Advertisment

ପୁରୀରେ ହାଇ ରେଟ୍ ହୋଟେଲ ରୁମ୍, ୪୫ ହଜାର ଛୁଇଁଲାଣି ପ୍ୟାକେଜ୍...!

ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
High Price Puri Hotel Room For Ratha Jatra and Snanapurnima

High Price Puri Hotel Room For Ratha Jatra and Snanapurnima

ପୁରୀରେ ହାଇ ରେଟ୍ ହୋଟେଲ ଭଡ଼ା । ଦର ଶୁଣି ଛାନିଆ ଭକ୍ତ ଓ ପର୍ଯ୍ୟଟକ । ପାଖେଇ ଆସୁଛି ଘୋଷଯାତ୍ରା, ଏଇ ରବିବାର ସ୍ନାନ ପୂର୍ଣ୍ଣମୀ । ଯାହାର ସୁଯୋଗ ନେଇ ଜଗନ୍ନାଥ ପ୍ରେମୀ ଓ ପର୍ଯ୍ୟଟକଙ୍କୁ ଯେମିତି ଶୋଷଣ କରିବାକୁ ଚାତକ ପରି ଚାହିଁଛନ୍ତି ପୁରୀର ବିଭିନ୍ନ ଘରୋଇ ହୋଟେଲ ଓ ଲଜିଂ ମାଲିକ । ଯେହେତୁ ଭକ୍ତଟିଏ ବଡ଼ଦାଣ୍ଡରେ ରହି ଠାକୁରଙ୍କ ସ୍ନାନ, ପହଣ୍ଡି, ହାତୀବେଶ ଭଳି ନୀତିକାନ୍ତିର ପ୍ରତ୍ୟକ୍ଷ ଦର୍ଶନ ପାଇଁ ଇଚ୍ଛା ରଖିଥାଏ, ସେଇ ସୁଯୋଗରେ ରଥ ଓ ବାହୁଡ଼ା ପ୍ୟାକେଜ୍ ନାଁରେ ଚଢ଼ା ଦର କଷିବା ଆରମ୍ଭ କରିଛନ୍ତି ହୋଟେଲିୟର ।

Advertisment

ଏମିତିକି ୩ଦିନ-ତିନି ରାତି ହୋଟେଲରେ ରହଣୀ ପାଇଁ ପ୍ୟାକେଜ୍ ୩୦ରୁ ୪୫ ହଜାର ପର୍ଯ୍ୟନ୍ତ ବି ଛୁଇଁଲାଣି । ଆଉ ଏ ରେଟ୍ ଶୁଣି ବୁକିଂ ପାଇଁ ଆସୁଥିବା ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ଏମିତିକି ଗତବର୍ଷ ତୁଳନାରେ ଏଥର ହୋଟେଲ୍ ରୁମ୍ ଦର ଆହୁରି ୩୦ରୁ ୪୦ ପ୍ରତିଶତ ବଢ଼ିଥିବା କହିଲେଣି ।

ସେପଟେ ହୋଟେଲିୟରଙ୍କ ଏଭଳି ଆକସ୍ମିକ ପ୍ୟାକେଜ୍ ରେଟ୍ ବୃଦ୍ଧି ଉପରେ ପ୍ରଶାସନ ରୋକ୍ ଲଗାଇବାକୁ ଭକ୍ତ ଦାବି କରୁଥିବାବେଳେ, କିଛି ହୋଟେଲିୟର ବି ଏହାକୁ ନାପସନ୍ଦ କରିଛନ୍ତି । ଏଠି ପ୍ରଶ୍ନ - ରଥଯାତ୍ରା ଆଗରୁ ହଠାତ୍ କାହିଁକି ଆକାଶଛୁଆଁ ପୁରୀରେ ହୋଟେଲ୍ ରୁମ୍ ଦର ? ସାଧାରଣ ଦିନ ମାନଙ୍କ ଅପେକ୍ଷା କାହିଁକି ୩ଗୁଣା ଲାଭରେ ଦର କଷୁଛନ୍ତି ହୋଟେଲିୟର ? ଅନଲାଇନ୍ ବନ୍ଦ ରଖି କାହିଁକି ଅଫଲାଇନ୍ ରୁମ୍ ବୁକିଂ କୁ ଦେଉଛନ୍ତି ? ଟୁର୍ ଅପରେଟରଙ୍କ ମତରେ ଯେହେତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ମନ୍ଦିର ଚାରିକଡ଼େ ଥିବା ଅନେକ ଲଜିଂ ଓ ଧର୍ମଶାଳା ଭାଙ୍ଗି ଗଲା, ତାର ଭରପୂର ଫାଇଦା ଉଠାଇବା ଲକ୍ଷ୍ୟରେ ଅଛନ୍ତି ବଡ଼ଦାଣ୍ଡରେ ଥିବା ଅନ୍ୟ ହୋଟେଲ ଓ ଲଜିଂ ମାଲିକ ।

Advertisment

ତଥ୍ୟ ଅନୁସାରେ ଯେଉଁ ନନ୍ ଏସି ରୁମ୍ ବର୍ଷ ତମାମ ଦିନ ପିଛା ଦେଢ଼ରୁ ୨ ହଜାର ଟଙ୍କା ଭିତରେ ରହୁଥିଲା ତାହା ଏବେ ୧୦ରୁ ୧୨ ହଜାର ପାଖାପାଖି । ସେମିତି ଏସି ରୁମ୍ ଦିନକ ପିଛା ଦର ୧୦ରୁ ୧୫ହଜାର ପର୍ଯ୍ୟନ୍ତ ଚାଲିଯାଉଛି। ସେପଟେ ଯଦିଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଅଫିସ୍ ଅଧୀନରେ ଥିବା ରୁମ୍ ଗୁଡ଼ିକର ରେଟ୍ ଭକ୍ତଙ୍କୁ ସାମାନ୍ୟ ସୁହାଇଲା ଭଳି ରହିଛି, ହେଲେ ତାହା ସାଧାରଣ ଲୋକଙ୍କୁ ମିଳେନି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା ରେଟଚାର୍ଟରେ -ଥ୍ରୀ ବେଡେଡ୍ ଭିଆଇପି ସୁଟ୍ ଏସି ରୁମ୍ ବାବାଦକୁ ୩ ଦିନ ପ୍ୟାକେଜ ହିସାବରେ ୧୭ ହଜାର ୩୧୫ଟଙ୍କା ଧାର୍ଯ୍ୟ ହୋଇଥିବାବେଳ ଦିନେ ରହିଲେ ଦେବାକୁ ହେବ ୫୭୭୨ଟଙ୍କା । ତେବେ ରଥଯାତ୍ରା ବେଳେ ଏଥିରୁ ପ୍ରାୟ ଅଧିକାଂଶ ରୁମ୍ ସରକାରୀ ଅଫିସର ଓ ଭିଆଇପିଙ୍କ ପାଇଁ ବୁକିଂ ଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ସେପେଟେ ପୁରୀରେ ହୋଟେଲ୍ ଓ ଲଜିଂ ମାଲିକମାନେ ଯେମିତି ମନଇଚ୍ଛା ଦର ନକଷନ୍ତି, ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ।

ଏବେ ଅପେକ୍ଷା ଭକ୍ତ ଓ ପର୍ଯ୍ୟଟକଙ୍କୁ ଶୋଷଣ ଲକ୍ଷ୍ୟରେ ଥିବା ପୁରୀ ବଡ଼ଦାଣ୍ଡର ହୋଟେଲ ଓ ଲଜିଂ ମାଲିକଙ୍କ ଉପରେ କି ଆକ୍ସନ ନେଉଛି ଜିଲ୍ଲା ପ୍ରଶାସନ ।

Lord Jagannath Puri Srimandir Puri Jagannath Ratha Jatra
Advertisment
Advertisment