• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ମୁଁ ଆଉ ବଂଚିବାକୁ ଚାହୁଁନି.. ରାହୁଲ ମତେ ବହୁତ କଷ୍ଟ ଦେଲାଣି । ଶାରିରୀକ ଓ ମାନସିକ ନିର୍ଯାତନା ପାଇ ପାଇ ମୁଁ ଥକିଗଲିଣି । ଆଉ କେତେ ଦିନ ଏତେ କଷ୍ଟ ସହିବି ? ପ୍ରତି ମୁହୂର୍ତ୍ତରେ ରାହୁଲ ମତେ କଷ୍ଟ ଦେଉଛି । ମତେ ଭାରି ବାଧୁଛି । ଏ ଜୀବନ ରଖିକି କି ଲାଭ ? ବାପା.. ମାଆ ମତେ କ୍ଷମା କରିଦେବ । ମୁଁ ତୁମ କଥା ମାନିପାରିଲିନି କି ଗୋଟିଏ ଭଲ ଝିଅ ହୋଇପାରିଲିନି.. ମୁଁ ଯାଉଛି... କିନ୍ତୁ ରାହୁଲ ଓ ତା’ ପରିବାରକୁ କେବେ ଛାଡିବ ନାହିଁ । ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବ । ଯଦି ସେମାନଙ୍କୁ ଦଣ୍ଡ ନଦେବ ତେବେ ମୋ ଆତ୍ମ କେବେ ଶାନ୍ତି ପାଇବ ନାହିଁ । ମିତେଶ ମତେ ତୁମେ କ୍ଷମା କରିଦେବ ।’

ଚିଠିରେ ଥିବା ଏମିତି କିଛି ଲେଖାରୁ ସ୍ପଷ୍ଟ ବାରି ହୋଇଯାଉଛି, ବୈଶାଳୀଙ୍କ ଜୀବନ ହାରିବାର କାରଣ । କେବଳ ରାହୁଲ ହିଁ ତାଙ୍କ ଜୀବନକୁ ନର୍କ କରିଦେଇଥିଲେ । ସେଇଥିପାଇଁ ତ ଯିବା ଆଗରୁ ଏମିତି ଚିଠି ଲେଖିଛନ୍ତି ବୈଶାଳୀ । ଆଉ ଚିଠି ଶେଷରେ Quit ବୋଲି ବି ଲେଖିଛନ୍ତି । ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା ।

ମାତ୍ର ୩୦ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରୁନାହାନ୍ତି । ଇନ୍ଦୋର ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ୍‌ । ଖାଲି ଶବ ଜବତ କରିଛି ତାହା ନୁହେଁ ବରଂ ବୈଶାଳୀଙ୍କ ପାଖରୁ ଏଭଳି ଏକ ଚିଠି ବି ଜବତ କରିଛି । ଚିଠି ପାଇବା ପରେ ପୋଲିସର ବଢିଲା ସନ୍ଦେହ । ବୈଶାଳୀଙ୍କୁ ହଇରାଣ କରୁଥିଲା କିଏ ? ରାହୁଲ କିଏ ? ତାଙ୍କ ସହ ବୈଶାଳୀଙ୍କ କେବେଠୁ ସମ୍ପର୍କ ? ପୋଲିସ ହାତରେ ସୁଇସାଇଡ୍‌ ନୋଟ୍ ଲାଗିବା ପରେ ରାହୁଲଙ୍କ ନାଁକୁ ନେଇ ବଢିଲା ସନ୍ଦେହ ।

କାରଣ ବୈଶାଳୀ ରୋକଠୋକ କହିଛନ୍ତି ରାହୁଲ ହିଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ।ତନା ଦେଉଥିଲା । ଖାଲି ନିର୍ଯାତିତ ଥିଲେ ତାହା ନୁହେଁ ବରଂ କିଛି ଦିନ ହେଲାଣି ତାଙ୍କୁ କୌଣସି କାମ ମିଳୁନଥିଲା । ତେଣୁ ସେ ଅବସାଦରେ ଥିଲେ । ହୁଏତ ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ବଢୁଛି ।

 ସୂଚନାଯୋଗ୍ୟ, ରାହୁଲ ହେଉଛନ୍ତି ବୈଶାଳୀଙ୍କ ପଡ଼ୋଶୀ । ପେଶାରେ ସେ ଜଣେ ବ୍ୟବସାୟୀ । ବୈଶାଳୀ ଶୀଘ୍ର ବିବାହ କରିବାକୁ ଚାହୁଁଥିବା ବେଳେ ରାହୁଲ ତାଙ୍କୁ ହଇରାଣ କରୁଥିବାରୁ ସେ ଏମିତି କରିଥିବା ପରିବାର ଲୋକ ବି ଅଭିଯୋଗ କରିଛନ୍ତି । ହେଲେ ପ୍ରକୃତରେ ସତ କଣ ତାହା ତଦନ୍ତ ହେଲେ ହିଁ ଜଣାପଡିବ ।