Advertisment

ସିଜିମାଳି ପାହାଡରୁ ବେଦାନ୍ତର ବକ୍ସାଇଟ୍ ଖନନକୁ ବିରୋଧ, ଆଦିବାସୀଙ୍କୁ ମାଓବାଦୀ କହି ଧରୁଛି ପୋଲିସ

ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ ।

author-image
Satyendu Shekher Mishra
undefined

Mines

ଗାଁ ପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି । ଦିନତମାମ ଅଧିକାଂଶ ପରିବାର ଘର ମୁଖିଆଙ୍କ ଫେରିବା ବାଟକୁ ଚାହିଁ ବସୁଛନ୍ତି ପରିବାର ଲୋକେ ।

Advertisment

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ସିଜିମାଳି ପାହାଡ ଉପରେ ରହୁଥିବା ୫ଟି ଗାଁରେ ଗଲା କିଛି ଦିନ ହେଲା ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସିଜିମାଳି ପାହାଡ଼ରୁ ବକ୍ସାଇଟ୍ ଖନନକୁ ବିରୋଧ ସହ ଭିଟାମାଟିରୁ ବେଦଖଲ ଓ ଜୀବନ ଜୀବୀକା ଉଜୁଡ଼ିବା ଆଶଙ୍କାରେ ବେଦାନ୍ତ କଂପାନୀ ବିରୋଧରେ ଆନ୍ଦୋଳନ କରି ରାତିଅଧିଆ ଗିରଫ ହେଲେଣି ୨୧ଜଣ ନିରୀହ ଆଦିବାସୀ । ଅନେକଙ୍କ ନାଁରେ ନରହତ୍ୟା ଓ ମାଓବାଦୀ ସଦସ୍ୟ ଭଳି ମିଛ ମାମଲା ରୁଜୁ କରି ପୋଲିସ ସଂଗୀନ ଦଫା ବି ଲଗାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।

ଅଞ୍ଚଳବାସୀଙ୍କ ଅଭିଯୋଗ-ସିଜିମାଳି ପାହାଡରୁ ବକ୍ସାଇଟ୍ ଖନନ ଲାଗି ବେଦାନ୍ତ କଂପାନୀ ଟେଣ୍ଡର ପାଇଛି । ହେଲେ ଖଣି ଖନନ ପାଇଁ ଆନ୍ଧ୍ରର ଏକ ଘରୋଇ କଂପାନୀ, ମୈତ୍ରୀ ଇନଫ୍ରା ଲିମିଟେଡକୁ ଠିକା ଦେଇଛି । ନିୟମ ଅନୁସାରେ ବକ୍ସାଇଟ୍ ଖନନ ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗର ମଂଜୁରୀ ସହ ରାଜସ୍ୱ ବିଭାଗର ଅନୁମତି ଦରକାର । ତାସହ ଗ୍ରାମସଭା ଓ ପଲ୍ଲିସଭା ମଧ୍ୟ ଜରୁରୀ । ହେଲେ ଏସବୁ କିଛି ବି ହୋଇନି।

Advertisment

ଏହାକୁ ନେଇ ଗତ ମାସରେ ସ୍ଥାନୀୟ ଅଞ୍ଚଳର ଆଦିବାସୀ ବଡ଼ ଧରଣର ପ୍ରତିବାଦ କରିଥିଲେ, ହେଲେ କଂପାନୀ କର୍ତ୍ତୃପକ୍ଷ ପୋଲିସ୍ ଲଗାଇ ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବା ସହ ବହୁ ଲୋକଙ୍କୁ ରାତି ଅଧିଆ ଘରୁ ଉଠାଇ ନେଉଥିବାରୁ ବଢୁଛି ଅସନ୍ତୋଷ । ଏମିତିକି ଖୋଦ୍ ସରମ୍ବାଇ ଗାଁରେ ରହୁଥିବା ସିନ୍ଦୁରଘାଟି ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ମାଝୀଙ୍କ ସ୍ୱାମୀଙ୍କୁ ଉଠାଇ ନେଇଥିଲେ । ଫଳରେ ସେ ବି ପୋଲିସ୍ ଭୟରେ ମୁହଁ ଖୋଲିନାହାନ୍ତି । ତେଣେ ପୁରା ଘଟଣାରେ ଖଣି କଂପାନୀ କି ପୋଲିସ୍‌ର ମଧ୍ୟ ପ୍ରତିକ୍ରିୟା ମିଳିନାହିଁ ।

ତେଣେ ସିଜିମାଳି ପାହାଡରୁ ବକ୍ସାଇଟ୍ ଖନନକୁ ନେଇ କଂପାନୀ ପ୍ରରୋଚନାରେ ପୋଲିସ ଓ ପ୍ରଶାସନର ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଛନ୍ତି ବିରୋଧୀ। ବିଜେପି କହିଛି କଂପାନୀର ଅରାଜକତା ଆଦୌ ବରଦାସ୍ତ କରାଯିବ ନାହିଁ। ଆଦିବାସୀଙ୍କ ଦାବି ପୂରଣ କରାନଯାଇ ସେମାନଙ୍କୁ ମିଛ ମାମଲାରେ ଫସାଯିବା ବନ୍ଦ ନହେଲେ ଦଳ ଜୋରଦାର ପ୍ରତିବାଦ କରିବ। ତେଣେ କଂଗ୍ରେସ ପ୍ରଶ୍ନ କରିଛି ହକ୍ ପାଇଁ ଲଢ଼େଇ କରୁଥିବା ଆଦିବାସୀଙ୍କ ନାଁରେ ମାମଲା ରୁଜୁ ହେଉଛି, ହେଲେ ନିୟମ ଉଲ୍ଲଂଘନକାରୀ କଂପାନୀକୁ ମାଫ୍ କାହିଁକି ? ଜବାବରେ ବିଜେଡି କହିଛି- ଖଣି ଅଞ୍ଚଳରେ ଆଦିବାସୀଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏଥିରେ ଖିଲାପକାରୀଙ୍କ ବିରୋଧରେ କଡ଼ା ଆକ୍ସନ ବି ହେଉଛି।

ଏବେ ଦେଖିବାର କଥା, ସିଜିମାଳି ପାହାଡ଼ରୁ ବକ୍ସାଇଟ୍ ଖନନ ପୂର୍ବରୁ ସ୍ଥାନୀୟ ଆଦିବାସୀ ନା ଖଣି କଂପାନୀ, କାହା ସ୍ୱାର୍ଥକୁ ଦିଆଯାଉଛି ଅଗ୍ରାଧିକାର।

Mines
Advertisment
Advertisment