/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667651367.jpg)
sesha kisan
ବିଦେଶରୁ ଫେରିଛି ଗାଁର ଗରିବ ପୁଅ ଶେଷ କିସାନ୍ । ଆଜି ସମୟ ବଦଳିଯାଇଛି । ସେ ଜଣେ ସଫଳ ବୈଜ୍ଞାନିକ । ଦିନ ଥିଲା ସେ ମୁଢି ମୁଠେ ଖାଇବାକୁ ପାଉ ନ ଥିଲେ, ଅହେଲେ ଆଜି ସେ ନିଜର ଏକ ସ୍ୱପ୍ନର ଘର ତିଆରି କରି ପାରିଛନ୍ତି । ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରି କରିଥିବା ସେହି ନୂଆ ଘରକୁ ସେ ଏବେ ଗାଁ ପିଲାଙ୍କ ନାମରେ କରିଦେଇଛନ୍ତି । କାରଣ ସେ ଅଙ୍ଗେ ଅଙ୍ଗେ ନିଭେଇଛନ୍ତି ସ୍ୱପ୍ନର ମୂଲ୍ୟ କେତେ । ଆଉ କୁନି ପିଲାଙ୍କ ଭବିଷ୍ୟତ ପାଇଁ ତଥା ସେମାନେ କିପରି ସ୍ୱଚ୍ଛନ୍ଦରା ପାଠ ପଢ଼ିବେ, ସେଥିପାଇଁ ଘରକୁ ଦାନ କରିଦେଇଛନ୍ତି ।
ସମ୍ବଲପରୁ ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଂଘା ଗାଁର ପୁଅ ଶେଷ କିସାନ। ପିଲାଟି ଦିନରୁ ବାପା ମାଆଙ୍କୁ ହରାଇଛନ୍ତି । ସଂଘର୍ଷ ମୟ ଜୀବନ ଭିତରେ ଗାଈ ଚରାଇଛନ୍ତି । ମୂଲ ମଜୁରୀ ଲାଗି ପାଠ ପଢ଼ିବାର ନିଶାକୁ ସେ ପୂରଣ କରିଛନ୍ତି । ୪ ବର୍ଷ ତଳେ ଜର୍ମାନୀର ଗୋଟିନ୍ ଜେନ୍ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଉ ତା’ପରେ ତାଙ୍କ ଦୁଃଖ ଦୂର ହୋଇଛି । ପିଲାଟି ଦିନରୁ ଦୁଃଖ ଦେଖିଥିବା ଶେଷଙ୍କ ଜୀବନରେ ଦୁଃଖର ଅନ୍ତ ଘଟିଛି । ଏବେ ସେ ଯୋଗ୍ୟ ଆଉ ରୋଜଗାରକ୍ଷମ। ନିଜେ ବଞ୍ଚିବା ସହ ଗାଁର ଶତାଧିକ ପିଲାଙ୍କ ପାଇଁ ସେ ସାହାରା ପାଲଟିଛନ୍ତି । ତାଙ୍କରି ପ୍ରୟାସରେ ପ୍ରାୟ ୧୭୦ଜଣ ପିଲା ଏବେ ପାଠ ପଢ଼ାର ସୁଯୋଗ ପାଇଛନ୍ତି । ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ।
ଅଧିକ ପଢ଼ନ୍ତୁ: ରୋମ୍ରେ ନିଜ ସଂଘର୍ଷର କାହାଣୀ ବଖାଣିଲେ ଶେଷ କିସାନ
ତେବେ ବଡ଼ କଥା ହେଲା ଆଉ ଦିନ କେଇଟା ଗଲେ ହାତକୁ ଦିହାତ ହେବେ ଶେଷ କିସାନ୍ । ସେ ତାଙ୍କ ଜୀବନ ସାଥି ପାଇସାରିଛନ୍ତି। ସେ ଚାହିଁଥିଲେ ବିଦେଶରେ ହେଉ କି ଆମ ଦେଶର ଯେ କୌଣସି ତାରକା ହୋଟେଲରେ ବିବାହ କରି ପାରି ଥାଆନ୍ତେ । କିନ୍ତୁ ସେ ଗାଁକୁ ଫେରି ଆସିଛନ୍ତି । ଏଇଠି ବାହାଘର ହେବ। ଓଡ଼ିଆ ଝିଅ ଶେଷ କିସାନଙ୍କ ଘରକୁ ବୋହୂ ହୋଇ ଆସିବ ।
ଶେଷ କିସାନ ଏ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଛନ୍ତି । ଦିନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଛିଣ୍ଡା ଚପଲ ହଳେ ପିନ୍ଧି ଯାଇଥିବା କଥା ମନେ ପକାଇ ସେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । ଆଉ କହୁଛନ୍ତି ଆଜି ମୋ ପାଖରେ ସବୁ ଅଛି। ଘର ଅଛି, ଗାଡି ଅଛି, ବ୍ୟାଙ୍କ ବାଲନ୍ସ କୋଉଥିରେ ଅଭାବ ନାହିଁ । ହେଲେ ଏ ସବୁ ଦେଖିବାକୁ ମୋ ବାପା ମା ଭଉଣୀ କେହି ନାହାନ୍ତି । ଏ କୁନି କୁନି ପିଲାଏ ମୋର ସବୁ... ମୋ ଗାଁ ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବି । ଦିନେ ଫିଚର ଫୋନ୍ ଟିଏ କିଣିବାକୁ ମୁଁ ଅସମର୍ଥ ଥିଲି, ଆଜି ମୋ ହାତରେ ଆଇଫନ୍। ଭଗବାନଙ୍କ ଆଶୀର୍ବାଦରୁ ସବୁ ସମ୍ଭବ ହୋଇ ପାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)