/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692717986.jpg)
Puri Srimandir
କେବେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ନିର୍ଦ୍ଦିଷ୍ଟ ସମୟ ନଦେଲେ ବି ଅକ୍ଟୋବର ସୁଦ୍ଧା ପ୍ରକଳ୍ପ କାମ ସରିବା ନେଇ ସଂକେତ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅବଢ଼ା ଯୋଜନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟପ୍ରଶାସକ କହିଛନ୍ତି ଅକ୍ଟୋବର ଭିତରେ ପରିକ୍ରମା ପ୍ରକଳ୍ପ ସାରିବାକୁ ଚେଷ୍ଟା ଚାଲିଛି। ସବୁ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଚାଲିଛି।
ସେହିପରି ଯେଉଁଠି ଶ୍ରୀମନ୍ଦିର ପ୍ରଶାସନ କୋଠା ଓ ଏମାର ମଠ ଥିଲା ସେ ୨ ଦୁଇ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ଯେଉଁଥିରେ 1 ହଜାର ଭକ୍ତ ରହିପାରିବେ ବୋଲି ସେ ସୂଚନା ଦେବା ସହ ଏମାର ମଠ ପଛପଟେ ହେବାକୁ ଥିବା ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ସରିଥିବା କହିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ବସିଥିବା ସମୀକ୍ଷା ବୈଠକରେ ଦିବ୍ୟାଙ୍ଗ ଦର୍ଶନାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରାମ୍ପ ନିର୍ମାଣ ପ୍ରସଙ୍ଗ ବି ଉଠିଛି। ୨୦୧୫ ନଭେମ୍ବର ମାସରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ନିର୍ମିତ ଏକ ଷ୍ଟିଲ ରାମ୍ପ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ ଦିବ୍ୟାଙ୍ଗ ଓ ବୟସ୍କ। କିଛି ଦିନ ପାଇଁ ଏ ବ୍ୟବସ୍ଥା ଚାଲିଲା। କାଠଚକ ଲଗା ହ୍ୱିଲ୍ ଚେୟାରର ବ୍ୟବସ୍ଥା ବି ହେଲା। ହେଲେ ଏବେ ଏସବୁ ବ୍ୟବସ୍ଥା ଆଉ ନାହିଁ । ଉତ୍ତର ଦ୍ୱାରରେ ରାମ୍ପର ଆଉ ଚିହ୍ନବର୍ଣ୍ଣ ନାହିଁ।
ତେଣୁ ସ୍ୱତନ୍ତ୍ର ରାମ୍ପ ନେଇ ଦୀର୍ଘ ଦିନ ଧରି ହୋଇ ଆସୁଥିବା ଦାବି ଏବେ ପୂରଣ ହେବାକୁ ଯାଉଛି। ଏଏସ୍ଆଇ ଏନେଇ ପଦକ୍ଷେପ ନେଉଛି। ଆସନ୍ତା ଅକ୍ଟୋବର ସୁଦ୍ଧା ସ୍ବତନ୍ତ୍ର ରାମ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଏହା ସରିବାକୁ ଦୁଇ ତିନିମାସ ଲାଗିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ ସାଙ୍ଗକୁ ପଞ୍ଚତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)