Advertisment

ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି, କହିଲା ASI

ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI

author-image
Satyendu Shekher Mishra
undefined

Ratna Bhandar

ସଂରକ୍ଷଣ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଜରୁରୀ। କୋର୍ଟ ଯେତେଶୀଘ୍ର ନିର୍ଦ୍ଦେଶ ଦେବେ, ସେତେଶୀଘ୍ର ଆରମ୍ଭ ହେବ ମରାମତି କାର୍ଯ୍ୟ। ଶ୍ରୀଜିଉଙ୍କ ରତ୍ନଭଣ୍ଡାର ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହି ନିର୍ଯାସ ରଖିଛି ଭାରତୀୟ ପ୍ରତ୍ନତତ୍ୱ ସଂର୍ବେକ୍ଷଣ ସଂସ୍ଥା ASI । ସତ୍ୟପାଠରେ ASI ଦର୍ଶାଇଛି ଯେ, ଶେଷଥର ପାଇଁ ୨୦୧୮ରେ ବାହାର ଭଣ୍ଡାର ଅନୁଧ୍ୟାନ କରାଯାଇଥିଲା।

Advertisment

ସେତେବେଳେ କାନ୍ଥ ଭିତରୁ ଫମ୍ଫା ଶବ୍ଦ ଆସୁଥିଲା, ଚଟାଣରେ ପଥର ପଡ଼ିଥିଲା ଏବଂ ଛାତରୁ ପାଣି ଗଳୁଥିଲା ଦେଖିବାକୁ ମିଳିଥିଲା। ତେବେ ସେହି ଅନୁଧ୍ୟାନକୁ ୟା ଭିତରେ ୫ ବର୍ଷ ବିତିଲାଣି। ଏହା ଭିତରେ ସଂରକ୍ଷଣ କାର୍ଯ୍ୟ ଆରମ୍ଭରେ ଆହୁରି ବିଳମ୍ବ ହୋଇଛି। ତେଣୁ ଏବେ ଅବିଳମ୍ବେ ମରାମତି ଆବଶ୍ୟକତା ରହିଥିବାରୁ କୋର୍ଟ ନିର୍ଦ୍ଦେଶ ଦେବା ମାତ୍ରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛି ASI ।

ସେପଟେ ମରାମତି ପାଇଁ ଏଏସ୍ଆଇର ବାରମ୍ବାର ଚିଠି ସତ୍ତ୍ୱେ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ;

Advertisment

ଏପଟେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ବାରମ୍ବାର ଦାବି ଦୋହରାଇ ଆସୁଛନ୍ତି ବିଭିନ୍ନ ପକ୍ଷ। ଏପରିକି ଗଜପତି ମହାରାଜା, ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତମାନେ ବହୁ ଦିନ ଧରି ଏ ଦାବି କରି ଆସୁଛନ୍ତି। ଏପଟେ ଗତ ୪ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆସନ୍ତା ବର୍ଷ ରଥଯାତ୍ରାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ ହୋଇଛି। ତା ସହ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ କରାଯିବ ବୋଲି ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।

ଏଣେ ଭକ୍ତଙ୍କ ଦାବି ଯଦି ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଆଗ୍ରହୀ, ତେବେ ବର୍ଷଟିଏ ଅପେକ୍ଷା ନକରି ଯଥାଶୀଘ୍ର ଖୋଲାଯାଉ। ସେହିଭଳି ରତ୍ନଭଣ୍ଡାର ତୁରନ୍ତ ଖୋଲାଗଲେ ହିଁ ଏ ବିବାଦରେ ପୂର୍ଣ୍ଣଛେଦ ପଡ଼ିବା ସହ ଭକ୍ତଙ୍କ ଆଶା ଓ ଆଶଙ୍କାରେ ଅବସାନ ଘଟିବ ବୋଲି ମତ ରଖିଛନ୍ତି ବରିଷ୍ଠ ସେବାୟତ।

୧୯୭୮ ମସିହା ପରଠୁ ଆଉ ଖୋଲିନି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏପଟେ ରତ୍ନଭଣ୍ଡାରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ସୁରକ୍ଷିତ ରହିଛି କି ନାହିଁ, ତାକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ମଧ୍ୟ ଜରୁରୀ ହୋଇପଡ଼ିଛି। ଏଭଳି ସ୍ଥିତିରେ ଏବେ ସବୁକିଛି କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବାରୁ ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ହିଁ ସମସ୍ତଙ୍କ ଅପେକ୍ଷା ।

Srimandir Lord Jagannath Ratna Bhandar
Advertisment
Advertisment