନ୍ତ ବି ଘଟାଇଥାଏ ତ ଆଉ କେହି କେହି ସୁସ୍ଥ ହୋଇ ଫେରିଥା’ନ୍ତି । ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଗଧାଡ଼ିରେ ରହିବେ।

ସେମିତି ସୁସ୍ଥ ହୋଇ ଫେରିଥିଲେ ମୋହସିନ୍। ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଏତେ ଗୁରୁତର ଥିଲା ଯେ ଯଦି ସେ ଠିକ୍ ସମୟରେ ଚିକିତ୍ସା କରାଇ ନ ଥା’ନ୍ତେ, ତା’ହେଲେ ତାଙ୍କ ହାତ କାଟିବାକୁ ପଡ଼ିଥା’ନ୍ତା । ଖୋଦ୍ ମୋହସିନ୍ ତାଙ୍କ ଜୀବନର ଏହି ଭୟାବହ ସତ୍ୟ ବିଷୟରେ ଜଣାଇଛନ୍ତି।

ଲକ୍ଷ୍ନୌର ଏହି ପେସର୍ ଗତ ବର୍ଷ ତାଙ୍କ କାନ୍ଧର ସର୍ଜରୀ କରାଇଥିଲେ। ତାଙ୍କ ବାମ କାନ୍ଧରେ ରକ୍ତ ଜମାଟ ବାନ୍ଧିଥିଲା। ସର୍ଜରୀ ଯୋଗୁଁ ସେ ପୂରା ଘରୋଇ ସିଜନ୍ ଓ ଆଇପିଏଲ୍‌ର ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକ ଖେଳିପାରି ନ ଥିଲେ।

ମୋହସିନ୍ କହିଛନ୍ତି, “ଗୋଟିଏ ସମୟ ଥିଲା, ସେ କ୍ରିକେଟ୍ ଖେଳିବା ଉପରୁ ଆଶା ଛାଡ଼ି ଦେଇଥିଲେ କାରଣ ତାଙ୍କ ହାତ ଉଠୁ ନ ଥିଲା। ବହୁତ ଚେଷ୍ଟା କରି କୌଣସି ପ୍ରକାର ହାତ ଉଠାଉଥିଲେ, ହେଲେ ତାହା ସିଧା ହେଉ ନ ଥିଲା।”

ପୁରୁଣା ସମୟ କଥା ମନେପଡ଼ିଲେ ସେ ଡରିଯାଆନ୍ତି, କାରଣ ଡାକ୍ତର ତାଙ୍କୁ କହିଥିଲେ ଯେ ସେ ଯଦି ସର୍ଜରୀ ପାଇଁ ଆଉ ଗୋଟିଏ ମାସ ବି ବିଳମ୍ବ କରିଥା’ନ୍ତେ, ତା’ହେଲେ ତାଙ୍କ ହାତ କାଟିବାକୁ ପଡ଼ିଥା’ନ୍ତା। ତାଙ୍କ ଧମନୀ ପୂରା ବନ୍ଦ ହୋଇଯାଇଥିଲା।

ପୂର୍ବ ସିଜନ୍‌ରେ ମୋହସିନ୍‌ଙ୍କ ପ୍ରତିଭା ଦେଖିବାକୁ ମିଳିଥିଲା। ଏଥର ବି ଦେଖିବାକୁ ମିଳିଛି। ବିସିସିଆଇ ତାଙ୍କୁ ଭାରତୀୟ ଟିମ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରେ ସୁଯୋଗ ଦେଇ ପରୀକ୍ଷା କରିପାରିବ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

IPL Indian Cricket LSG
Advertisment
Advertisment