• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଭାରତ ଦ୍ୱିତୀୟ ଥର ଟି ୨୦ ବିଶ୍ୱକପ୍ ମୁକୁଟ ଜିତିଛି। ୧୭ ବର୍ଷର ପ୍ରତୀକ୍ଷା ପରେ ଦେଶର କୋଟି କୋଟି କ୍ରିକେଟ୍‌ପ୍ରେମୀ ଏହି ସଫଳତାର ଉତ୍ସବ ପାଳନ କରୁଥିବା ବେଳେ ଦୁଇ ପୁରୁଖା ତଥା ସଫଳ ଖେଳାଳି - ଅଧିନାୟକ ରୋହିତ ଶର୍ମା ଓ ‘ପ୍ଲେୟର୍ ଅଫ୍ ଦ ଫାଇନାଲ୍‌’ ବିରାଟ କୋହଲି ଅତର୍କିତ ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ।

ଅବଶ୍ୟ ପ୍ରଥମେ ବିରାଟ ଓ ଏହାପରେ ରୋହିତଙ୍କ ଅବସର ଘୋଷଣା ସେତେ ଅପ୍ରତ୍ୟାଶିତ ନ ଥିଲା । ଉଭୟଙ୍କ ଏହା ଶେଷ ଟି-୨୦ ବିଶ୍ୱକପ୍ ହେବ ଏବଂ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ସେମାନେ ଟି-୨୦ ଆନ୍ତର୍ଜାତିକ ଛାଡ଼ିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ତିଆର ନୂଆ କୋଚ୍ ହେଲେ ଗମ୍ଭୀର, ବିସିସିଆଇ ଦେଲା ସୂଚନା

୨୦୨୨ରେ ଟି-୨୦ ବିଶ୍ୱକପ୍ ବିଫଳତା ପର ଠାରୁ ୨୦୨୩ ଶେଷ ଯାଏଁ କ୍ଷୁଦ୍ରତମ ଫର୍ମାଟ୍‌ରେ ନ ଖେଳିବା ଦ୍ୱାରା ଉଭୟ ବ୍ୟାଟର୍‌ଙ୍କ ଟି-୨୦ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲାଗିଥିଲା। କିନ୍ତୁ ଦୁଇଜଣଯାକ ଚଳିତ ବର୍ଷ ପ୍ରାରମ୍ଭରେ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଟି-୨୦ ଟିମ୍‌କୁ ଫେରିଲେ, ବିଶ୍ୱକପ୍ ଖେଳିଲେ ଏବଂ ମୁକୁଟ ବି ଜିତାଇଲେ।

ପୂର୍ବରୁ ଉଭୟଙ୍କ ବିନା ଟି-୨୦ ଟିମ୍ ଗଠନର ପରିକଳ୍ପନା ହେଉଥିଲା ସତ, ହେଲେ ଉଭୟଙ୍କ ଉପସ୍ଥିତିରେ ଓ ରୋହିତଙ୍କ ନେତୃତ୍ୱରେ ବିଶ୍ୱବିଜୟୀ ହେବା ପରେ ଟିମ୍‌ରେ ଶୂନ୍ୟସ୍ଥାନ ସୃଷ୍ଟି ହେବା ଭଳି ଅନୁଭୂତ ହେଉଛି। ପରେ ବିଦାୟୀ ପୁରୁଖାଙ୍କ ତାଲିକାରେ ଯୋଡ଼ି ହୋଇଥିଲେ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା।

ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ ଓ ବିରାଟଙ୍କ ବିନା ଆଗକୁ ବଢ଼ି ପାରିବ କି ଭାରତୀୟ ଟି-୨୦ ଟିମ୍‌? ପୁଣି ଜିତିପାରିବ କି ଆଇସିସି ଟ୍ରଫି?

ରୋହିତ ୧୫୯ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ର ୧୫୧ ଇନିଂସ୍ ଖେଳି ୩୨.୦୫ ଆଭରେଜ୍ ଓ ୧୪୦.୮୯ ଷ୍ଟ୍ରାଇକ୍ ରେଟ୍‌ରେ ୪୨୩୧ ରନ୍ କରିବା ସହ ଟପ୍ ସ୍କୋରର୍ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ୨୦୦୭ରୁ ୨୦୨୪ ଯାଏଁ ବ୍ୟାପ୍ତ ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅରରେ ୫ ଶତକ ଓ ୩୨ ଅର୍ଦ୍ଧଶତକ ରହିଛି। ସେ ୬୨ ଟି-୨୦ରେ ଭାରତର ନେତୃତ୍ୱ ନେଇଛନ୍ତି। ସେଥିମଧ୍ୟରୁ ଟିମ୍ ୪୯ ମୁକାବିଲା ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି । ଅନ୍ୟ ୧୨ ମ୍ୟାଚ୍‌ରେ ଟିମ୍ ପରାଜିତ ହୋଇଛି।

ରୋହିତ ଟି-୨୦ ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ଟପ୍ ସ୍କୋରର୍ ଭାବେ ୧୨୨୦ ରନ୍ କରିଛନ୍ତି। ସେ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ୍ ଖେଳିଥିଲେ, ଯେଉଁଥିରେ ଟିମ୍ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟ୍ରଫି ଜିତିଥିଲା। ସେବେ ଠାରୁ ସେ କ୍ରମାଗତ ନଅ ଟି-୨୦ ବିଶ୍ୱକପ୍ ଖେଳିଛନ୍ତି ଏବଂ ଆଉ ଏକ ବିଶ୍ୱବିଜୟ ସହ କ୍ଷୁଦ୍ରତମ ଫର୍ମାଟ୍‌ରେ ନିଜ କ୍ୟାରିଅର୍‌ର ସଫଳ ଅନ୍ତ ଘଟାଇଛନ୍ତି।

ସେହିପରି ବିରାଟ ୧୨୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ର ୧୧୭ ଇନିଂସ୍ ଖେଳି ୪୮.୬୯ ଆଭରେଜ୍ ଓ ୧୩୭.୦୪ ଷ୍ଟ୍ରାଇକ୍ ରେଟ୍‌ରେ ୪୧୮୮ ରନ୍ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। କ୍ଷୁଦ୍ରତମ ଫର୍ମାଟ୍‌ରେ ୨୦୧୦ରୁ ୨୦୨୪ ଯାଏଁ ଖେଳିବା ସମୟରେ ତାଙ୍କ ନାମରେ ଗୋଟିଏ ଶତକ ଓ ୩୮ ଅର୍ଦ୍ଧଶତକ ରହିଛି। ତାଙ୍କ ଅଧିନାୟକତ୍ୱରେ ଭାରତ ଖେଳିଥିବା ୫୦ ଟି-୨୦ ମଧ୍ୟରୁ ଟିମ୍ ୩୦ ମୁକାବିଲା ଜିତିଥିବା ବେଳେ ୧୬ ମ୍ୟାଚ୍‌ରେ ପରାଜିତ ହୋଇଛି। ଦୁଇ ମ୍ୟାଚ୍ ଟାଇ ରହିଛି ଏବଂ ଅନ୍ୟ ଦୁଇ ମ୍ୟାଚ୍‌ର ଫଳାଫଳ ବାହାରିପାରି ନାହିଁ।

ଅଧିକ ପଢ଼ନ୍ତୁ: ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ଏହାଛଡ଼ା ଟି-୨୦ ବିଶ୍ୱକପ୍ ଇତିହାସରେ ବିରାଟ ସର୍ବାଧିକ ୧୨୯୨ ରନ୍ କରିଛନ୍ତି। ସେ ୨୦୧୪ ସଂସ୍କରଣରେ ରେକର୍ଡ ୩୧୯ ରନ୍ କରିଥିବା ବେଳେ ଦୁଇ ଥର (୨୦୧୪ ଓ ୨୦୧୬) ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଛନ୍ତି।

ସୁଯୋଗ ଅପେକ୍ଷାରେ ଅନେକ ପ୍ରତିଭାଶାଳୀ

ପୁରୁଣା ଖେଳାଳି ଯାଆନ୍ତି, ନୂଆ ଖେଳାଳି ଆସନ୍ତି ଓ ଦାୟିତ୍ୱ ନିଅନ୍ତି - ଏହା ଏକ ଚିରାଚରିତ ପ୍ରଥା। ରୋହିତ, ବିରାଟ ଓ ଜାଡ଼େଜାଙ୍କ ଟି-୨୦ ଆନ୍ତର୍ଜାତିକରୁ ଅବସର ନିଷ୍ପତ୍ତି ଯଥାର୍ଥ ଓ ସ୍ୱାଗତଯୋଗ୍ୟ। ସେମାନେ ଠିକ୍ ସମୟରେ ଏହି ଫର୍ମାଟ୍ ଛାଡ଼ି ନୂଆ ପିଢ଼ି ବା ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି।

