• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭିଟାମାଟି ପାଇଁ ଆଦିବାସୀଙ୍କ ସଂଘର୍ଷ । ନିଜ ଗାଁ ନଛାଡ଼ିବାକୁ ୬୫ କିଲୋମିଟର ପଦଯାତ୍ରା । ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇବା ଲାଗି ପଦଯାତ୍ରାରେ ବାହାରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ପଞ୍ଚାୟତର ଶତାଧିକ ଗ୍ରାମବାସୀ । ଗତ ୧୮ରେ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରା ଗତକାଲି ବଡଗାଁରେ ପହଞ୍ଚିଥିଲା । ଆଜି ସକାଳୁ ସେମାନେ ପୁଣି ବଡଗାଁରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ଗାଁ ଲୋକେ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ।

ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍ ବା ଓସିଏଲ୍ ତାର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଏହି ପାଞ୍ଚୋଟି ପଞ୍ଚାୟତର ୭୧୭ ଏକର ଜମି ଅଧିଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ଆରମ୍ଭରୁ ଏହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଆଦିବାସୀ । ଏଥିପାଇଁ ଦୁଇ ଦୁଇ ଥର ଜନ ଶୁଣାଣି ମଧ୍ୟ କରାଗଲା । କିନ୍ତୁ ଆଦିବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ହୋଇପାରିନଥିଲା । କିନ୍ତୁ ପ୍ରଶାସନ ଜନ ଶୁଣାଣିକୁ ସଫଳ ହୋଇଥିବା ଦର୍ଶାଇ ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଯୋଜନା କରୁଥିବା ଜାଣି ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି । ପୂର୍ବରୁ ଅନେକ ଥର ଏହା ପାଇଁ ଆନ୍ଦୋଳନ, ଧାରଣା, ପ୍ରତିବାଦ ଆଦି କଲା ପରେ ଏବେ ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ୬୫ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଆଦିବାସୀ ।