• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ବାବୁ ବେଲୁନ ନିଅ ବେଲୁନ, ଗୋଟାକ ୨୦ ଟଙ୍କା । ବାବୁ ତୁମେ ବେଲୁନ୍‌ ନେଲେ ମୋ ପେଟ ପୂରିବ ଆଉ ପରିବାର ଚଳିବ । ବେଲୁନ ନନେଲେ ମୋ ପେଟ ପୂରିବନି । ମୁଁ ଭୋକ ଉପାସରେ ରହିଯିବି । ବାବୁ ମୋ ବେଲୁନ୍‌ ନିଅ ବେଲୁନ୍‌ ।’

ରାସ୍ତା କଡ଼ରେ ଥିବା ଜଣେ ଯୁବକ ମେଂଚାଏ ବେଲୁନ ଧରିଛନ୍ତି । ଗରାଖଙ୍କୁ ଅପେକ୍ଷା କରି ବସିଥାନ୍ତି । ଯିଏ ଯେତେବେଳେ ଆସୁଛି, ତାକୁ ବେଲୁନ୍‌ ବଢାଇ ଦେଉଛନ୍ତି ଯୁବକ ଜଣକ । ମାତ୍ର ୨୦ ଟଙ୍କାରେ ରଙ୍ଗୀନ ରଙ୍ଗୀନ ବେଲୁନ୍‌ ବିକ୍ରି କରୁଛନ୍ତି । ହୁଏତ ଆପଣ ଭାବୁଥିବେ ରାସ୍ତା କଡରେ ଶହଶହ ବେଲୁନ ବାଲା ବସୁଛନ୍ତି, ବେଲୁନ ବିକ୍ରି କରୁଛନ୍ତି । ଇଏ ବି ଜଣେ ବେଲୁନ୍‌ ବାଲା । ଏଥିରେ ନୂଆ କଣ ?

ତେବେ ଆମେ ଯାହା କଥା କହୁଛୁ ସେ ଖାଲି ବେଲୁନ ବାଲା ନୁହନ୍ତି ବରଂ ଏଇ ବେଲୁନ ବିକି ପରିବାର ଚଳାଇବା ସହିତ ନିଜେ ଔଷଧ ଖାଇ ବଂଚୁଛନ୍ତି । ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଜ୍ଞା ହଁ...ଠିକ୍‌ ଶୁଣିଲେ । ଏ ଯୁବକ ଜଣକ ରକ୍ତ କର୍କଟ ବା ବ୍ଲଡ୍‌ କ୍ୟାନସରରେ ପୀଡ଼ିତ । ଆଉ ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍‌ । ବୟସ ୨୧ ହେବ । ଘର ମାଲକାନଗିରି ଏମଭି- ୭୯ରେ ।

ଅଧିକ ପଢ଼ନ୍ତୁ: IAS ହେବା ପାଇଁ ଚା’ ବିକି ଟଙ୍କା ଯୋଗାଡ଼ କରୁଛନ୍ତି ଶୁଭଲକ୍ଷ୍ମୀ

ଯେଉଁ ବୟସରେ ପାଠ ପଢିବାର କଥା, ସାଙ୍ଗସାଥୀଙ୍କ ମେଳରେ ସମୟ କାଟିବା କଥା । ଆଜି ସେହି ବୟସରେ ରାସ୍ତା କଡରେ ବେଲୁନ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବିଭାସ୍‌ । ବ୍ଲଡ୍‌ କ୍ୟାନସର ହେବା ପରେ ବଡ଼ କଷ୍ଟରେ ଜୀବନ କାଟୁଛନ୍ତି । ପରିବାରର ଆର୍ଥିକ ଅବସ୍ଥା ସେତେଟା ଭଲ ନାହିଁ, ତେଣୁ ବିଭାସଙ୍କୁ ବେଶି ପାଠ ପଢାଇନାହାନ୍ତି ବାପା-ମାଆ । ଅଭାବ ଭିତରେ ଭାଗ୍ୟକୁ ଦାଉ ସାଧୁଛି ରୋଗ । ବ୍ଲଡ୍‌ କ୍ୟାନସରର ଔଷଧର ଦାମ୍‌ ଶୁଣିଲେ ହୋସ୍‌ ଉଡିଯାଉଛି । ହେଲେ ଏହାରି ଭିତରେ ସଂଘର୍ଷ କରି ଚାଲିଛନ୍ତି ବିଭାସ ।

ନିଜକୁ କ୍ୟାନସର ହେବା କଥା ଜାଣିବା ପରେ ବି ସେ ପରିଶ୍ରମ କରିବାରେ ପଛକୁ ହଟୁନାହାନ୍ତି । ବରଂ କେମିତି ଦୁଇ ପଇସା ରୋଜଗାର କରିହେବ ସେହି ରାସ୍ତା ବାଛୁଛନ୍ତି । ଖାଲି ବାଛୁଛନ୍ତି ତାହା ନୁହେଁ କାମରେ କରି ଦେଖାଇଛନ୍ତି । ମାତ୍ର ୨୧ ବର୍ଷ ବୟସରେ ପରିବାରର ବୋଝ ନିଜ କାନ୍ଧକୁ ନେଇଛନ୍ତି ଆଉ ରାସ୍ତା କଡ଼ରେ ବେଲୁନ ଧରି ବିକ୍ରି କରୁଛନ୍ତି ।

(ରିପୋର୍ଟ- ଜିତେନ୍ଦ୍ର ବେଉରା, ମାଲକାନଗିରି)