ଏ କଥା ବି ଠିକ୍ ଯେ ଦେଶରେ ପ୍ରତିଭାଶାଳୀ କ୍ରିକେଟର୍‌ଙ୍କ ଅଭାବ ନାହିଁ। ଟି-୨୦ ଆନ୍ତର୍ଜାତିକରେ ଏହି ତିନି ବିଦାୟୀଙ୍କ ସ୍ଥାନ ନେବା ପାଇଁ ଅନେକ ଖେଳାଳି ସୁଯୋଗ ଅପେକ୍ଷାରେ ଅଛନ୍ତି। ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ରୁ ବହୁ ଯୁବ ତାରକାଙ୍କ ଅଭ୍ୟୁଦୟ ହୋଇଛି।

ଖେଳାଳି ଭାବେ ରୋହିତଙ୍କ ସ୍ଥାନ ନେବା ପାଇଁ ଯଶସ୍ୱୀ ଜୟସ୍ୱାଲ, ଅଭିଷେକ ଶର୍ମା, ଈଶାନ କିଶନ୍‌, ଲୋକେଶ ରାହୁଲ (ଏବେ ଟି-୨୦ ଟିମ୍‌ରେ ନାହାନ୍ତି) ପ୍ରମୁଖ ରହିଛନ୍ତି। ସେମାନଙ୍କ ମଧ୍ୟରେ ଯଶସ୍ୱୀ ସର୍ବାଗ୍ରେ ରହିବେ। ସେ ବିଫଳ ହେବା ବା ଅନୁପସ୍ଥିତ ରହିବା ସ୍ଥଳେ ଅନ୍ୟ କାହା କଥା ବିଚାରକୁ ନିଆଯିବ।

ଟି-୨୦ ବିଶ୍ୱକପ୍ ୨୦୨୪ରେ ରୋହିତ ଓ ବିରାଟ ଓପନିଂ କରିବାରୁ ୧୫ଜଣିଆ ଟିମ୍‌ରେ ଥିବା ସତ୍ତ୍ୱେ ଯଶସ୍ୱୀ ଖେଳିବାର ସୁଯୋଗ ପାଇ ନ ଥିଲେ। ଯଦି ବିରାଟ ତିନି ନମ୍ବରରେ ଖେଳିଥା’ନ୍ତେ, ସେ ଓପନିଂ କରିଥା’ନ୍ତେ।

ବିରାଟ କଠିନ ପରିସ୍ଥିତିରେ ଟିମ୍‌କୁ ସମ୍ଭାଳନ୍ତି। ଏହାର ଉଦାହରଣ ଟି-୨୦ ବିଶ୍ୱକପ୍‌ର ଅନେକ ସଂସ୍କରଣରେ ଦେଖିବାକୁ ମିଳିଛି। ତାଙ୍କ ସ୍ଥାନ ନେବା ଦୌଡ଼ରେ ଶୁବମନ ଗିଲ୍‌, ଋତୁରାଜ ଗାଏକୱାଡ଼, ରିଆନ ପରାଗ, ତିଲକ ବର୍ମାଙ୍କ ଭଳି ବ୍ୟାଟର୍ ଅଛନ୍ତି। ଶୁବମନ ସେମାନଙ୍କ ମଧ୍ୟରେ ପ୍ରଥମ ପସନ୍ଦ ହେବେ। ତାଙ୍କ ପରେ ଋତୁରାଜଙ୍କ ସ୍ଥାନ।

ଅନ୍ୟପଟେ, ଅବସର ନେଇଥିବା ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ବଦଳ ଖେଳାଳି ଟିମ୍‌କୁ ମିଳିସାରିଛି। ସେ ହେଲେ ଅକ୍ଷର ପଟେଲ୍।

ଟି-୨୦ ବିଶ୍ୱକପ୍ ୨୦୨୪ ସମୟରେ ଉଭୟ ଅଲ୍‌ରାଉଣ୍ଡର୍ ସବୁ ମ୍ୟାଚ୍ ଖେଳିଥିଲେ। ତେବେ ଅକ୍ଷର ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ଅବଶ୍ୟ ଜାଡ଼େଜା ବିଶ୍ୱକପ୍‌ରେ ନା ବେଶୀ ଓଭର୍ ବୋଲିଂ କରିବାର ସୁଯୋଗ ପାଇଥିଲେ ନା ବ୍ୟାଟିଂ କରିବାର।

