• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ଲାଗି ମାଟି ପରୀକ୍ଷଣ ଚାଲିଛି । ୩୦ ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସଂସ୍ଥା 'ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେସନ' ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନଠାରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଯାଏଁ ମାଟି ଟେଷ୍ଟ ପକ୍ରିୟା ଆରମ୍ଭ ହୋଉଛି । ବର୍ତ୍ତମାନ ସୁଦ୍ଧା ୨ରୁ ୩ଟି ସ୍ଥାନରେ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପାଖାପାଖି ୨୬ କିଲୋମିଟର ଯାଏ ପ୍ରଥମ ପର୍ଯ୍ୟାୟ ମାଟି ପରୀକ୍ଷା କାମ ଆରମ୍ଭ ହେବ। ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି କେତେ ସକ୍ଷମ ତାହା ଅନୁଧ୍ୟାନ କରାଯିବ ।

 

ଅନ୍ୟପଟେ ଲୋକଙ୍କ ମନରେ ପ୍ରଶ୍ନ ଯେ, ସତରେ କ’ଣ ବାସ୍ତବ ଆଡ଼କୁ ମୁହାଁଉଛି କି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ? ଟୁଇନ ସିଟିବାସୀଙ୍କୁ ମିଳିବ ତ’ ମେଟ୍ରୋ ଯାତାୟତର ସୁବିଧା ? କାରଣ ଏ ଭିତରେ ଆଉ ପାଦେ ଆଗେଇଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ । ଡିପିଆର୍ ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ- DMRC ପକ୍ଷରୁ ଆରମ୍ଭ ହୋଇଛି ପ୍ରାରମ୍ଭିକ ସର୍ଭେ । DMRCର ଏକ ଟେକ୍ନିକାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚି ତ୍ରିଶୁଳିଆଠାରୁ ନନ୍ଦନକାନନ ମଧ୍ୟରେ ୪ଟି ସ୍ଥାନରେ ଆରମ୍ଭ କରିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ପ୍ରତି ୧ କିଲୋମିଟର ବ୍ୟବଧାନରେ ସଂଗ୍ରହ ହେଉଛି ମାଟି ନମୁନା ।

ରାଜସ୍ଥାନରୁ ଆସିଥିବା ଏହି ଟିମ୍ ସ୍ୱତନ୍ତ୍ର ମେସିନ ଜରିଆରେ ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରୁଛନ୍ତି । ମେଟ୍ରୋ ପ୍ରକଳ୍ପ ପିଲାର ଧରି ରଖିବାରେ ଏହି ମାଟି କେତେ ସମର୍ଥ ହେବ, ତାହା ପରୀକ୍ଷା ହେବ। ସେଥିପାଇଁ ମାଟି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଉଛନ୍ତି ।

ଯୋଜନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଡ଼ିହେବ ମେଟ୍ରୋ ଲାଇନ । ପ୍ରାୟ ୨୬ କିଲୋମିଟର ମେଟ୍ରୋ ଲାଇନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପାଖାପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ ମେଟ୍ରୋ ଟ୍ରାକ୍ । ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ରୁ ୮ଟି ଷ୍ଟେସନ ରହିବ । ମେଟ୍ରୋ ପ୍ରକଳ୍ପ ବାସ୍ତବ ରୂପ ନେଲେ ଭୁବନେଶ୍ୱରରୁ କଟକ ମାତ୍ର ୧୫ ମିନିଟ ଓ ପୁରୀକୁ ୩୦ ମିନିଟରେ ପହଞ୍ଚି ହେବ । ଭୁବନେଶ୍ୱର ମେଟ୍ରୋ ଲାଗି ଡିପିଆର୍ ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର ।