Advertisment

ଗଞ୍ଜାମରେ ସକ୍ରିୟ ବାଲି ମାଫିଆ, ନକଲି କାଗଜ ପତ୍ରରେ ରାଜ୍ୟ ବାହାରକୁ ଚୋରାଚାଲାଣ

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି।

author-image
Santosh Kumar Sahoo
Sand Smuggling

Sand Smuggling

ଦିନ ହେଉ କି ରାତି, ବେଧଡ଼କ ଚାଲିଛି ବାଲି ଚୋରା ଚଲାଣ । ଗଞ୍ଜାମ ଜିଲ୍ଲାରେ ବଢ଼ି ଚାଲିଛି ବାଲି ମାଫିଆଙ୍କ ପ୍ରାଦୁର୍ଭାବ। ନକଲି କାଗଜପତ୍ର ଜରିଆରେ ବାହାର ରାଜ୍ୟକୁ ଯାଉଛି କୋଟି କୋଟି ଟଙ୍କାର ବାଲି। ଆଉ ବାଲି ଚୋରା ଚାଲାଣ ପଛର କାରସାଦି ଜାଣିଲେ ଆପଣ ବି ତାଜୁବ ହୋଇଯିବେ। ନକଲି Y ଫର୍ମ ଜରିଆରେ ଚୋରା ଚାଲାଣ ହେଉଛି ଟନ୍ ଟନ୍ ବାଲି। ଏହି ନକଲି ୱାଇ ଫର୍ମ ଉପରେ ରହିଛି ଛତ୍ରପୁର ତହସିଲଦାରଙ୍କ ଦସ୍ତଖତ ଓ ଷ୍ଟାମ୍ପ। ମାତ୍ର ଏସବୁ ନକଲି। ଏଭଳି ନକଲି Y ଫର୍ମ ପ୍ରସ୍ତୁତ କରି ବଡ଼ ମାଧପୁର ବାଲି ଘାଟରୁ ମାସ ମାସ ଧରି ବାଲି ଲୁଟ୍ କରିଚାଲିଛନ୍ତି ବାଲି ମାଫିଆ।

Advertisment

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି। ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ଯୋଗୁଁ ରାଜ୍ୟ ଭିତରେ ବାଲିର ଦର ହୁ ହୁ ହୋଇ ବଢ଼ି ଚାଲିଛି। ଫଳରେ ସାଧାରଣ ଲୋକଟିଏ ପାଇଁ ଏବେ ପକ୍କା ଘର କରିବା ସ୍ୱପ୍ନ ପାଲଟିଛି।

ପ୍ରଶାସନର ନାକତଳେ ଚାଲିଛି ବାଲି ଚୋରା ଚାଲାଣ। ଅନେକ ସମୟରେ ରେଡ୍ ବେଳେ ଏହାର ପର୍ଦ୍ଦାଫାସ କରିଛି ପୋଲିସ। ଅନେକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ବି କରିଛି। ମାତ୍ର ଚୋରା ଚାଲାଣ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇ ପାରିନାହିଁ। ନକଲି ୱାଇ ଫର୍ମରେ ବାଲି ଚୋରା ଚାଲାଣ ଘଟଣାକୁ ଛତ୍ରପୁର ଅତିରିକ୍ତ ତହସିଲଦାର ମଧ୍ୟ ସ୍ୱୀକାର କରିଛନ୍ତି। ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Advertisment

ଏପଟେ କେନ୍ଦୁଝର ଆନନ୍ଦପୁର ଉପକଣ୍ଠରେ ମଧ୍ୟ ଦିନ ଦ୍ୱିପହରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

..ଗଂଜାମ ଖଲ୍ଲିକୋଟରୁ ସିଲୁ ବିଶ୍ବାଳ ଓ କେନ୍ଦୁଝର ଆନନ୍ଦପୁରରୁ ମୁନା ସିଂଙ୍କ

ରିପୋର୍ଟ, ଓଟିଭି।

Odisha Ganjam Sand Mafia
Advertisment
Advertisment