• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାସ୍ତା କଡରେ ଚା’ ଦୋକାନ ଖୋଲିଛି, ଟକମକ ହୋଇ ଚା ଫୁଟୁଛି । ଆଉ ସେଇଠୁ ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଛନ୍ତି ଶୁଭଲକ୍ଷ୍ମୀ । ହଁ ଯୁକ୍ତ ୩ରେ ପାଠ ପଢୁଛନ୍ତି । ଢେଙ୍କାନାଳ ସହର ମହାତ୍ମାଗାନ୍ଧୀ ମାର୍ଗରେ ଚା’ ଦୋକାନ କରି ଯେତିକି ଟଙ୍କା ରୋଜଗାର କରୁଛନ୍ତି, ସେତିକିରେ ପରିବାର ଚଳାଇବା ସହିତ ଆଇଏଏସ୍‌ ହେବା ପାଇଁ ଟଙ୍କା ବି ରଖୁଛନ୍ତି । ଶୁଭଲକ୍ଷ୍ମୀଙ୍କର ସଂଘର୍ଷ ଦେଖିଲେ ଆପଣ ବି ତାଙ୍କୁ ଦେବେ ସାବାସି ଦେବେ ।

୧୯ ବର୍ଷିୟ କଲେଜ୍‌ ଛାତ୍ରୀ ଶୁଭଲକ୍ଷ୍ମୀ ପରିଡା । ଡେଙ୍କାନାଳ ଓଡାପଡା ବ୍ଲକ ସିମିନଇ ଗାଁର ନୂଆରୋଡରେ ଘର ତାଙ୍କର । ଯେଉଁ ବୟସରେ ସାଙ୍ଗମାନଙ୍କ ସହ ମସ୍ତି କରିବାର କଥା, ସେହି ବୟସରେ ଅର୍ଗାନିକ ଚା’ ଦୋକାନ କରି ଏବେ ଚର୍ଚ୍ଚାରେ ଯୁକ୍ତ ତିନି କଳାର ପ୍ରଥମ ବର୍ଷ ଛାତ୍ରୀ ଶୁଭଲକ୍ଷ୍ମୀ । ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିଲେ । ଆଉ ଏବେ ପାଠ ପଢି ପ୍ରଶାସନିକ ଅଧିକାରୀ ହେବାକୁ ଦେଖୁଛନ୍ତି ସ୍ୱପ୍ନ ।

ଅଧିକ ପଢ଼ନ୍ତୁ: ସ୍ୱପ୍ନ ସାକାରରେ ବାଧକ ସାଜି ପାରିଲାନି ଅନଟନ; ଜାଣନ୍ତୁ ନୂଆ OAS ଙ୍କ କାହାଣୀ..

ହେଲେ ଏହି ସ୍ୱପ୍ନରେ ବାଧକ ସାଜିଛି ଆର୍ଥିକ ସଙ୍କଟ । ବାପା ଦିନ ମଜୁରିଆ ଭାବରେ କାମ କରୁଛନ୍ତି । ଦିନକୁ ବଡ ଜୋରରେ ୨୫୦ ରୁ ୩୦୦ ଟଙ୍କା ରୋଜଗାର ହେଉଛି । ଘରେ ପୁଣି ଡାଇବେଟିସ୍‌ ରୋଗରେ ମାଆ ପଡିଛନ୍ତି । ଆଜିକା ମହଙ୍ଗା ଯୁଗରେ ଟଙ୍କା ୩୦୦ରେ ପରିବାର ଚଳାଇବା ସହିତ ମାଆଙ୍କ ଔଷଧ ଖର୍ଚ୍ଚ କରିବା କାଠିକର ପାଠ ।

 

ବାପାଙ୍କ କଷ୍ଟକୁ କିନ୍ତୁ ବୁଝିଛନ୍ତି ଶୁଭଲକ୍ଷ୍ମୀ । ସେଇଥି ପାଇଁ ତ ନିଜସ୍ୱ ଉଦ୍ୟମରେ କରିଛନ୍ତି ଚା’ ଦୋକାନ । ଆପଣ ଆଶ୍ଚର୍ଯ୍ୟ ହେବେ ଦୋକାନ କରିବା ପରେ ବି ପାଠପଢାରେ ସେ ଟିକିଏ ଅବହେଳା କରନ୍ତି ନାହିଁ । ମୋଟ୍‌ ଉପରେ ଦୁଇଦୁଇଟି କାମକୁ ସେ ବେଶ୍‌ ଭଲରେ କରିପାରନ୍ତି । ଆଉ ଶୁଭଲକ୍ଷ୍ମୀଙ୍କ ଦୋକାନ କାମରେ ସହଯୋଗ କରନ୍ତି ଭିଣୋଇ ସୁରେଶ ଜେନା । ଶୁଭଲକ୍ଷ୍ମୀଙ୍କ ପରିବାର କହିଲେ ବାପା-ମା ଓ ଦୁଇ ଭଉଣୀ ଓ ଗୋଟିଏ ସାନଭାଇ । ସାନ ଭାଇ ଭୁବନେଶ୍ଵରର ଏକ ଡ୍ରେସ ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରନ୍ତି । ତେଣୁ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ସହ ପ୍ରଶାସନିକ ଅଧିକାରୀଣି ହେବାକୁ ପଣ କରିଛନ୍ତି ଶୁଭଲକ୍ଷ୍ମୀ ।

ଶୁଭଲକ୍ଷ୍ମୀଙ୍କର ଏହି କାମକୁ ନେଇ ଖାଲି ନିଜ ଗାଁରେ ନୁହେଁ ବରଂ ପରା ଢେଙ୍କାନାଳ ସହରରେ ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା...ଏତେ କମ୍‌ ବୟସରୁ ଦୁଇ ଦୁଇଟା କାମକୁ ଏତେ ସହଜରେ କରିବା କିଛି କମ୍‌ କଥା ନୁହେଁ । ହେଲେ ବି ହାର୍‌ ମାନିନାହାନ୍ତି ଶୁଭଲକ୍ଷ୍ମୀ । ତାଙ୍କର ଗୋଟିଏ ସ୍ୱପ୍ନ ପ୍ରଶାସନିକ ଅଧିକାରୀ ହେବେ ଏବଂ ବାପା-ମାଆଙ୍କ କଷ୍ଟ ଦୂର କରିବେ । ସତରେ ଏମିତି ଝିଅ ଥିଲେ ବାପା-ମାଆଙ୍କ ଦୁଃଖ ନିଶ୍ଚୟ ହେବ ଦୂର ।

(ରିପୋର୍ଟର- ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ)