• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେଉଁଠି ଡାକ୍ତର ଫେରାଇ ଦେଲେ, ସେଇଠି ଗୁଣିଆ କରିବ କଣ ? ହେଲେ ଅନ୍ଧବିଶ୍ୱାସର ଅନ୍ଧ ଗଳିର ପିଛା ଛାଡିପାରୁନି ମଣିଷ । ଜଣେ ରୋଗୀଙ୍କୁ ମେଡିକାଲ ଫେରାଇଦେଲା, କହିଲା ଆଉ କିଛି ଅସୁବିଧା ନାହିଁ । ହେଲେ ସେଠୁ ଫେରିବା ପରେ ପୁଣି ରୋଗୀଙ୍କୁ ଧରି ଗୁଣିଆ ପାଖକୁ ଧାଇଁଲେ ପରିବାର ଲୋକ । ଚେରମୁଳି, ଜଡ଼ିବୁଟି, ଆଉ ମନ୍ତ୍ର ପାଣି ଦ୍ୱାରା ରୋଗୀଙ୍କୁ ଭଲ କରିଦେବି କହୁଛି ଗୁଣିଆ । ଆପଣମାନେ ବି ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ । ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।

ଯେଉଁଠି ସାଲାଇନ୍‌, ଔଷଧ କାମ କରୁନି ସେଇଠି କାଳେ ଜଡିବୁଟି, ଚେର ମୂଳି ସହ କାମ କରିବ ମନ୍ତ୍ର ପାଣି । ତେବେ ଗୁଣିଆଙ୍କ ଚିକିତ୍ସା ପଦ୍ଧତି ଦେଖିଲେ ଲାଗୁଛି ଏସବୁ କିଛି ଫରକ ପକାଉନି ରୋଗୀଙ୍କ ଉପରେ । ବରଂ ତାଙ୍କର ଯନ୍ତ୍ରଣା ବେଳକୁ ବେଳ ବଢିବାରେ ଲାଗିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ପୁସପାଲ୍ଲୀରେ । ଏହି ଗାଁ ଲୋକଙ୍କ ଚିକିତ୍ସା ବିଜ୍ଞାନ ଉପରେ ସାମନ୍ୟତମ ଭରଷା ନାହିଁ କି ବିଶ୍ୱାସ ବି ନାହିଁ । 

୧୫ ଦିନ ହେବ ଗୋବର୍ଦ୍ଧନ ନାୟକଙ୍କ ୨ ଝିଅଙ୍କର ପେଟ ଯନ୍ତ୍ରଣା ହେବା ସହ ହାତ, ଗୋଡ଼ ଫୁଲିବାରୁ ସେମାନେ ଆଖି ବୁଜିଦେଲେ । ଏବେ ବଡ଼ ଝିଅ ଯଶୋଦା ମାଡକାମୀଙ୍କର ମଧ୍ୟ ସମାନ ଅବସ୍ଥା । ସେ ବି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ସୁସ୍ଥ ଥିବା କହି ସେଠାରୁ ଡାକ୍ତର ଫେରାଇ ଦେଇଥିଲେ। ହେଲେ ଘରକୁ ଫେରିବା ପରେ ଯନ୍ତ୍ରଣା ଅସହ୍ୟ ହେଲା । ହେଲେ ଏଥର ଆଉ ମେଡିକାଲ ନୁହେଁ, ଏଥର ଗାଁଠାରୁ ୧୦ କିମି ଦୂର ଗୁଣିଆ ଘରକୁ ତାଙ୍କୁ ନେଇଛନ୍ତି ପରିବାର ଲୋକେ । ଆଉ ସେଇଠି ଗୁଣିଆ କରୁଛି ତାଙ୍କର ଚିକିତ୍ସା ।

ଚିକିତ୍ସା ବେଳେ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଯଶୋଦା କରୁଣ ଚିତ୍କାର କରୁଛନ୍ତି । ପରିବାର ଲୋକେ ପେଟକୁ ଚାପି ଧରିଲେ କିଛି ସମୟ ଆଶ୍ୱସ୍ତି ମିଳୁଛି । ଏହାପରେ ପୁଣି ଯାହାକୁ ତାହା । ମନ୍ତ୍ରପାଠ ସହ ଜଡ଼ିବୁଟି ଓ ଲିମ୍ବ ପତ୍ରରେ ଝାଡ଼ି ରୋଗ ଭଲ କରିବାକୁ ଚେଷ୍ଟା କରିଚାଲିଥିଲା ଗୁଣିଆ । ହେଲେ ସମୟ ଯେତିକି ଗଡ଼ୁଛି ଯନ୍ତ୍ରଣା ବି ସେତିକି ବଢୁଛି । କିନ୍ତୁ ପରିବାର ଓ ଗାଁ ଲୋକ ତାଙ୍କୁ ମେଡିକାଲ ନନେଇ ଗୁଣିଆ ପାଖରେ କରାଉଛନ୍ତି ଚିକିତ୍ସା ।

ସେପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ଗୁଣିଗାରେଡ଼ି ଉପରେ ଭରସା ନ କରି ରୋଗୀଙ୍କୁ ଚିକିତ୍ସାଳୟ ଆଣନ୍ତୁ । ଆମେ ଉତ୍ତମ ଚିକିତ୍ସା ଯୋଗାଇ ଦେବୁ । ଜିଲ୍ଲାର ସିଲାକୋଟା ଗ୍ରାମରେ ୬ ମାସ ଭିତରେ ଗୋଡ଼ ହାତ ଫୁଲିବା, ପେଟ ବ୍ୟଥା ହେବା ଲକ୍ଷଣରେ ଚାଲିଗଲାଣି ୧୫ ଜୀବନ । ଏବେ ବି ୧୦ରୁ ଅଧିକା ରୋଗୀ ଗାଁରେ ଗୁରୁତର ଅବସ୍ଥାରେ ରହିଛନ୍ତି । ହେଲେ ଗୁଣିଆ କହୁଛି ମୁଁ ରୋଗୀଙ୍କୁ ଭଲ କରିଦେବି ।

(ରିପୋର୍ଟ- ଜିତେନ୍ଦ୍ର ବେଉରା,ମାଲକାନଗିରି)