• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହଣ୍ଡା ହଣ୍ଡା ଡାଲମା ବସିଛି.. ପୁଣି ବଡ ବଡ ଡିସ୍‌ରେ ଭାତ ବି ବସିଛି । ଆଉ ମନ୍ଦିର ବେଢାରେ ବସି କାର୍ତ୍ତିକ ମହାତ୍ମ୍ୟ ଶୁଣୁଛନ୍ତି ହବିଷ୍ୟାଳି । କାରଣ କାର୍ତ୍ତିକ ମାସରେ ଏଇଠି ହେଉଛି ସ୍ୱତନ୍ତ୍ର ପୂଜା । କେମିତି ହବିଷ୍ୟାଳିମାନେ ବିନା ବାଧାରେ ହବିଷ୍ୟାନ୍ନ ଖାଇବେ ସେନେଇ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି ।

ହବିଷ୍ୟାଳିଙ୍କ ପାଇଁ ଅଂଟା ଭିଡିଛନ୍ତି ଯୁବକ ସଂଘ । ଖାଲି ଅଂଟା ଭିଡିଛନ୍ତି ତାହା ନୁହେଁ ବରଂ ସେମାନେ କେମିତି ଅଳ୍ପ ଟଙ୍କାରେ ହବିଷ୍ୟାନ୍ନ ଖାଇବେ ସେନେଇ ଅନେକ ପ୍ରକାର ଯୋଜନା ବି କରିଛନ୍ତି । ବ୍ରହ୍ମପୁର କାଳୁପାତ୍ର ସାହିର ଜ୍ୱାଳା ମୁଖୀ ଯୁବକ ସଂଘର ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଏହି ସଂଘ ମାତ୍ର ୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦେଉଛି ହବିଷ । ଆଉ ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।

ହବିଷ ପାଇଁ ସ୍ୱତନ୍ତ୍ର ଭାବେ କିଣାଯାଉଛି ପରିବା । ସୁସ୍ୱାଦୁ ଘିଅ ଅନ୍ନ ରନ୍ଧାହେଉଥିବା ବେଳେ ମୁଗ, କଞ୍ଚା କଦଳୀ ପଡ଼ି ସୁନ୍ଦର ଭାବେ ତିଆରି ହେଉଛି ଡ଼ାଲି । ଏହାସହ କଦଳୀ ମଞ୍ଜା, ଓଉ ଖଟା, ଶାଗ ଭଜା, ଦହି ନଡ଼ିଆ ବି ହେଉଛି ପ୍ରସ୍ତୁତ । ୨୦୦୮ରୁ ଲଗାତାର ଭାବେ ଏଭଳି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଯୁବକ ସଂଘ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ହବିଷ୍ୟାନ୍ନ ଖାଦ୍ୟ ରାନ୍ଧିବା ଠାରୁ ପରସିବା ଯାଏଁ ଏହାର ବିଧି ରହିଛି ସ୍ୱତନ୍ତ୍ର । ବିନା ପିଆଜ ରସୁଣ, ବିନା ତେଲ ଓ ଦେଶୀ ପରିବାରେ ତିଆରି ହୋଇଥାଏ ଏହି ହବିଷ୍ୟାନ୍ନ । ଏମିତିକି ଡ଼ାଲି, ତରକାରୀ ଫୁଟା ବି ହୋଇନଥାଏ । ଅଦା ଛେଚି, ଜୀରା ଗୁଣ୍ଡ ବ୍ୟବହାର କରି ସ୍ୱତନ୍ତ୍ର ବିଧିରେ ପ୍ରସ୍ତୁତ ହୋଇଥାଏ ଏହି ରୋଷେଇ । ମହିଳା ମାନେ ମାଗଣାରେ ଖାଉନଥିବାରୁ ଏହାକୁ ୫ ଟଙ୍କାରେ ପ୍ରଦାନ କରାଯାଉଥିବା କହିଛନ୍ତି ଯୁବକ ସଂଘର ସଦସ୍ୟ ।

ଯଥାରୀତି ପୂଜା ସରିବା ପରେ ମହିଳା ମାନଙ୍କୁ ଧାଡ଼ି କରି ବସାଇ ପ୍ରଥମେ ଦିଆଯାଏ କଦଳୀ ପତ୍ର । ପ୍ରଥମେ ସେଥିରେ ଅବଢ଼ା ପ୍ରଦାନ କରିବା ପରେ ଅନ୍ୟ ଖାଦ୍ୟ ପରଷା ଯାଇଥାଏ। ମନ୍ତ୍ର ଉଚ୍ଚାରଣ କରି ଖାଦ୍ୟ ଗ୍ରହଣ ଆରମ୍ଭ କରଯାଇଥାଏ । କାର୍ତ୍ତିକ ମାସରେ ସାରା ରାଜ୍ୟରେ ଏବେ ହବିଷ୍ କରୁଛନ୍ତି ହବିଷ୍ୟାଳି ।

(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)