• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଂଜଳି । ଦିବଙ୍ଗତ ମାନଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯିବ । ଆଜି ହେଉଛି ଦଶାହ କାର୍ଯ୍ୟକ୍ରମ । ଦେବଦୂତ ସାଜି ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା କିଛି ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକ ଆଜି ମୁଣ୍ଡନ ହେବେ ।

ବାହାନଗା ହାଇସ୍କୁଲ ପାଖ ପଡିଆରେ ଏହି କାର୍ଯ୍ୟକ୍ରମ କରାଯିବ । ଆସନ୍ତାକାଲି ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ ଏବଂ ଦ୍ୱାଦଶାହ ଦିନ ରିତମ୍ଭରା ଅନ୍ତର୍ଜାତୀୟ ସଂଘ ତରଫରୁ ୫ ହଜାର ୮ ଦୀପଦାନ ଓ ଅମୃତଧାରା ସତସଙ୍ଗ ସମାରୋହ କରାଯିବ। ବାହାନଗା, ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ।

 

ସେପଟେ ଏହି ରେଳ ଦୁର୍ଘଟଣାର ତନାଘନା ଚଳାଇଛି ସିବିଆଇ । ଗଲା ୬ ଦିନ ଧରି ସିବିଆଇ ଗ୍ରାଉଣ୍ଡରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ।ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଶଶିଭୂଷଣ ମହାନ୍ତିଙ୍କ ସମେତ ରେଲୱେର ଏକାଧିକ କର୍ମଚାରୀଙ୍କୁ ସ୍କାନରରେ ରଖିବା ସହ ସେମାନଙ୍କ ମୋବାଇଲକୁ ସିଜ୍ କରି ପଚରାଉଚରା ଚାଲିଛି । କେବଳ ଏତିକି ନୁହେଁ, ବାହାନଗା ଷ୍ଟେସନର ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଛି ।

ସିବିଆଇର ୩ଟି ଟିମ୍ ମଧ୍ୟରୁ ଗୋଟିଏ ବାହାନଗା ଷ୍ଟେସନର ଉତ୍ତର ଏବଂ ଦକ୍ଷିଣ କ୍ୟାବିନରେ ଖୋଳତାଡ଼ କରୁଥିବାବେଳେ ଅନ୍ୟ ୨ଟି ଟିମ୍ ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ତଥ୍ୟ ସଂଗ୍ରହ କରୁଛନ୍ତି । ଷ୍ଟେସନର ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ପରବର୍ତ୍ତି ନୋଟିସ୍ ଯାଏଁ ଏଠି ଅଟକିବନି ।