ଅକ୍ଷର ଫିଟ୍ ଓ ଫର୍ମରେ ଥିବା ସ୍ଥଳେ ଅନ୍ୟ କୌଣସି ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍‌ଙ୍କୁ ସ୍ଥାନ ମିଳିବା କଷ୍ଟ। ଯଦି ଟି-୨୦ ବିଶ୍ୱକପ୍ ଭଳି ଚୂଡ଼ାନ୍ତ ଏକାଦଶରେ ଦୁଇ ଜଣ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ଖେଳନ୍ତି, ତା’ହେଲେ ଅକ୍ଷରଙ୍କ ସହ ୱାଶିଂଟନ୍ ସୁନ୍ଦର, କୃଣାଲ ପାଣ୍ଡ୍ୟା, ସାଇ କିଶୋର, ଶାହବାଜ ଅହମଦଙ୍କ ଭଳି ଖେଳାଳିମାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।

ଶୁବମନଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତିକ ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଯାଇଛି। ଟି-୨୦ ବିଶ୍ୱକପ୍ ଖେଳିଥିବା ଖେଳାଳିମାନଙ୍କୁ ଏଥିରୁ ବିଶ୍ରାମ ଦିଆଯାଇଛି। ଏହି ସିରିଜ୍ ଭାରତର ଟି-୨୦ ଭବିଷ୍ୟତର ଏକ ଝଲକ ପ୍ରଦାନ କରିବ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ପାଣ୍ତ୍ୟା; ଟି-ଟ୍ୱେଣ୍ଟି ଫର୍ମାଟରେ ଏବେ ନଂ ୧ ଅଲରାଉଣ୍ତର

ହାର୍ଦ୍ଦିକ ହୋଇପାରନ୍ତି ସ୍ଥାୟୀ ଅଧିନାୟକ

ଟି-୨୦ ବିଶ୍ୱକପ୍ ୨୦୨୪ରେ ଉପ-ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟି-୨୦ ଟିମ୍‌ର ସ୍ଥାୟୀ ଅଧିନାୟକ ହୋଇପାରନ୍ତି। ଦୌଡ଼ରେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ ଓ ଯଶପ୍ରୀତ ବୁମ୍‌ରା ବି ଅଛନ୍ତି; ହେଲେ ହାର୍ଦ୍ଦିକ ସମସ୍ତଙ୍କ ଉପରେ ଭାରୀ ପଡ଼ିପାରନ୍ତି।

ଚଳିତ ବର୍ଷ ଆଇପିଏଲ୍‌ରେ ଉଭୟ ଅଧିନାୟକ ଓ ଖେଳାଳି ଭୂମିକାରେ ବିଫଳ ହେବା ପରେ ହାର୍ଦ୍ଦିକଙ୍କ ଉପରୁ ଅନେକଙ୍କ ଭରସା ଉଠିଯାଇଥିଲା। କିନ୍ତୁ ଟି-୨୦ ବିଶ୍ୱକପ୍‌ରେ ସେ ନିଜ ଅଲ୍‌ରାଉଣ୍ଡର୍ ଦକ୍ଷତାକୁ ପୁଣି ପ୍ରମାଣିତ କରିଛନ୍ତି।

ହାର୍ଦ୍ଦିକ ଏ ଯାବତ ୧୬ ଟି-୨୦ ଆନ୍ତର୍ଜାତିକରେ ଭାରତୀୟ ଟିମ୍‌ର ଅଧିନାୟକତ୍ୱ କରିଛନ୍ତି। ସେଥିମଧ୍ୟରୁ ଟିମ୍ ୧୦ ମୁକାବିଲା ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି ଏବଂ ପାଞ୍ଚ ମ୍ୟାଚ୍‌ରେ ପରାଜିତ ହୋଇଛି।

ସେହିପରି ଟି-୨୦ ଆନ୍ତର୍ଜାତିକରେ ସୂର୍ଯ୍ୟକୁମାର ୭ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ଭାରତ ୫ ମ୍ୟାଚ୍ ଜିତିଛି ଓ ୨ ମ୍ୟାଚ୍ ହାରିଛି। ରିଷଭଙ୍କ ଅଧିନାୟକତ୍ୱରେ ଭାରତ ୫ରୁ ୨ ମ୍ୟାଚ୍ ଜିତିଥିବା ବେଳେ ୨ ମ୍ୟାଚ୍ ହାରିଛି ଏବଂ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରିପାରି ନାହିଁ। ଯଶପ୍ରୀତଙ୍କ ନେତୃତ୍ୱରେ ଭାରତ ଖେଳିଥିବା ଦୁଇଟିଯାକ ମ୍ୟାଚ୍ ଜିତିଛି।

ଟି-୨୦ ବିଶ୍ୱକପ୍ ୨୦୨୧ ପରେ ଆଘାତଜନିତ ସମସ୍ୟା ଯୋଗୁଁ ପଡ଼ିଆରୁ ଦୂରରେ ଥିବା ହାର୍ଦ୍ଦିକ ଆଇପିଏଲ୍ ୨୦୨୨ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ନୂଆ ଟିମ୍ ଗୁଜରାଟ ଟାଇଟନ୍ସକୁ ମୁକୁଟ ଜିତାଇଥିଲେ।

୨୦୨୨ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ରୁ ଭାରତର ବିଦାୟ ପରେ ରୋହିତ ଓ ବିରାଟ ଟି-୨୦ ଆନ୍ତର୍ଜାତିକରୁ ବ୍ରେକ୍ ନେଇଥିଲେ। ନୂଆ ଅଧିନାୟକ ହାର୍ଦ୍ଦିକ ଆୟରଲାଣ୍ଡ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍‌ର ସଫଳ ନେତୃତ୍ୱ ନେଇଥିଲେ। ଏହାପରେ ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ମଧ୍ୟ ଟିମ୍ ବିଜୟ ହାସଲ କରିଥିଲା।

ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତ ଅଧିନାୟକ ଭାବେ ତାଙ୍କର ଶେଷ ଟି-୨୦ ସିରିଜ୍ ଥିଲା, ଯେଉଁଥିରେ ଟିମ୍ ୨-୩ରେ ହାରିଯାଇଥିଲା। ଏହାପରେ ସେ ଫିଟ୍‌ନେସ୍ ସମସ୍ୟା ଯୋଗୁଁ ଆଇପିଏଲ୍ ୨୦୨୪ ପୂର୍ବ ଯାଏଁ ଆଉ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନ ଥିଲେ।

ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟି-୨୦ ଟିମ୍‌ର ନେତୃତ୍ୱ ନେଇଥିଲେ।

୨୦୨୬ ଟି-୨୦ ବିଶ୍ୱକପ୍ ବହୁ ଦୂରରେ ଅଛି। ସେଥିରେ ଭାରତ ମୁକୁଟ ବଜାୟ ରଖିପାରିବ କି ନାହିଁ, ଏବେ ଠାରୁ ତାହାର ଭବିଷ୍ୟବାଣୀ କରାଯାଇପାରିବନି। ତେବେ ଏହା ସତ ଯେ ଟି-୨୦ କ୍ରିକେଟ୍‌ରେ ଭାରତ ଏକ ନୂଆ ଯୁଗରେ ପ୍ରବେଶ କରିଛି, ଯେଉଁଠି ରୋହିତଙ୍କ ଭଳି ଟ୍ରଫି ଜିତାଇ ପାରୁଥିବା ଅଧିନାୟକ ନାହାନ୍ତି, ବିରାଟଙ୍କ ଭଳି ସଙ୍କଟମୋଚକ ନାହାନ୍ତି କି ରାହୁଲ ଦ୍ରାବିଡ଼ଙ୍କ ଭଳି ଦୂରଦର୍ଶୀ ପ୍ରଶିକ୍ଷକ ନାହାନ୍ତି।

ଆଗାମୀ ଦିନରେ ନୂଆ କୋଚ୍‌, ନୂଆ ଅଧିନାୟକ ଓ ଯୁବ ଖେଳାଳିଙ୍କୁ ନେଇ ସଜ୍ଜିତ ନୂଆ ଟିମ୍‌ର ଯାତ୍ରା-ପଥ କେତେ ଆହ୍ୱାନପୂର୍ଣ୍ଣ ହେବ ଓ ଟିମ୍ ଆଗକୁ ବଢ଼ିବାରେ କେତେ ସଫଳ ହେବ, ତାହା ସମୟ କହିବ।

ପୂର୍ବତନ କ୍ରିକେଟର୍ ତଥା ଅଧୁନା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସଭାପତି ରୋଜର ବିନ୍ନି ହୁଅନ୍ତୁ କିମ୍ବା ରୋହିତ-ବିରାଟ ଅଥବା କ୍ରିକେଟ୍‌ପ୍ରେମୀ - ସମସ୍ତେ ଟିମ୍‌ର ଭବିଷ୍ୟତକୁ ନେଇ ଆଶାବାଦୀ ଅଛନ୍ତି। ଟି-୨୦ ଆନ୍ତର୍ଜାତିକ ଓ ଆଇପିଏଲ୍‌ରେ ଭାରତୀୟ ଯୁବ ଖେଳାଳିମାନଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଗୋଟିଏ କଥା ଦୃଢ଼କଣ୍ଠରେ କୁହାଯାଇପାରିବ ଯେ ଟିମ୍‌ର ଭବିଷ୍ୟତ ଅନୁଜ୍ଜ୍ୱଳ ନୁହେଁ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now