• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିସ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପାରିସ କରାଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍‌ ଗଠନ ହେବ । ହାଇଲେବଲ ଟିମ୍‌ ପାଇଁ ସରକାରଙ୍କୁ ନିବେଦନ କରିଛି ପରିଚାଳନା କମିଟି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍‌ ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍‌ ଟିମ୍‌ର ମୁଖ୍ୟ ହେବେ । ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥା ତଦାରଖ କରିବ ଟିମ୍‌ । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ଅନୁମତି ଦିଆଯାଇଛି । ରଥଯାତ୍ରା ପୂର୍ବରୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ଯାଞ୍ଚ କରାଯିବ ବୋଲି କୁହାଯାଇଛି । ବୈଷୟିକ ଜ୍ଞାନକୌଶଳ ଜରିଆରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବ ।

କିଛି ଦିନ ପୂର୍ବରୂ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଏବେ ଦରକାର ନାହିଁ ଜଗନ୍ନାଥଙ୍କ ଅଳଙ୍କାର ଗଣତି । ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସବୁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ଏଭଳି ସତ୍ୟପାଠ । ତୁରନ୍ତ ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ ପାଇଁ ଦାଏର ଜନସ୍ୱାର୍ଥ ମାମଲାରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏଭଳି ସତ୍ୟପାଠ ଦାଖଲ ସମସ୍ତଙ୍କୁ ଚକିତ କରିଥିଲା। 

ତେବେ ହଠାତ୍‌ କାହିଁ ବଦଳିଗଲା ମନ । ପୁଣି ରତ୍ନ ଭଣ୍ଡାର ଖୋଲିବାକୁ କାହିଁକି ମନସ୍ଥ କଲା ପ୍ରଶାସନ । ଏନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ ତଥା ରାଜନୀତି ବିଶେଷଜ୍ଞଙ୍କ ମତରେ ଏହା କେବଳ ଏକ ଥୋପ ସଦୃଶ । ରତ୍ନ ଭଣ୍ଡାର ଖୋଲିବା ନେଇ ଲୋକଙ୍କ ମନରେ ଯେଉଁ ଅସନ୍ତୋଷ ଜନ୍ମ ନେଇଛି, ତାକୁ ପ୍ରଶମିତ କରିବା ଉଦେଶ୍ୟରେ ଏହି ପ୍ରୟାସ ବୋଲି ମତ ପ୍ରକାଶ ପାଇଛି ।

କିଛି ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା, ସେଥିରୁ ସ୍ପଷ୍ଟ ବାରି ହେଉଥିଲା ଯେ, ଶ୍ରମନ୍ଦିର ପ୍ରଶାସନ କି ରାଜ୍ୟ ସରକାର କେହି ରତ୍ନଭଣ୍ଡାର ଖୋଲିବା ମୁଡ୍‌ରେ ନାହାନ୍ତି । ସତ୍ୟପାଠରେ ରତ୍ନଭଣ୍ଡାରକୁ ତିନିଟି କାଟାଗୋରୀଯୁକ୍ତ କକ୍ଷ ଭାବେ ବର୍ଣ୍ଣନା କରି ଭିତର, ବାହାର ଓ ଚଳନ୍ତି ଭଣ୍ଡାର ଗୃହରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଥିବା ଦର୍ଶାଯାଇଥିଲା । ଯାହାମଧ୍ୟରେ ୧୪୯ କେଜି ୪୬୦ ଗ୍ରାମ ସୁନା, ୧୮୩ କେଜି ରୂପା ଅଳଙ୍କାର ଥିବା କୁହାଯାଇଥିଲା ।

ହେଲେ ଗୋଟିଏ ବି ହୀରା, ନୀଳା, ମୋତି କି ମାଣିକ୍ୟ ଭଳି ମୂଲ୍ୟବାନ ରତ୍ନ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ତାସହ କେଉଁ ତଥ୍ୟ ଆଧାରରେ ଏସବୁ ଅଳଙ୍କାର ଗୁଡ଼ିକର ଓଜନ ଓ ପରିମାଣ ଦର୍ଶାଯାଇଛି, ସେନେଇ ବି କିଛି ସ୍ପଷ୍ଟ ତଥ୍ୟ ଦିଆଯାଇନି । ଦୀର୍ଘ ୪୫ବର୍ଷ ତଳେ ଶେଷ ଥର ପାଇଁ ଖୋଲାଯାଇଥିବା ରତ୍ନଭଣ୍ଡାରର ଏବେକାର ବାସ୍ତବ ସ୍ଥିତି କଣ ? କେବେ ଭଣ୍ଡାର ଘର ଖୋଲାଯିବ ? ସେକଥା ମଧ୍ୟ କୋର୍ଟଙ୍କୁ କିଛି ବି ଜଣାଇ ନଥିବାରୁ ଏନେଇ ପୁଣି ନ୍ୟାୟାଳୟଙ୍କୁ ଆବେଦନ କରାଯିବ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି ।