• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ଦିନରେ ଜନ୍ମ, ଗୋଟିଏ ଦିନରେ ମୃତ୍ୟୁ । ଜନ୍ମ ଓ ମୃତ୍ୟୁ ସମୟ ମଧ୍ୟ ପ୍ରାୟତଃ ଏକା । ଆଶ୍ଚର୍ଯ୍ୟ ଓ ବିଡ଼ମ୍ବନାର କଥା ହେଉଛି ମୃତ୍ୟୁ ମଧ୍ୟ ପ୍ରାୟତଃ ସମାନ ଢଙ୍ଗରେ ହୋଇଛି । ଏହି ଘଟଣାଟି ହେଉଛି ରାଜସ୍ଥାନ ବାଡ଼ମେରର । ଯାଆଁଳା ଭାଇ ସୋହନ ଓ ସୁମେର । ଦୁଇ ଭାଇଙ୍କ ବୟସ ୨୬ ବର୍ଷ । ଏମାନଙ୍କ ମଧ୍ୟରୁ ସୋହନ ହେଉଛନ୍ତି ବଡ଼ ।

ଯାଆଁଳା ହୋଇଥିବାରୁ ଦୁଇ ଭାଇଙ୍କ ମଧ୍ୟରେ ଦୃଢ଼ ସଂପର୍କ ଥିଲା । ସାନ ଭାଇ ସୁମେର ଭଲ ପଢୁନଥିଲେ । ବଡ଼ ଭାଇ ସୋହନର ପାଠ ଭଲ ହେଉଥିଲା । ବଡ଼ ଭାଇ ଯେମିତି ପାଠ ପଢ଼ିବ, ଭଲ ଚାକିରି ଟେ କରିବ, ସେଥିପାଇଁ ଗୁଜରାଟ ସୁରତ ଯାଇ ଏକ ସୁତା ମିଲ୍‌ରେ କାମ କରୁଥିଲେ ସାନ ଭାଇ ସୁମେର ।

ସରକାରୀ ଚାକିରି ଖଣ୍ଡେ ପାଇବାକୁ ଜୟପୁରରେ ପ୍ରସ୍ତୁତି ଚଳାଇଥିଲେ ସୋହନ । ହେଲେ ବୋଧହୁଏ ନିୟତିର ନିର୍ଦ୍ଦେଶ ଥିଲା ଅଲଗା । ଦୁର୍ଭାଗ୍ୟର କଥା ହେଲା-ସୁରତରେ ରହୁଥିବା ସାନ ଭାଇ ସୁମେରର ମୃତ୍ୟୁ ହୋଇଥିଲା ଗତ ବୁଧବାର ଦିନ । ବାଲକୋନିରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖବର ଦେବା ପରେ ଜୟପୁରରୁ ଗାଁକୁ ପଳାଇ ଆସିଥିଲେ ବଡ଼ ଭାଇ ସୋହନ । ଗୁରୁବାର ଦିନ ସେ ଘରଠୁ ମାତ୍ର ଶହେ ମିଟର ଦୂରରେ ଥିବା ପୋଖରୀକୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ । ଫୋନ୍‌ରେ କଥା ହେଉଥିବା ବେଳେ ହିଁ ପୋଖରୀରେ ବୁଡ଼ି ବଡ଼ ଭାଇ ସୋହନଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ଅଧିକ ପଢ଼ନ୍ତୁ: ଯାଆଁଳା ଭଉଣୀ, କିନ୍ତୁ ଜନ୍ମ ତାରିଖ-ବର୍ଷ ଅଲଗା; ଜାଣନ୍ତୁ ପୁରା କାହାଣୀ..

କହିବାକୁ ଗଲେ ସତେ ଯେମିତି ଡକାଡକି ହୋଇ ଚାଲିଗଲେ ଦୁଇ ଯାଆଁଳା ଭାଇ । ଛାତି ଫାଟି ଯିବା ଭଳି ଦୁଃଖ । ଗୋଟିଏ ଦିନରେ ଜନ୍ମ ହୋଇଥିଲେ, ଗୋଟିଏ ଦିନରେ ଚାଲିଗଲେ । ପରସ୍ପରଠାରୁ ୯ ଶହ କିଲୋମିଟର ଦୂରରେ ରହୁଥିଲେ ମଧ୍ୟ ଏକା ଦିନରେ ଚାଲିଗଲେ ଦୁଇ ଭାଇ । ଉଭୟଙ୍କ ମୃତ୍ୟୁରେ ମଧ୍ୟ ଏକ ପ୍ରକାର ସମାନତା ଅଛି । ଏହି ଘଟଣା କେବଳ ସେମାନଙ୍କ ପରିବାର କି ଗାଁ ନୁହେଁ, ପୁରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଦୁଇ ଯାଆଁଳା ଭାଇଙ୍କୁ ଗୋଟିଏ ଜୁଇରେ ହିଁ ଦାହ କରିଛନ୍ତି ପରିବାର ଲୋକେ ।