Advertisment

ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପଡ଼ିଗଲାଣି କି… ଜାଣନ୍ତୁ କିପରି ଛଡ଼େଇବେ...

ଆଜିକାଲିର ପିଲାମାନେ ମୋବାଇଲ ଆଡିକ୍ଟ ହୋଇଯାଉଥିବା ଦେଖାଯାଏ। ମୋବାଇଲ ଓ ଟିଭି ସ୍କ୍ରିନ୍ ଆଗରେ ବସି ଅଧିକ ସମୟ ବିତେଇବା ଦ୍ୱାରା ସେମାନଙ୍କର ସ୍ମୃତିଶକ୍ତି ସହିତ ଦୃଷ୍ଟିଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। ସେମାନଙ୍କର ମାନସିକ ବିକାଶ ଏହା ଦ୍ୱାରା ବାଧାପ୍ରାପ୍ତ ହୁଏ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
How To Stop Child Phone Addiction

How to curb a child's mobile addiction

ଏଇ କିଛି ଦିନ ତଳେ ଜଣେ ସାଙ୍ଗ ଘରକୁ ଯାଇଥିଲି ତା’ର ବିବାହ ବାର୍ଷିକୀ ପାଳନ ଅବସରରେ। ସମସ୍ତେ ଫଟୋ ଉଠା, ଭୋଜିଭାତରେ ବ୍ୟସ୍ତ ଥିଲେ। ତାଙ୍କର ସମସ୍ତ ବନ୍ଧୁ ଓ ପରିବାର ବର୍ଗ ଆସିଥିଲେ। କିନ୍ତୁ ଯିବାଠାରୁ ଆସିବା ଯାଏଁ ସେମାନଙ୍କ ଏକ ମାତ୍ର ପୁଅକୁ କେଉଁଠି ବି ଦେଖିବାକୁ ପାଇଲିନି। ଆସିବାବେଳେ ପଚାରିବାରୁ ଜାଣିବାକୁ ମିଳିଲା, ସେ ମୋବାଇଲରେ କୌଣସି ଗୋଟେ ଖେଳରେ ବ୍ୟସ୍ତ ରହିଛି। ଏଇଟା ଶେଷ ରାଉଣ୍ଡ ଚାଲିଛି, ତେଣୁ ସେ ଆସିପାରିବ ନାହିଁ।

Advertisment

ମୋତେ ଏ କଥା ଶୁଣି ଯେତେକି ହସ ଲାଗିଲା ସେତିକି ବ୍ୟସ୍ତ ବି ଲାଗିଲା। ମାତ୍ର ଆଠ ବର୍ଷର ଏକ ପିଲା କ’ଣ ଏମିତି ଗେମ୍‌ରେ ମଜ୍ଜିଯାଇଛି ଯେ ଏ ପାର୍ଟିକୁ ଆସି ଉପଭୋଗ କରିବା ଓ ଖେଳିବାକୁ ଇଛା କରୁନି। ତେବେ ତାକୁ ପଚାରିବାରୁ ସେ କହିଲା, ଆଣ୍ଟି, ଆପଣ ଜାଣି ନାହାନ୍ତି, ମୁଁ ଏମିତି ଗୋଟେ ଗେମ୍ ଖେଳୁଛି ଜିତିଲେ ଏଥିରୁ ଟଙ୍କା ମିଳିବ। ମୁଁ ଆଶ୍ଚର୍ଯ୍ୟ ହେଲି ଯେ ଏତେ ଛୋଟ ପିଲା ମୋବାଇଲ ସହ ଏତେ ଆଡିକ୍ଟ ହେବା ବିଲ୍‌କୁଲ୍‌ ବି ଠିକ୍ ନୁହେଁ। ଆଜି ଆମେ ଏମିତି କିଛି ସମ୍ୱେଦନଶୀଳ ବିଷୟରେ କଥା ହେବା।

ଅଧିକ ପଢ଼ନ୍ତୁ: Health Tips: ଆପଣଙ୍କୁ ମଧ୍ୟାହ୍ନ ଭୋଜନ ପରେ ନିଦ ଲାଗୁଛି କି… ଜାଣନ୍ତୁ କ’ଣ କଲେ ଏଥିରୁ ମିଳିବ ମୁକ୍ତି

Advertisment

ଆଜିକାଲି ଏହା ଖୁବ୍ ଦେଖାଯାଉଛି ଯେ ଛୁଆମାନେ ବାହାର ଖାଇବା ଆରମ୍ଭ କଲା ମାତ୍ରେ ହିଁ ମା’ମାନେ ସେମାନଙ୍କୁ ଖୁଆଇବାକୁ ମୋବାଇଲର ସାହାରା ନେଉଛନ୍ତି, ବିଶେଷକରି ଚାକିରି କରୁଥିବା ମା’ ମାନେ। ତା’ ପରେ ଛୁଆମାନେ ଯେବେ ଗୁରୁଣ୍ଡିବା ବା ଚାଲିବା ଆରମ୍ଭ କରନ୍ତି ମା’ ମାନେ ସେତେବେଳେ ନିଜ କାମରେ କୌଣସି ବାଧା ନ ଆସିବା ପାଇଁ ପିଲାଙ୍କୁ ବ୍ୟସ୍ତ ରଖିବାକୁ ଚାହାନ୍ତି, ଯେଉଁଥିପାଇଁ ମୋବାଇଲ କିମ୍ୱା ଚ୍ୟାବଲେଟ୍ ଗୋଟେ ଦେଇ ବସାଇଦେଲେ ସେମାନଙ୍କ କାମ ହୋଇଯାଏ।

ସେହି କିଛି ସମୟରେ ଯେବେ ସେମାନେ ମୋବାଇଲରେ ଖେଳିବା ଆରମ୍ଭ କରନ୍ତି, ସେତେବେଳେ ତାଙ୍କର ଧ୍ୟାନ ପୂର୍ଣ୍ଣଭାବେ ମୋବାଇଲ ଆଡ଼କୁ ଯାଇସାରିଥାଏ। ସେମାନଙ୍କର ମାନସିକ ବିକାଶ ଏହି ସମୟରେ ବାଧାପ୍ରାପ୍ତ ହୁଏ।

ସାଧାରଣତଃ ଛୁଆମାନେ ବର୍ଷକର ହୋଇଯିବା ପରେ ବାହାରେ ଖେଳିବାକୁ ଭଲ ପାଆନ୍ତି। ନୂଆ ପିଲାଙ୍କ ସହ ମିଶିବା, ସାଙ୍ଗ ବନେଇବା ସେମାନେ ଶିଖନ୍ତି। ଏହା ସେମାନଙ୍କ ସାମାଜିକ ମନୋଭାବ ତିଆରିରେ ସହାୟକ ହୁଏ। ଖେଳରେ ସକ୍ରିୟ ରହିଲେ ସେମାନଙ୍କ ମସ୍ତିଷ୍କର ବିକାଶ ଘଟେ।

ଗବେଷଣା କୁହେ, ପିଲାମାନଙ୍କର ମସ୍ତିଷ୍କ ସହ ସଂଯୁକ୍ତ ସ୍ନାୟୁକୋଷଗୁଡ଼ିକ ୩ ବର୍ଷ ଭିତରେ ୧୦ ନିୟୁତ ସଂଖ୍ୟାରେ ପହଁଚିଥାଏ। ଏହି ସମୟରେ ସେମାନଙ୍କର ଭୋକାଲ କର୍ଡ଼ ବା ସ୍ୱର ନଳୀ ବିକଶିତ ହୁଏ ଏବଂ ସେମାନଙ୍କଠାରେ ସଂବେଦନଶୀଳତା ପ୍ରକାଶ ହେବା ଆରମ୍ଭ ହୁଏ।

ଖେଳିବା ଓ ଅନ୍ୟମାନଙ୍କ ସହ ବସି କଥା ହେବା ଦ୍ୱାରା ସେମାନେ ବହୁ ନୂଆ କଥା ଶିଖନ୍ତି। ସ୍କୁଲ ଯିବା ଆଗରୁ ଅନେକ ବ୍ୟବହାରଗତ ଓ ସାମାଜିକ ଚାଲିଚଳଣ ଆଦି ପିଲାମାନେ ବାହାରେ ଖେଳିବା ବୁଲିବାରୁ ହିଁ ଜାଣନ୍ତି।

