ଆମ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଲେ ହେଁ ଏଠାରେ ହିନ୍ଦୁଧର୍ମର ଲୋକମାନଙ୍କର ବହୁଳତା ଦେଖିବାକୁ ମିଳେ। ଅନ୍ୟସବୁ ପ୍ରକାର ଧର୍ମ ମଧ୍ୟ ଏଠାରେ ରହିଛି। ତେବେ ସବୁ ଧର୍ମର ଖାଦ୍ୟପେୟ, ଚଳଣି, ଈଶ୍ୱର ଉପାସନାର ମାର୍ଗ ଅଲଗା ହେଲେ ମଧ୍ୟ ଯେଉଁଟି ସମାନ ତାହା ହେଲା ଉପାସନା। ପ୍ରାୟ ସମସ୍ତ ଧର୍ମରେ ଉପାସନା କରି ଈଶ୍ୱର ପ୍ରାପ୍ତି ବିଷୟରେ ଉଣା ଅଧିକେ ରହିଛି। ସେ ହିନ୍ଦୁମାନଙ୍କର ଷୋଳ ସୋମବାର ହେଉ କି ମୁସଲିମମାନଙ୍କର ରୋଜା କି ବୌଦ୍ଧମାନଙ୍କର ଏକ ଆହାର ବ୍ରତ କି ଜୈନମାନଙ୍କର ରାତ୍ରିଭୋଜନ ତ୍ୟାଗ ଓ ଶୁଦ୍ଧିକରଣ ସପ୍ତାହ ହେଉ, ଉପବାସର ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି।
ଅଧିକ ପଢ଼ନ୍ତୁ: ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ହାର୍ଟ୍
ତେବେ ଆପଣମାନଙ୍କ ଭିତରୁ କେତେଜଣ ଆଜିକାଲି ଆମ ଶାସ୍ତ୍ର ଅନୁସାରେ ନିୟମ ନେଇ ସବୁ ପୂଜା କରିବାକୁ ବାହାରୁଛନ୍ତି ତାହା ଆପଣ ଭଲରେ ଜାଣନ୍ତି। ତାହା ତ ବିଶ୍ୱାସର କଥା। ହେଲେ ଆଜି ଆମେ ଦେଖିବା ଏହିସବୁ ପ୍ରକାର ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି, ଯଦି ରହିଛି ତେବେ ଭଲ ନା ଖରାପ। ତେବେ ପ୍ରଥମେ କହିରଖେ ଉପବାସ କହିଲେ ଆମେ କଠିନ ଖାଦ୍ୟ ଖାଇବା ବନ୍ଦ କରିବାକୁ ବୁଝିବା। ବିଜ୍ଞାନ ଅନୁସାରେ ଏହି ସମୟରେ ଯେକୌଣସି ହାଲୁକା ପାନୀୟ ନିଆଯାଇପାରିବ।
ଖାଦ୍ୟ ବିଜ୍ଞାନ କହୁଛି ଯେ ଉପବାସ ଦେହ ପାଇଁ ଜରୁରୀ। ଏହା ଆମ ଶରୀରର ଓଜନ ଠିକ ରହିବା ସହ ମସ୍ତିଷ୍କ ସୁପରିଚାଳନାରେ ସାହାଯ୍ୟ କରିଥାଏ। ଏଣୁ ଆମେ ଉଚିତ ଉପାୟରେ ଦରକରୀ ବ୍ୟବଧାନରେ ଉପବାସ ବା ଫାଷ୍ଟିଂ କରିବା ଜରୁରୀ। ତେବେ ଉପବାସ ସାଧାରଣତଃ ୨୪-୭୨ ଘଣ୍ଟାର ବ୍ୟବଧାନରେ କରାଯାଇଥାଏ।
Also Read
ଆମ ଧାର୍ମିକ ପରମ୍ପରାରେ ମଧ୍ୟ ଆମେ ଏପରି ନିୟମ ପାଇବା ଯେପରି ଅନେକ ଶୁଭଦିନ, ବ୍ରତ ଆଦିରେ ଆମେ ୨୪ ଘଣ୍ଟା ଉପବାସରେ ଥାଉ। ବେଳେବେଳେ ବିଧି ଅନୁଯାୟୀ ସପ୍ତାହରେ ଗୋଟିଏ ଦିନ ଉପବାସ କରୁ। ଯେପରି କେହି ସୋମବାର, ଶନିବାର ଆଦି ପାଳନ୍ତି । ଆଉ ଏକ ପ୍ରକାର ଉପବାସ ବୌଦ୍ଧଧର୍ମ ଓ ଜୈନଧର୍ମରେ ପାଇବା। ସେମାନେ ରାତିରେ ଖାଆନ୍ତି ନାହିଁ। ବୌଦ୍ଧ ସନ୍ନ୍ୟାସିମାନଙ୍କର ମଧ୍ୟାହ୍ନଭୋଜନ ପରେ ପୁଣି ପର ଦିନର ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ କିଛି ଖାଇବା ମନା।
ଜୈନମାନେ ସୂର୍ଯ୍ୟ ଅସ୍ତ ପରେ ଖାଆନ୍ତି ନାହିଁ। ଏହି ପ୍ରକାର ଦୈନିକ ଗୋଟିଏ ଥର କରୁଥିବା ଭୋଜନଜନିତ ଉପବାସକୁ ଆଜିକାଲି ଭାଷାରେ ଇଣ୍ଟର୍ମିଟେଣ୍ଟ ଫାଷ୍ଟିଂ କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏହିସବୁ ପ୍ରକାର ଉପବାସରେ ଆମ ଶରୀର ଉପରେ କଣ ଉପକାରିତା ରହିଛି।
- ପ୍ରତି ଦିନେ ଛଡ଼ା ଦିନେ ଉପବାସ କଲେ ଆମର ରକ୍ତ ଶର୍କରା ନିୟନ୍ତ୍ରଣରେ ଆସିବା ସହ ଇନସୁଲିନ୍ ପ୍ରତିରୋଧ ଶକ୍ତି ବଢ଼େ। ଏପରିକି ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଯେଉଁଥିରେ ଦିନକୁ ଥରେ ଖାଇବାର ବିଧି ରହିଛି ତାହା ମଧ୍ୟ ଆମକୁ କମ୍ କ୍ୟାଲୋରୀ ଖାଇବାରେ ସହାୟ ହୁଏ ଯାହା ଦ୍ୱାରା ଶର୍କରା ନିୟନ୍ତ୍ରଣରେ ଆସିଥାଏ। କିନ୍ତୁ ରିସର୍ଚ୍ଚରୁ ଜଣାଯାଇଛି ଯେ ଏହା ପୁରୁଷ ଓ ମହିଳାଙ୍କ ପକ୍ଷେ ଅଲଗା ପ୍ରକାର ପ୍ରଭାବ ପକାଏ।
- ଅନେକ ଶାରୀରିକ ପ୍ରଦାହଜନିତ ସମସ୍ୟା ଏହା ଦ୍ୱାରା କମ୍ ହୋଇଥାଏ। କ୍ରୋନିକ୍ ଅବସ୍ଥାରେ ଥିବା ପ୍ରଦାହ ମଧ୍ୟ ଏହି ପ୍ରକାର ଭଲ ହୋଇଥିବାର ଗବେଷଣାରୁ ଦେଖିବାକୁ ମିଳିଛି।
- ଏହା ଦ୍ୱାରା ବିଭିନ୍ନ ପ୍ରକାର ହୃଦ୍ରୋଗଜନିତ ସମସ୍ୟା, ବ୍ଲଡ୍ ପ୍ରେସର୍, ଟ୍ରାଇଗ୍ଲିସେରାଇଡ୍, କୋଲେଷ୍ଟରଲ୍ ସ୍ତର ମଧ୍ୟ କମ୍ ହୋଇଥାଏ।
- ଏହା ଆମ ମସ୍ତିଷ୍କ କାର୍ଷ୍ୟକାରିତାକୁ ବଢ଼ାଇଥାଏ। ଏହା ଦ୍ୱାରା ଆଲଝାଇମର ଓ ପାର୍କିନସନ୍ସ ପରି ସ୍ନାୟବିକ ତ୍ରୁଟିଜନିତ ରୋଗର ଆଶଙ୍କା ମଧ୍ୟ କମିଥାଏ।
- ଏହାଦ୍ୱାରା ଶରୀରର ମେଟାବଲିଜିମ୍ ନିୟନ୍ତ୍ରଣ ହୋଇଥାଏ ଯାହା ଓଜନ କମ୍ କରିବାରେ ସାହାଯ୍ୟ କରେ। ଏପରିକି ଏହା ବୟସ ବୃଦ୍ଧିଜନିତ ଲକ୍ଷଣ ମଧ୍ୟ କମ୍ କରିଥାଏ।
ତେବେ ଏତେ ସବୁ ଉପକାରିତା ଦେଖି ଆପଣ ସାଙ୍ଗେ ସାଙ୍ଗେ ଫାଷ୍ଟିଂ କରିବା ପାଇଁ ମନସ୍ଥ କରନ୍ତୁନି। ଏହା ପାଇଁ କେତେକ ନିୟମ ମନେ ରଖନ୍ତୁ।
- ଉପବାସ ଆରମ୍ଭ କରିବା ଆଗରୁ ଜାଣିରଖିବା ଉଚିତ ଯେ କେତେ ବ୍ୟବଧାନର ଉପବାସ ଆପଣ ସହ୍ୟ କରିପାରିବେ। ଅନ୍ୟମାନଙ୍କଠୁ ପ୍ରେରିତ ନ ହୋଇ ଆପଣଙ୍କ ସକ୍ଷମତା ଅନୁସାରେ ଉପବାସ କରନ୍ତୁ।
- ସର୍ବପ୍ରଥମେ ସିଧାସଳଖ କଠିନ ଖାଦ୍ୟ ତ୍ୟାଗ ନ କରି ଫଳାହାର, କ୍ଷୀର ଜାତୀୟ ଖାଦ୍ୟ ଆଦି ଉପବାସ ସମୟରେ ଖାଆନ୍ତୁ।
- କିଛି ଗୋଟେ ନିର୍ଦ୍ଧିଷ୍ଟ ସମୟାବଧି ଯାଏଁ ମଧ୍ୟ ଆପଣ କୌଣସି ଏକ ନିର୍ଦ୍ଧିଷ୍ଟ ଖାଦ୍ୟଦ୍ରବ୍ୟ ଛାଡ଼ିପାରିବେ।
- ଧ୍ୟାନ ରଖିବେ ଉପବାସ ସମୟରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟା ବା ପାନୀୟ ନ ନେବାକୁ।
ଉପବାସ ସମସ୍ତଙ୍କ ପାଇଁ ଅନୁକୂଳ ହୋଇ ନଥାଏ। ତେଣୁ ନିଜ ନିଜର ଶାରୀରିକ ସ୍ଥିତି ପ୍ରତି ସଚେତନ ହୋଇ ଉପବାସକୁ ଆପଣାଇବା ଉଚିତ। ବୃଦ୍ଧ, କ୍ରୋନିକ୍ ରୋଗୀ, ଛୋଟ ଶିଶୁମାନଙ୍କୁ ଉପବାସ କରିବାରୁ ବାରଣ ରହିବା ଉଚିତ। ନଚେତ ସେମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଏପରିକି ଡାଇବେଟିସ୍ ଗୋଗୀ ମଧ୍ୟ ଇଣ୍ଟର୍ମିଟେଣ୍ଟ ଫାଷ୍ଟିଂ କଲେ ସେମାନଙ୍କ ଶର୍କରା ସ୍ତରରେ ଅତ୍ୟଧିକ ହ୍ରାସ ଦେଖିବାକୁ ମିଳିପାରେ।
ସମସ୍ତ ପ୍ରକାର ଖାଦ୍ୟାଭ୍ୟାସ ପରି ଉପବାସ କରିବାର ମଧ୍ୟ ଉପକାରିତା ସହ ଅପକାରିତା ବା ଅନ୍ୟ ପକ୍ଷ ରହିଛି। ଏଣୁ ଆମେ ଆମ ଶରୀରର ସ୍ଥିତିକୁ ନଜର ରଖି କୌଣସି ପ୍ରକାର ନୂଆ ଖାଦ୍ୟାଭ୍ୟାସ ଆରମ୍ଭ କରିବା ପୂର୍ବରୁ ଡାଏଟିସିଆନ୍ଙ୍କ ପରାମର୍ଶ ନେବା ନିହାତି ଜରୁରୀ।