• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି ପିଲାଙ୍କୁ ଛତୁଆ ଦେଉଛ, ନିଜେ ଖାଇଲା ବେଳକୁ କାହିଁକି ନାକ ଟେକୁଛ ? ନିଜେ ଯଦି ଖାଇପାରୁନ, ପିଲାଙ୍କୁ ଖାଇବାକୁ କେମିତି ଦେଉଛ ? ଛତୁଆରେ ଫିମ୍ପି ଲାଗି ଯାଇଛି, ଲଡ଼ୁରୁ ଦୁର୍ଗନ୍ଧ ବାହାରୁଛି । ଏ ଛତୁଆ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ ନା ବିଗିଡିବ ?

ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଛତୁଆ ଅତି ନିମ୍ନ ମାନର ଥିବାନେଇ ଜାଣିବା ପରେ ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଅଫିସରଙ୍କୁ ଖାଇବାକୁ ଦେଇ ସେମାନଙ୍କ ଉପରେ ବର୍ଷିଛନ୍ତି ସମିତିସଭ୍ୟ । ଆଉ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ଲୋକେ ଖାଉଛନ୍ତି ପୋକରା ଛତୁଆ !

ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଆଉ ଏହି ବୈଠକରେ ସମିତି ସଭ୍ୟ ଜୟନ୍ତ ପ୍ରଧାନ ବି ଉପସ୍ଥିତ ଥିଲେ । ନିମ୍ନମାନର ଛତୁଆ ଓ ଲଡ଼ୁ ପିଲା ତଥା ଗର୍ଭବତୀଙ୍କୁ ଦିଆଯାଉଥିବା ନେଇ ଜୟନ୍ତ ପୂର୍ବରୁ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାକୁ ନେଇ ତାତିଥିଲେ ସମିତିସଭ୍ୟ ।

କେବଳ ତାତି ଥିଲେ ତାହା ନୁହେଁ ବରଂ ନିଜ ସହ ଆଣିଥିବା ଛତୁଆ ପ୍ୟାକେଟକୁ ବୈଠକରେ ସବୁ ବଡବାବୁଙ୍କ ସାମ୍ନାରେ ଖୋଲିଥିଲେ । ଆଉ ଅଫିସରଙ୍କୁ ଖାଇବାକୁ ଦେଇଥିଲେ । ହେଲେ ନିମ୍ନାମାନର ଛତୁଆ ଖାଇବାକୁ ନାକ ଟେକିଥିଲେ ସବୁ ବାବୁମାନେ । ବାଦାମ ଲଡୁକୁ ମଧ୍ୟ ସେ ସମସ୍ତଙ୍କୁ ଦେଇଥିବା ବେଳେ କିଏ ବାଧ୍ୟରେ ଗୋଟିଏ ଧରିଲା ତ ଆଉ କିଏ ଡାଇବେଟିସ ବାହାନାରେ ଖସିଗଲା । ‘ଯେଉଁ ଫିମ୍ପିମରା ଲଡୁ ଓ ଦୁର୍ଗନ୍ଧ ବାହାରୁଥିବା ଛତୁଆକୁ ତୁମେ ଖାଇପାରୁନ ତାକୁ କୁନି କୁନି ପିଲା ତଥା ଗର୍ଭବତୀ କିପରି ଖାଇବେ’ ବୋଲି ଜୟନ୍ତ ପ୍ରଶ୍ନ କରିଥିଲେ । ‘ଏହାକୁ ଖାଇବାକୁ ଦେଇ ଆମେ ପିଲାଙ୍କୁ ପୁଷ୍ଟିକର ଆହାର ଯୋଗାଇବା ନା ମରଣ ମୁହଁକୁ ଠେଲିବା’ ବୋଲି କହିଥିଲେ ।

ମିଳିଥିବା ସୂଚନା ଅନୁସାରେ, ଗରଗଡବାହାଲ ପଞ୍ଚାୟତର ହରପ୍ରିୟା ସ୍ୱୟଂସହାୟକ ଦଳ ଏହି ଛତୁଆ ଯୋଗାଣ ଦାୟିତ୍ୱ ନେଇଥିବା ଜଣାଯାଇଛି । ପ୍ୟାକେଟରେ କୌଣସି ପ୍ୟାକିଙ୍ଗ ତାରିଖ ନ ରହିବା ସହ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହୋଇଥିବା ନେଇ ସମିତି ବୈଠକରେ ଦୁଇଦୁଇ ଥର ଅଭିଯୋଗ ହୋଇଥିଲା । ଏପରି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସମିତି ସଭ୍ୟଙ୍କୁ ପ୍ରଶଂସା କରୁଥିବା ବେଳେ ଏହି ଘଟଣାକୁ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

(ରିପୋର୍ଟ- ରମାକାନ୍ତ ମହାନନ୍ଦ, ରେଢାଖୋଲ)