ତେବେ ଆଜିକାଲି ଏହି ସମୟ ମୋବାଇଲ ନେଇଯାଇଛି। ମୋବାଇଲ ଓ ଟିଭି ସ୍କ୍ରିନ୍ ଆଗରେ ବସି ଅଧିକ ସମୟ ବିତେଇବା ଦ୍ୱାରା ସେମାନଙ୍କର ସ୍ମୃତିଶକ୍ତି ସହିତ ଦୃଷ୍ଟିଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। ଆପଣ ଏହାର ଉଦାହରଣ ନିଜେ ଦେଖୁଥିବେ। ଚାରି ପାଞ୍ଚ ବର୍ଷର ସ୍କୁଲ ଯାଉଥିବା ଛୁଆମାନେ ମଧ୍ୟ ଏବେ ଚଷମା ଲଗେଇବା ଦେଖାଯାଉଛି।

ସମୟ ସହ ତାଳ ଦେଇ ପିଲାମାନଙ୍କୁ ଟେକ୍ନିକାଲ ଦିଗରେ ପରିଚିତ କରାଇବା ଭଲ କଥା, କିନ୍ତୁ ଏପରି ବି ସେମାନଙ୍କୁ ଟେକ୍ନୋଲୋଜି ସହିତ ମିଶାନ୍ତୁନି କି ସେମାନେ ଏହି ମୋବାଇଲ୍, ଆଇପ୍ୟାଡ୍, ଟିଭି, ଲାପ୍‌ଟପ୍ ଆଦିର ନିଶାରୁ ମୁକୁଳି ପାରିବେନି। ବର୍ତ୍ତମାନର ପରିସ୍ଥିତିରେ ପିଲାମାନଙ୍କ ବୌଦ୍ଧିକ ବିକାଶ, ଶୋଇବା ସମୟ, ସ୍କୁଲ୍‌ରେ ସାଙ୍ଗମାନଙ୍କ ସହ ସମୟ ଦେବା ଆଦି ମୋବାଇଲ୍‌ ଦେଖିବା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେଉଛି।

ଅଧିକ ପଢ଼ନ୍ତୁ: Health Tips: କ୍ରୋଧ ଅନେକ ରୋଗର କାରଣ; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ତେବେ କେମିତି ଜାଣିବେ ଯେ ଆପଣଙ୍କ ଛୁଆ ଧିରେ ଧିରେ ମୋବାଇଲ ଆଡିକ୍ଟ ହେଉଛି। ଯେତେବେଳେ ଆପଣଙ୍କ ଛୁଆ ମୋବାଇଲ ଦେଖିବା ସମୟରେ ତା’ ଠାରୁ ମୋବାଇଲ ନେଇଗଲେ ଯଦି ସେ ବହୁତ ଜୋରରେ ପାଟି କରୁଛି, ଆପଣଙ୍କ ଉପରେ ଚିଡ଼ୁଛି, କିମ୍ୱା ରାଗରୁଷା କରୁଛି, ତେବେ ଏହା ତା’ର ମୋବାଇଲ ଆଡିକ୍ସନର ଲକ୍ଷଣ ହୋଇପାରେ।

ଏହି ସମୟରେ ଯେତେ ସମ୍ଭବ ଆପଣ ତାକୁ ପାଖକୁ ଡାକି ମୋବାଇଲର ଅପକାରିତା ବିଷୟରେ ବୁଝାଇବେ, ଅନ୍ୟସବୁ ଗପ ବା କାର୍ଯ୍ୟକଳାପ କିମ୍ୱା ଖେଳ ଆଦି ମାଧ୍ୟମରେ ମୋବାଇଲରୁ ଧ୍ୟାନ ହଟେଇବାକୁ ପ୍ରୟାସ କରିବା ଜରୁରୀ ହୋଇଥାଏ।

