• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତ ମାରିଦେଲେ ଛେଲା ଛେଲା ହୋଇ ପିଚୁ ଉଠି ଯାଉଛି । ରାସ୍ତାରେ ଗାଡ଼ି ଗଡ଼ିଲେ ପିଚୁ ଦବି ଯାଉଛି । ପିଚୁ ନୁହେଁ ତ ଖାଲି ଗୋଡ଼ି ପଡ଼ିଛି । ଆଉ ତାପରେ ପିଚୁ ଚଦର ପଡ଼ିଛି । ଏକଥା ଆମେ କହୁ ନାହୁଁ । ଏକଥା ଗାଁ ଲୋକେ କହୁଛନ୍ତି । ବାଲେଶ୍ୱର ଜିଲ୍ଲାର ବରୋଦା ଠାରୁ ଜାମୁଝାଡି ପାଟୁଳି ପର୍ଯ୍ୟନ୍ତ ତିଆରି ହୋଇଥିବା କେନାଲ ବନ୍ଧ ରାସ୍ତାର ଆବସ୍ଥା ଏମିତି । ୨୩ କିଲୋମିଟର ରାସ୍ତାକୁ ୧୭ କୋଟି ୮ ଲକ୍ଷ ଟଙ୍କା ବ୍ୟବରାଦ ହୋଇଥିଲା ।

ଏଇମାତ୍ର ୧୫ ଦିନ, କି ଅତି ବେଶିରେ ମାସେ ହେବ ରାସ୍ତା କାମ ହୋଇଛି । ହେଲେ ଅବସ୍ଥା ଏମିତି । ଏଥିରୁ ଆପଣ ସ୍ପଷ୍ଟ ବାରି ପାରୁଥିବେ କେତେ ନିମ୍ନ ମାନର କାମ କରାଯାଇଛି । ଆଉ ଏହି ରାସ୍ତା ପାଇଁ କିଏ କେତେ ପିସି ଖାଇଛି । ଗୋଟିଏ ପଟେ ଆମ ସରକାର ଆମ ଗାଁ ଆମ ବିକାଶ ଓ ନବୀନ ଓଡ଼ିଶା ଭଳି ନାରା ସହ, ଖବର କାଗଜରେ ପୁଳା ପୁଳା ବିଜ୍ଞାପନ ଦେଇ ବାହାବହା ସାଉଁଟୁଥିବା ବେଳେ ଗାଁର ବାସ୍ତବ ସ୍ଥିତି ହେଉଛି ଏମିତି ।

ପିଚୁ ରାସ୍ତା ତିଆରି ହେଉଛି ବୋଲି ଏହି ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ ଗାଁ ଲୋକ ଭାରି ଖୁସି ହୋଇଥିଲେ। ହେଲେ ତିଆରି ହେବାର ମାସେ ବିତିନି କିନ୍ତୁ ଉଜୁଡ଼ି ଗଲାଣି ରାସ୍ତା । ଗାଁ ଲୋକେ ଯେତେ କହିଲେ ବି କେହି ଶୁଣିଲେନି । ଶେଷରେ ଆଜି ବାଧ୍ୟ ହୋଇ ଗଣମାଧ୍ୟମ ସାମ୍ନାରେ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ରାସ୍ତା ଉପରେ ପାଖାପାଖି ୪ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ରାସ୍ତା ଖରାପ କଥା କହିବାରୁ ବା ରାସ୍ତା ଦବି ଯାଉଥିବା ଅଭିଯୋଗ କରିବାକୁ, ଠିକାଦାର କିଛି ସ୍ଥାନରେ ଚିପ୍‌ସ ପକାଇ କଥା ଚାପିବାକୁ ବସିଥିଲେ । ଏମିତିକି ଏଭଳି ରାସ୍ତା ପାଇଁ ଯନ୍ତ୍ରୀଙ୍କୁ ଅଧିକ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଯନ୍ତ୍ରୀ କିନ୍ତୁ ଓଲଟି ଲୋକଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଗାଁ ଲୋକଙ୍କ ମନା କରିବାସତ୍ତ୍ୱେ ରାସ୍ତା କାମ ସରୁ ସରୁ ସେହି ରାସ୍ତାରେ ବଡ଼ ଗାଡ଼ି ନେଇଛନ୍ତି । ଯାହାଫଳରେ ରାସ୍ତା ଅବସ୍ଥା ଏମିତି । ଏତେ ସବୁ ଅଭିଯୋଗ ବାଦ ଏବେ ରାସ୍ତାକୁ ପୁଣି ଥରେ ଭଲ ଭାବେ ତିଆରି କରିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି l