Advertisment

ଅଡୁଆରେ ଶ୍ରୀମନ୍ଦିର ଶାଳୀନତାପୂର୍ଣ୍ଣ ପରିଧାନ ବ୍ୟବସ୍ଥା ! ମହିଳା ଭକ୍ତଙ୍କୁ କିଏ ବାରଣ କରିବ, ତାକୁ ନେଇ ପ୍ରଶ୍ନ...

​​​​​​​ସ୍ୱଳ୍ପ ବସ୍ତ୍ର ପିନ୍ଧା ସାଧୁ ଓ ସେବକଙ୍କ ପାଇଁ କି ନିୟମ, ଉଠିଲା ପ୍ରଶ୍ନ । ମ୍ୟାନେଜିଂ କମିଟିର ବିନା ଅନୁମୋଦନରେ ନିଷ୍ପତ୍ତିକୁ ନେଇ ବିବାଦ ।

author-image
Satyendu Shekher Mishra
undefined

Srimandir, Lord jagannath

ନୂଆବର୍ଷରୁ ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କ ଲାଗି ଲାଗୁ ହେବାକୁ ଯାଉଥିବା ଡ୍ରେସକୋଡ୍ ନିୟମକୁ ନେଇ ଏବେ ଟଣାଓଟରା ଚାଲିଥିବା ଭିତରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି ଜନ ସଚେତନତାକୁ । ହେଲେ ବିବାଦ କିନ୍ତୁ ଛିଡୁନି।

Advertisment

ପ୍ରଶ୍ନ ଉଠିଛି, ଶ୍ରୀମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ ପାଇଁ ପରିଚାଳନା କମିଟିର ବିନା ସହମତିରେ କେମିତି ଏତବଡ଼ ନିଷ୍ପତ୍ତି ନେଇଗଲା ନୀତି ସବ-କମିଟି ? ଯେହେତୁ ପୋଷାକ ତନଖି ଦାୟିତ୍ୱ ଶ୍ରୀମନ୍ଦିର ଟେମ୍ପଲ ପୋଲିସ୍ ବା ଜେଟିପିଙ୍କ କାନ୍ଧରେ ନ୍ୟସ୍ତ, ତେଣୁ ବିନା ମହିଳା ଜେଟିପିରେ ମହିଳା ଭକ୍ତଙ୍କୁ କେମିତି ବାରଣ କରାଯିବ ?

ତାସହ ସାଧୁ ସନ୍ଥ ମାନେ ସ୍ୱଳ୍ପ ବସ୍ତ୍ର ପିନ୍ଧି ଶ୍ରୀମନ୍ଦିର ପ୍ରବେଶ କରିପାରିବେ ନା ତାଙ୍କୁ ବି ଅଶାଳୀନ ପୋଷାକ ଆଳରେ ଅଟକାଯିବ ? ଏଥିସହ ଶ୍ରୀମନ୍ଦିରରେ ଦୈନିକ ସେବାପୂଜାରେ ନିୟୋଜିତ ସେବାୟତମାନେ ବି ପିନ୍ଧୁଥିବା ବସ୍ତ୍ର ତ ପୁରା ଶରୀର ଢାଙ୍କିଲା ଭଳି ନୁହେଁ, ତେଣୁ ସେମାନଙ୍କ ପାଇଁ କଣ ଶାଳୀନତାପୂର୍ଣ୍ଣ ପୋଷାକ ନିୟମରୁ ବାଦ୍ ଦିଆଯିବ କି ?

Advertisment

ଏସବୁ ଅଡୁଆ ପ୍ରଶ୍ନ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ କହିଛନ୍ତି-ଡ୍ରେସକୋଡ୍ ବୋଲି ସେମିତି କିଛି ନିର୍ଦ୍ଦିଷ୍ଟ ନିୟମ ହୋଇନି । ତେଣେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପାଇଁ ଭକ୍ତଙ୍କୁ ସଚେତନା କରିବାକୁ ଆମେ ସବୁ ପନ୍ଥା ଆପଣାଇଛୁ ।

ଯେହେତୁ ଶ୍ରୀମନ୍ଦିର ପ୍ରବେଶ ବେଳେ ମହିଳା ଭକ୍ତଙ୍କୁ ମହିଳା ପୋଲିସ ଯାଞ୍ଚ କରୁଛନ୍ତି, ସେମାନେ ମଧ୍ୟ ଏବେଠୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ସଚେତନ କରିପାରିବେ ବୋଲି ମତ ଦେଇଛନ୍ତି ସେବାୟତ। ପ୍ରତିହାରୀ ସେବକ କହିଛନ୍ତି ଆମେ ଭକ୍ତଙ୍କୁ ଏନେଇ ହାତଯୋଡି ବୁଝେଇବୁ। ତେଣେ ରାଜ୍ୟର କିଛି ଧାର୍ମିକ ଅନୁଷ୍ଠାନ ମଧ୍ୟ ଏ ଦିଗରେ ସ୍ୱେଚ୍ଛାକୃତ ଭାବେ କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Lord Jagannath Srimandira
Advertisment
Advertisment