Advertisment

ପ୍ରାଥମିକ ଶିକ୍ଷାରେ ବଡ଼ ଅଚଳାବସ୍ଥା ! ଛୁଟିରେ ପଳେଇଲେ ୫୬ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକ

୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ ।

author-image
Satyendu Shekher Mishra
Teacher Protest

Teacher Protest

ପ୍ରାର୍ଥନା ପରେ ପରେ ସ୍କୁଲ ଛୁଟି । ପାଠପଢ଼ା ଆରମ୍ଭ ବଦଳରେ ବାଜିଲା ଛୁଟି ଘଣ୍ଟି । ଏମିତି ଦେଖିବାକୁ ମିଳିଛି ଗଂଜାମ ଜଗନ୍ନାଥପ୍ରସାଦ ପଥରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ । ଆନ୍ଦୋଳନ ପାଇଁ ଶିକ୍ଷକ ଛୁଟିରେ ଥିବାରୁ ଖାଲି ପ୍ରାର୍ଥନା କରି ଫେରିଲେ ପିଲା । ସେମିତି ଦୃଶ୍ୟ ବାଲେଶ୍ୱର ଫକୀର ମୋହନ ମଲ୍ଲିକାଶପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୀ ବି ଦେଖିବାକୁ ମିଳିଛି । ଶ୍ରେଣୀଗୃହ ବନ୍ଦ। କିଏ ପିଠିରେ ବ୍ୟାଗ ପକାଇ ବୁଲୁଛି, ତ କିଏ ଡେଉଁଛି ତ କିଏ ଖେଳୁଛି। ସ୍କୁଲ କେମିତି ଚାଲିଛି ପିଲା କଣ କରୁଛନ୍ତି । ଯେମିତି କାହାର ନିଘା ନାହିଁ ।

Advertisment

ସମାନ ସ୍ଥିତି ରାଜ୍ୟର ପ୍ରାୟ ସବୁ ସ୍କୁଲରେ । ଶିକ୍ଷକମାନେ ଛୁଟିରେ ଥିବା ବେଳେ ନାଁକୁ କେବଳ ସ୍କୁଲ ଖୋଲି ପିଲାଙ୍କୁ ପ୍ରାର୍ଥନା କରେଇ ବିଦା କରାଯାଉଛି। କେଉଁଠି ଜଣେ ମାତ୍ର ଶିକ୍ଷକ ତ କେଉଁଠି ପିଅନ ଖାଲି ତାଲା ଖୋଲିବା ଆଉ ବନ୍ଦ କରିବାକୁ ରହିଛନ୍ତି । ଆଉ କେତେକ ସ୍କୁଲରେ ତ ପୂରା ତାଲା । ଏଇ ଯେମିତି ସାଲେପୁରର ରୋଧପୁର ୟୁପି ସ୍କୁଲ ।

ରାଜ୍ୟରେ ୫୬ ହଜାର ପ୍ରାଥମିକ ବିଦ୍ୟାଳୟରେ ଏବେ ପାଠପଢାରେ ଲାଗିଛି ଡୋରି । ପାଞ୍ଚ ଦିନ ହେଲା ସ୍କୁଲରେ ବହି ଖୋଲିନି କି କଳାପଟାରେ ଗାର ପଡିନି। କାହିଁକି ନା ଗ୍ରେଡ୍ ପେ ବୃଦ୍ଧି, ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ ଓ ଠିକା ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ। ସମସ୍ତ ବ୍ଲକରେ BEOଙ୍କ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ।

Advertisment

ଏପଟେ ପ୍ରାଥମିକ ଶିକ୍ଷାରେ ଏମିତି ଅବସ୍ଥାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି ଏହା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବିପର୍ଯ୍ୟୟ। ଫାଇଭ-ଟି ନାଁରେ ସ୍କୁଲରେ ରଙ୍ଗ ମାରିବା ପାଇଁ ୪୧୦ କୋଟି ଏବଂ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତରେ ୫୦୦ କୋଟି ଖର୍ଚ୍ଚ ହେଉଥିବା ବେଳେ ଶିକ୍ଷକଙ୍କ ଦରମା ପାଇଁ ସରକାରଙ୍କ ପାଖେ ଟଙ୍କା ନାହିଁ। ଅନ୍ୟପଟେ କଂଗ୍ରେସ ଏମିତି ସ୍ଥିତିକୁ ଶିକ୍ଷା ବ୍ୟବସ୍ଥାରେ ଜରୁରୀକାଳୀନ ପରିସ୍ଥିତି ବୋଲି କହିଛି। ଯାହାର ଜବାବ୍ ରଖିଛି ବିଜେଡି।

ପାଞ୍ଚ ଦିନ ହେଲା ଲକ୍ଷ ଲକ୍ଷ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ପଡ଼ିଥିବାବେଳେ ସରକାରଙ୍କ ଗଳାରେ କଣ୍ଟା ହୋଇ ଲାଗିଛି ଶିକ୍ଷକ ଆନ୍ଦୋଳନ। ଯଦିଓ ଶିକ୍ଷକ ପ୍ରତିନିଧିଙ୍କ ସହ ସରକାର ଆଲୋଚନା କରି ଦାବି ସମ୍ପର୍କରେ ୫ ଜଣିଆ ସବ୍ କମିଟି ବି ଗଠନ କରିଛନ୍ତି, କିନ୍ତୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବା ଜିଦରେ ଶିକ୍ଷକମାନେ। ଏପରିକି ଆଜିଠୁ ସାମୂହିକ ଛୁଟିରେ ଯାଇଛନ୍ତି ସମସ୍ତ ପ୍ରାଥମିକ ଶିକ୍ଷକ। ଏଭଳି ସ୍ଥିତିରେ ଶିକ୍ଷକଙ୍କ ଦାବି ପୂରଣ ପାଇଁ ଛାତ୍ରଛାତ୍ରୀ ବି ସରକାରଙ୍କୁ ନିବେଦନ କଲେଣି।

Teachers Protest
Advertisment
Advertisment