• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାମୀ ଫଟୋକୁ ଧରିଛି, ଭୋଭୋ ହୋଇ କାନ୍ଦୁଛି । କେତେବେଳେ ଲୁଗା କାନିରେ ଫଟୋ ପୋଛି ଦେଉଛି ତ ଆଉ କେତେବେଳେ ଫଟୋ ସାମ୍ନାରେ ରହି ଗୁଣୁଗୁଣୁ ହୋଇ କାନ୍ଦୁଛି, ଆଉ କହି ହେଉଛି ଭଗବାନ ମତେ ଏମିତି ଦୁଃଖ କାହିଁକି ଦେଲ ? ସାତ ଜନ୍ମର ସାଥୀ ହୋଇ ରହିବ ବୋଲି କଥା ଦେଇଥିଲ, ହେଲେ ଗୋଟିଏ ଜନ୍ମରେ ଅଧା ରାସ୍ତାରେ ଏକା କରି ଦେଇଗଲ । ଦୁଇ ଦୁଇଟି ପିଲା, ବୃଦ୍ଧା ଶାଶୂଙ୍କୁ ନେଇ ମୁଁ ଚଳିବି କେମିତି ?

ସ୍ୱାମୀ ଚାଲିଯିବା ପରେ ସବୁ କିଛି ସରିଗଲା। ପରିବାରକୁ କେମିତି ଚଳାଇବ ସେଇ କଥା ଚିନ୍ତା କରି ସ୍ୱାମୀଙ୍କ ଫଟୋ ପାଖରେ ଭୋ ଭୋ ହୋଇ କାନ୍ଦୁଛି ବିଧବା ପତ୍ନୀ । ଆଉ ୟାଙ୍କ କଷ୍ଟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ । ଆଉ ଆପଣ ବି କହିବେ, ଭଗବାନ ଏତେ ନିଷ୍ଠୁର କେମିତି ହେଲେ ?

ଆମେ କହୁଛୁ ଯାଜପୁର ସୁକିନ୍ଦା ପିଙ୍ଗଲ ପଂଚାୟତର ବର୍ଷାରାଣୀଙ୍କ କଥା । ଦୁଇ ପିଲା, ସ୍ୱାମୀ ଓ ଶାଶୂଙ୍କୁ ନେଇ ବେଶ୍‌ ହସଖୁସିରେ ଚଳୁଥିଲା ପରିବାର । ସ୍ୱାମୀ ବିପିନ ପିଆଜ ଗୋଦାମରେ କାମ କରୁଥିଲେ । ସେତିକିରୁ ଯେତିକି ଯାହା ରୋଜଗାର ହୁଏ କଷ୍ଟେମଷ୍ଟେ ପରିବାର ଚଳୁଥିଲା । ହେଲେ ଦୀପାବଳି ଦିନ ବଡବଡୁଆ ଡକାଯିବା ବେଳେ ହଠାତ୍‌ ଭୀଷଣ ଜ୍ୱରରେ ପଡିଲେ ବିପିନ । ଜ୍ୱର ଅତ୍ୟଧିକ ହେବାରୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ବିପିନଙ୍କୁ ନେଇଥିଲେ ପରିବାର ଲୋକ ।

କଟକ ମେଡିକାଲରେ ଜଣାପଡିଲା କି ବିପିନଙ୍କ ଲିଭର ଓ ୨ଟି କିଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଉ ଚିକିତ୍ସାଧୀନ ଅବସ୍ଥାରେ ବିପିନଙ୍କ ମୃତ୍ୟୁ ହୋଇଥିଲା । ହଠାତ୍‌ ସ୍ୱାମୀଙ୍କ ମୃତ୍ୟୁ ପରେ ଉଜୁଡିଯାଇଛି ବର୍ଷାରାଣୀଙ୍କ ପରିବାର । ସମ୍ପର୍କୀୟ, ଗାଁ ଲୋକ ଓ ଗୋଦାମ ମାଲିକଙ୍କ ସହାୟତାରେ ସିନା ସୁଧ କାମ ହେଲା ଏବେ କିନ୍ତୁ ପରିବାର ଚଳାଇବା ବର୍ଷାରାଣୀଙ୍କ ପକ୍ଷରେ ସମ୍ଭବ ହେଉନି । ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ ବିପିନ । ଆଉ ବିପିନଙ୍କ ଅବର୍ତ୍ତମାନରେ ଭାଙ୍ଗି ପଡିଛନ୍ତି ବୁଢୀ ମାଆ । ପୁଅକୁ ଝୁରି ଝୁରି ଦିନ କାଟୁଛନ୍ତି ସତ ହେଲେ କେମିତି ପରିବାର ଚଳିବ ସେନେଇ କିଛି ଚିନ୍ତା କରିପାରୁନାହାନ୍ତି ।

ବାପା ଚାଲିଯିବା ପରେ କ୍ୟାମେରା ସାମ୍ନାରେ ଏମିତି କାନ୍ଦିକାନ୍ଦି ବଡ ଝିଅ କହିଛନ୍ତି, ବାପାଙ୍କର ଇଚ୍ଛା ଥିଲା ଆମେ ବହୁତ ପଢୁ । ଆଜି ସିଏ ତ ନାହାନ୍ତି । ଆମେ କେମିତି ଚଳିବୁ ? ପାଠ ପଢିବା ପାଇଁ ଟଙ୍କା ଆଣିବୁ କେଉଁଠୁ ? ତେବେ ବିପିନଙ୍କ ପରିବାକୁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ପଡୋଷୀ । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ । ତୁରନ୍ତ ବିପିନଙ୍କ ପରିବାରକୁ ସାହାଯ୍ୟ କରିବା ସହିତ ପିଲାଙ୍କ ପାଠ ପଢାର ବ୍ୟବସ୍ଥା କରାଇବାକୁ ଦାବି କରିଛନ୍ତି ଗାଁ ଲୋକେ ।

ଆପଣ ଯଦି ବିପିନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଏହି ଠିକଣାରେ ଯୋଗାଯୋଗ କରନ୍ତୁ ।
ନାମ - ବର୍ଷାରାଣୀ ଚକ୍ର
ସ୍ୱାମୀ - ସ୍ୱର୍ଗତ: ବିପିନି ବିହାରୀ ଚକ୍ର
ଗ୍ରାମ – କଇଥା (କଳିଙ୍ଗନଗର)
ପୋଷ୍ଟ - ପିଙ୍ଗଲ
ବ୍ଲକ - ସୁକିନ୍ଦା
ପିନ୍ - ୭୫୫୦୨୬
ଫୋନ ନଂ – ୯୩୩୭୩୧୩୨୨୭

ବର୍ଷାରାଣୀଙ୍କ ସମ୍ପର୍କରେ ଜାଣିବା ପରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହିତ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

(ରିପୋର୍ଟ- ଜନ୍ମେଜୟ ଦାସ, ଯାଜପୁର ରୋଡ)