ଏଣିକି ବସ୍‌ରେ ରେଡ୍‌ କରିବେ ମହିଳା କମିଶନ, ମହିଳାଯାତ୍ରୀଙ୍କୁ ଆଗ ନଚଢ଼ାଇଲେ...

ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ ଜଣାଇଲେ । 'ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର' ।

Women Passenger

ଯାତ୍ରିବାହୀ ବସରେ ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ନ ଉଠାଇବା ପ୍ରସଙ୍ଗ । ଏନେଇ ପିଟିସନ ରୁଜୁ ପରେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ କରିଛନ୍ତି ରାଜ୍ୟ ମହିଳା କମିଶନ। କହିଛନ୍ତି, ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର । ତାଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ ବସ କର୍ମଚାରୀ ଯତ୍ନବାନ ହେବା ଆବଶ୍ୟକ । ଉଭୟ ସରକାରୀ ଓ ଘରୋଇ ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଉଠାଇବାକୁ ମହିଳା କମିଶନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବସରେ ମହିଳାଙ୍କ ପାଇଁ ସିଟ ସଂଖ୍ୟାକୁ ୫୦ ପ୍ରତିଶତକୁ ବଢ଼ାଯାଉ । ବସରେ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ବାବଦରେ ଆକସ୍ମିକ ପରିଦର୍ଶନ କରି ଯାଞ୍ଚ କରିବେ ମହିଳା କମିଶନ ।

କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଅଭିମୁଖେ ଯାତ୍ରା କରିବାକୁ ଥିବା ଜଣେ ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ଉଠାଇବାକୁ ବାରଣ କରିଥିଲେ କଣ୍ଡକ୍ଟର । ଟିକେଟ ଥାଇ ବି ଅପେକ୍ଷା କରିବାକୁ କୁହାଯାଇଥିଲା । କିଛି ସମୟ ପରେ ଜଣେ ପୁରୁଷ ଯାତ୍ରୀ ଚଢିବା ପରେ ମହିଳାଙ୍କୁ ବସରେ ବସିବାକୁ ଅନୁମତି ଦିଆଯାଇଥିଲା । ଏପରିକି ବସ ମାଲିକ କହିଥିଲେ ଯେ ମହିଳା ଯାତ୍ରୀ ବସାଇଲେ ଅଘଟଣ ଘଟିଥାଏ । ଏନେଇ ଘାସିନାଥ ପଣ୍ଡା ନାମକ ସାମାଜିକ କର୍ମୀ ଏକ ପିଟିସନ ରୁଜୁ କରିଥିଲେ ।