ଏହି ଅଭ୍ୟାସରୁ ପିଲାମାନଙ୍କୁ ଦୂରେଇବାକୁ ହେଲେ ଆପଣଙ୍କୁ ସେମାନଙ୍କୁ ସମୟ ଦେବାକୁ ହେବ। ମନୋବିଜ୍ଞାନୀଙ୍କ କହିବା ଅନୁଯାୟୀ ୨ ରୁ ୫ ବର୍ଷର ପିଲାମାନେ ଦିନକ ମଧ୍ୟରେ କେବଳ ଗୋଟିଏ ଘଣ୍ଟା ପାଇଁ ଟିଭି ଦେଖିବା କିମ୍ୱା ଅନ୍ୟ ସ୍କ୍ରିନ୍ ଟାଇମ୍ ପାଇବା ଠିକ୍। ୬ ବର୍ଷରୁ ବଡ଼ ଛୁଆମାନଙ୍କୁ ସେମାନଙ୍କ ବାପା-ମା’ମାନେ ଆବଶ୍ୟକ ମୁତାବକ ମୋବାଇଲ ବା ଟିଭି ଦେଖିବାକୁ ଅନୁମତି ଦେବା ଜରୁରୀ।

ପିଲାମାନେ ଶୋଇବାକୁ ଗଲାବେଳେ ମୋବାଇଲକୁ ବେଡ୍ ପାଖରେ କିମ୍ୱା ସେହି ରୁମ୍‌ରେ ହିଁ ରଖିବା ଉଚିତ ନୁହେଁ। ବାପା ମା’ ମଧ୍ୟ ଶୋଇବା ସମୟରେ ମୋବାଇଲ ଦେଖାରୁ ବିରତ ରହିବା ଜରୁରୀ। ପିଲାମାନେ ଯାହା ଦେଖନ୍ତି ତାହା କରିବାକୁ ଚେଷ୍ଟା କରନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଲାମାନଙ୍କୁ କୌଣସି ଶାରୀରିକ କାର୍ଯ୍ୟକଳାପ ବା ବାହାରେ ଖେଳିବାକୁ ଉତ୍ସାହିତ କରାଯିବା ଆବଶ୍ୟକ ଯାହା ଦ୍ୱାରା ସେମାନଙ୍କର ଦେହ ସହ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଆଗବେଳେ ପିଲାମାନେ ସ୍କୁଲରୁ ଫେରି ବାହାରେ ଖୁବ୍ ସମୟ କବାଡ଼ି, ଭଲିବଲ, ଫୁଟବଲ୍ ଆଦି ଖେଳୁଥିଲେ ଯାହା ସେମାନଙ୍କୁ ସୃଜନଶୀଳ ହେବାକୁ ମାନସିକ ସ୍ତରରେ ସାହାଯ୍ୟ କରୁଥିଲା।

ଆଜିକାଲି ଟିଉସନ୍, ନାଚ କ୍ଲାସ୍, ଅତିରିକ୍ତ ପାଠ୍ୟ ଆଦି କ୍ଲାସ୍ କରୁ କରୁ ଛୁଆଙ୍କର ଆଉ ମନ ଖୋଲି ଖେଳିବାକୁ, ବୁଲିବାକୁ, ବାପା ମାଆଙ୍କ ସହ ଗପିବାକୁ ସମୟ ମିଳୁନି। ଏଣୁ ଏହା ନିତାନ୍ତ ଆବଶ୍ୟକ ହେଉଛି ଯେ ଆପଣମାନେ ଛୁଆଙ୍କୁ ନିଜେ ସମୟ ଦିଅନ୍ତୁ। ସେମାନଙ୍କ ପାଖରେ ବସି ଖେଳନ୍ତୁ। ସେମାନଙ୍କୁ ଆଉଟ୍ ଡୋର ଖେଳ ପାଇଁ ଉତ୍ସାହିତ କରନ୍ତୁ। ଖାଲି ସମୟରେ ବିଭିନ୍ନ ବହି ପଢ଼ିବାକୁ ଦିଅନ୍ତୁ। ଏସବୁ କଲେ ଧିରେ ଧିରେ ପିଲାମାନଙ୍କର ମୋବାଇଲ୍‌ ପ୍ରତି ଅନାବଶ୍ୟକ ଧ୍ୟାନ ହଟିଯିବ ଓ ସେମାନେ ମାନସିକ ଭାବରେ ସୁସ୍ଥ ରହିବେ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips
Advertisment
Advertisment