• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକୁ ହେଉ କି ରାତି.. ସଂଧ୍ୟା ହେଉ କି ସକାଳ.. ସବୁବେଳେ ଜାମ୍‌ । ଏ ମୁଣ୍ଡରୁ ସେ ମୁଣ୍ଡକୁ ପଛକୁ ପଛ ଧାଡି ଧାଡି ହୋଇ ରହୁଛି ବସ । କିଏ ବସକୁ ଚଢୁଛି ତ ପୁଣି କିଏ ବସ୍‌ରୁ ଓହ୍ଲାଉଛି । ଯାହାକୁ ଦେଖିଲେ ଆପଣ ବି ଭାବିବେ ତାହା କୌଣସି ଏକ ବସ୍‌ଷ୍ଟାଣ୍ଡ ହୋଇଥିବ । ହେଲେ ତାହା ବସ୍‌ଷ୍ଟାଣ୍ଡ ନୁହେଁ ବରଂ ଜାତୀୟ ରାଜପଥ । କେନ୍ଦ୍ରାପଡାରୁ ଚାନ୍ଦବାଲି ଦେଇ ଭଦ୍ରକକୁ ସଂଯୋଗ କରୁଥିବା ୯ ନମ୍ବର ରାଜ୍ୟ ରାଜପଥରେ ନିଇତି ଏମିତି ଦେଖିବାକୁ ମିଳୁଛି ଦୃଶ୍ୟ ।

ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍‌ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍‌ରେ ଆସୁଥିବା ପରେ ବି ସ୍ଥାୟୀ ବସ୍‌ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ । ତେଣୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ । ସେପଟେ, ୫ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡିରହିଛି ନୂଆ ବସଷ୍ଟାଣ୍ଡ । ହେଲେ ସରୁନି ନିର୍ମାଣ କାମ । ତେଣୁ ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ଏମିତି ବସ୍‌ରେ ଯିବାଆସିବା କରୁଛନ୍ତି ଯାତ୍ରୀ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାନ୍ଦବାଲିକୁ ପ୍ରତିଦିନ ରାଉରକେଲା, ପୁରୀ, ପାରାଦୀପ, କଟକ, ଭୁବନେଶ୍ୱର ଆଦି ସ୍ଥାନରୁ ଓ ରାଜ୍ୟ ବାହାରୁ ବସ ଚଳାଚଳ କରୁଛି । ହେଲେ ବଡ଼ ଦୁଃଖର କଥା ଆଜି ଯାଏଁ ତିଆରି ହୋଇପାରିଲା ନାହିଁ ସ୍ଥାୟୀ ବସ୍‌ଷ୍ଟାଣ୍ଡ । ଏମିତିକି ଖରା ବର୍ଷାରେ ଅତି ଦୟନୀତ ଅବସ୍ଥାରେ ବସ୍‌କୁ ଅପେକ୍ଷା କରିଥାନ୍ତି ଯାତ୍ରୀ ।

ତେବେ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ତହସିଲ, ଥାନା ଛକ, ପାର୍କ ପାଖରେ ବସ୍‌ ରଖୁଛନ୍ତି ଡ୍ରାଇଭର । ରାସ୍ତା ଉପରେ ଗାଡ଼ି ଥୁଆ ହେଉଥିବାରୁ ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି । ହେଲେ ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ । ଅନ୍ୟପଟେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ବସ୍‌ଷ୍ଟାଣ୍ଡ ପାଇଁ ସାଢେ ତିନି କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଖୁବଶୀଘ୍ର ସମସ୍ୟାର ହେବ ସମାଧାନ । ତେବେ ୨୨ ବର୍ଷର ସ୍ଥିର ସରକାର ଥାଇ ମଧ୍ୟ ଚାନ୍ଦବାଲି ପରି ଏକ ପର୍ଯ୍ୟଟନ କ୍ଷେତ୍ରରେ ନିର୍ମାଣ ହୋଇ ପାରିଲା ନାହିଁ ବସଷ୍ଟାଣ୍ଡ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ।