• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ‘ଦଇବ ଦଉଡ଼ି, ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ’ । ଏହାର ଅର୍ଥ ଆପଣଙ୍କ ଭାଗ୍ୟରେ ଆଗକୁ କେତେବେଳେ କ’ଣ ଘଟିବ, ତାହା କେହି କହିପାରିବେ ନାହିଁ । ଆଜି ଭଲ ତ କାଲି ମନ୍ଦ । ଯେମିତି ରାତି ପରେ ସକାଳ ଆଉ ତାପରେ ପୁଣି ସନ୍ଧ୍ୟା ଆଉ ଅସ୍ତ ହୁଅନ୍ତି ସୂର୍ଯ୍ୟ । ଠିକ୍ ସେମିତି ହିଁ ଚାଲେ ଜୀବନର ଚକ ।

ଏମିତି କିଛି ଘଟିଛି ଦୁଇ କୁନି ଝିଅ ଲିପା ଆଉ ସିପାଙ୍କ ଭାଗ୍ୟରେ । ସେମାନଙ୍କ ଜୀବନରେ ଅସ୍ତ ହୋଇଯାଇଥିବା ସୂର୍ଯ୍ୟ ଏବେ ପୁଣି ଉଇଁଛି । ଦିନେ ରାସ୍ତାରେ ପଡିଥିଲେ । ବୁଲା କୁକୁର ତାଙ୍କୁ ଝୁଣି ମାରି ଦେଇଥାନ୍ତେ । ସେଠାରୁ ତାଙ୍କୁ କେହି ଜଣେ ସହୃଦୟ ବ୍ୟକ୍ତି ଉଦ୍ଧାର କରି ଏକ ଅନାଥାଶ୍ରମରେ ରଖିଲେ । ଆଉ ସେଇଠି ହିଁ ସେମାନଙ୍କ ଭବିଷ୍ୟତ ବୋଲି ପ୍ରାୟ ସମସ୍ତେ ଭାବି ସାରିଥିଲେ । ଲିପା-ସିପା ବି ଜାଣି ନ ଥିଲେ ସେମାନଙ୍କର ଭବିଷ୍ୟତ କ’ଣ ହେବ । କିଏ ତାଙ୍କୁ ଆଗକୁ ବଢ଼ିବାର ରାହା ଦେଖାଇବ । କିଏ ତାଙ୍କୁ ଜୀବନ ଜିଇଁବାର ମନ୍ତ୍ର ପଢ଼ାଇବ । ଏକଥା ସେମାନେ କେବେ ଭାବି ପାରୁନଥିଲେ । ଏମିତି ଦୁଃଖ କଷ୍ଟରେ ଅଭାବ ଅନଟନରେ କଟୁଥିଲା ସେମାନଙ୍କର ଦିନ ।

ହେଲେ ହଠାତ୍‌ କର୍ଣ୍ଣାଟକରୁ ଆସି ପହଞ୍ଚିଲେ ଦମ୍ପତ୍ତି । ଆଉ ସେହି ଦିନ ସତେ ଯେମିତି ଲିପା-ସିପାଙ୍କ ଭାଗ୍ୟରେ ଉଇଁଲା ନୂଆ ସରୁଜ । ବଦଳିଗଲା ସେମାନଙ୍କ ଠିକଣା । ଆଉ କଟକ ବିଡ଼ାନାସୀ ବସୁନ୍ଧରା ଅନାଥାଶ୍ରମ ନୁହେଁ ବରଂ କର୍ଣ୍ଣାଟକ ପାଲଟିଲା ଲିପା ସିପାଙ୍କ ନୂଆ ଠିକଣା । ସେମାନଙ୍କୁ କୋଳେଇ ଥିବା ଦମ୍ପତ୍ତି ହେଲେ ରାହୁଲ ଆଇଯାକ ଓ ଆଞ୍ଜଲିନ କୁତ୍ତାଭିଲା ।

ଏହି ଦମ୍ପତ୍ତି କହିଛନ୍ତି ଲିପା-ସିପାଙ୍କ ଦାୟିତ୍ୱ ଆଜିଠୁ ତାଙ୍କର । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଭବିଷ୍ୟତରେ ଏକ ଭଲ କ୍ରୀଡ଼ାବିତ୍‌ କରିବେ ବୋଲି ପାଳକ ପିତା ରାହୁଲ ଆଇଜାକ୍‌ ଲକ୍ଷ ରଖିଛନ୍ତି । ଅନ୍ୟପଟେ ମାଆ ଆଞ୍ଜଲିନ କହିଛନ୍ତି ଯଦି ସେମାନଙ୍କ ଭାଗ୍ୟରେ ବା ସେମାନଙ୍କ ଲକ୍ଷ୍ୟ ଆଉ କିଛି ରହିଥିବ ତେବେ ସେ ଦିଗରେ ମଧ୍ୟ ଆଗକୁ ବଢ଼ିବା ପାଇଁ ସେମାନେ ସବୁ ପ୍ରକାର ସହଯୋଗ କରିବେ । 

ଲିପା-ସିପାଙ୍କୁ ତାଙ୍କ ପ୍ରକୃତ ବାପା ମାଆ ଜନ୍ମ କରିବା ପରେ ପର କରି ଦେଇଥିଲେ । ଦିନେ କଟକ ଜଗତପୁର ଗୋଲେଇ ଛକରେ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ ଦୁଇ ଭଉଣୀ। ଆଉ ବୁଲା କୁକୁର ସେମାନଙ୍କ ଝୁଣିବାକୁ ଘେରି ରହିଥିଲେ । ସେଠାରୁ ଜଣେ ସହୃଦୟ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ତାପରେ ସେମାନଙ୍କୁ ବସୁନ୍ଧରା ଆଶ୍ରମରେ ଲାଳନ ପାଳନ କରିବା ପାଇଁ ଛଡ଼ାଯାଇଥିଲା ।

ହେଲେ ଏବେ କର୍ଣ୍ଣାଟକ ଦମ୍ପତି ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ତାଙ୍କୁ ଖୁବ୍‌ ସହଯୋଗ କରିଛି । ସେମାନେ ପୂର୍ବରୁ ପ୍ରଶାସନ ନିକଟରେ ଏନେଇ ଆବେଦନ କରିଥିଲେ। ଆଜି ବିଧିବଦ୍ଧ ଭାବରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲିପା-ସିପାଙ୍କୁ ଆଇନ୍ ଗତ ଭାବେ ଗ୍ରହଣ କରିଛନ୍ତି ।