Advertisment

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ମୂଷା-ଅସରପା

ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rodent, Cockroach Menace Hits Puri Srimandir

Lord Jagannath

ଶ୍ରୀଜିଉଙ୍କ ଉପରେ ଡେଉଁଛନ୍ତି ବଡ଼ ବଡ଼ ମୂଷା। ଶ୍ରୀଅଙ୍ଗ ସାରା ବୁଲୁଛନ୍ତି ମାଳ ମାଳ ଅସରପା। ଶ୍ରୀମନ୍ଦିର ଗର୍ଭଗୃହରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ଏମାନେ ସାଜିଛନ୍ତି ଘୋର ବିପଦ । ପରିସ୍ଥିତି ଏପରି ହେଲାଣି, ରତ୍ନବେଦୀ ଉପରକୁ ଚଢ଼ି ଶ୍ରୀଅଙ୍ଗ ସେବା ପାଇଁ ଯିବାକୁ ଡରିଲେଣି ସେବାୟତ। ଖୋଦ୍ ସିଂହାରି ସେବକଙ୍କ କହିବାନୁସାରେ ଠାକୁରଙ୍କ ଉପରେ ଲାଗିଥିବା ଚାନ୍ଦୁଆ ଉପରୁ ହିଁ ମୂଷା ଖପ୍ ଖାପ୍ ହୋଇ ଡେଉଁଛନ୍ତି । ଠାକୁରଙ୍କ ଉପରେ ଝାଡ଼ା, ପରିସ୍ରା ବି କରୁଛନ୍ତି ଅସରପା ।

Advertisment

ସବୁବେଳେ ଶ୍ରୀଅଙ୍ଗରେ ଲାଗି ରହିବା ଫଳରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶୀଘ୍ର ମଳିନ ପଡ଼ିଯାଉଛି । ଯାହା ଫଳରେ ମାତ୍ର ୧୫ରୁ ୨୦ ଦିନରେ ଥରେ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି କରିବାକୁ ପଡୁଛି । ମହାପ୍ରଭୁମାନେ ପରିଧାନ କରୁଥିବା ଖଣ୍ଡୁଆ ପାଟ ଓ ଅନ୍ୟ ମୂଲ୍ୟବାନ ବସ୍ତ୍ରକୁ ବି ମୂଷା କାଟି ପକାଉଛନ୍ତି । ପୂର୍ବରୁ ଏଭଳି ସ୍ଥିତି ଖୁବ୍ କ୍ୱଚିତ୍ ଦେଖା ଯାଉଥିଲା, ଏବେ କିନ୍ତୁ ନିୟମିତ ହେଲାଣି । ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଅବଗତ କରାଯାଉଥିଲେ ବି କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯଦି ଏହାର ଶୀଘ୍ର ପ୍ରତିକାର ନହୁଏ, ତାହାଲେ କେତେବେଳେ ବି ମୂଷା ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବାନ୍ଧି ଧରିଥିବା ପାଟ ଡୋରକୁ ବି କାଟି ଦେଇ ପାରନ୍ତି । ସିଂହାରି ସେବକଙ୍କ ଏ ଅଭିଯୋଗକୁ ବରିଷ୍ଠ ଦଇତାପତି ଓ ସୁଆର ମହାସୁଆର ସେବକମାନେ ବି ସମର୍ଥନ କରିଛନ୍ତି ।

ଶ୍ରୀଅଙ୍ଗ ପ୍ରତି କେତେ ବିପଦ ମୂଷା-ଅସରପା ? ଖୋଦ୍ ସେବକଙ୍କ ମୁହଁରୁ ଏସବୁ ଶୁଣିବା ପରେ ଏବେ ଅଗଣିତ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ବି ଅସନ୍ତୋଷ । ଏଠି ପ୍ରଶ୍ନ ଶ୍ରୀମନ୍ଦିର ଗର୍ଭଗୃହକୁ ମୂଷା ଆସୁଛନ୍ତି କେଉଁଠୁ ? ପ୍ରତିକାର ଦିଗରେ ଶ୍ରୀମନ୍ଦିର ପ୍ରଶାସନ କରୁଛି କଣ ? କିଛି ସେବକଙ୍କ ମତରେ ଗର୍ଭଗୃହରେ ଠାକୁରଙ୍କୁ ଲାଗି ହେଉଥିବା ଖେଚୁଡ଼ି ଭୋଗ ଓ ଅନ୍ୟାନ୍ୟ ଜିନିଷ ଖାଇ ମୂଷା ବଂଶ ବୃଦ୍ଧି କରୁଛନ୍ତି । ଯେହେତୁ ଠାକୁରଙ୍କ ଉପରେ ଲାଗିଥିବା ରତ୍ନ ଚାନ୍ଦୁଆ ବର୍ଷରେ ଥରେ ବଦଳାଯାଏ, ତେଣୁ ତାହା ସେମାନଙ୍କ ରହିବାର ସବୁଠୁ ସୁରକ୍ଷିତ ସ୍ଥାନ ପାଲଟିଛି । ଏଥିସହ ଗର୍ଭଗୃହକୁ ଲାଗି ରହିଥିବା ରତ୍ନଭଣ୍ଡାର ବି ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ତାହା ବି ମୂଷାଙ୍କ ରହଣୀର ଉତ୍ତମ ସ୍ଥଳି ହୋଇଛି ।

Advertisment

ସେପଟେ ଠାକୁରଙ୍କୁ ଲାଗି ହେବା ପରେ ଫିଙ୍ଗା ଯାଉଥିବା ବାସୀ ଫୁଲ ଓ ମାଳ ଖାଇ ବଂଶ ବିସ୍ତାର କରୁଛନ୍ତି ଅସରପା । ତେଣୁ ଶୀଘ୍ର ଏହାର ଦମନ ଦରକାର । ସେପଟେ ଏନେଇ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି-ଗର୍ଭଗୃହରେ ମୂଷା ଓ ଅସରପାଙ୍କ ଉପସ୍ଥିତି ନୂଆ ନୁହେଁ । ଯେହେତୁ ମୂଷାଙ୍କୁ ମାରିବା ନିୟମ ନାହିଁ, କେବଳ ଯନ୍ତା ବସାଇ ଧରାଯାଉଛି । ଅସରପା ନିପାତ ପାଇଁ ଶ୍ରୀଜିଉମାନଙ୍କ ଶରୀରରେ ଚୂଆ, ଚନ୍ଦନ ଓ କର୍ପୁର ଲେପନ ନିୟମିତ କରାଯାଉଛି । ତେବେ ମୂଷା ଓ ଅସରପାଙ୍କ ଦ୍ୱାରା ଶ୍ରୀଅଙ୍ଗକୁ ବିପଦ ଥିବା କଥାକୁ କିନ୍ତୁ ସଫା ସଫା ଏଡ଼ାଇ ଯାଇଛନ୍ତି ନୀତି ପ୍ରଶାସକ ।

Lord Jagannath Puri Srimandir Lord Jagannath Temple
Advertisment
Advertisment