• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେଉଁ ଗାଁର ପ୍ରତିଟି ଆଵାଳବୃଦ୍ଧବନିତା ସାମିଲ ହୋଇଥିଲେ ସ୍ୱାଧୀନତା ସଂଗ୍ରାମରେ । ଦେଶ ମାତୃକା ପାଇଁ ଅନେକ ଶହୀଦ ହୋଇ ସବୁ ଦିନ ପାଇଁ ଚିରସ୍ମରଣୀୟ ହୋଇରହିଛନ୍ତି।l ଗାଁଟି ହେଉଛି, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଥୁଆବାରୀ l ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁରୁ ଆସନ୍ତୁ ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ ।

ଭାରତବର୍ଷରେ ଏକ ବିରଳ ଗାଁ । ଇଂରେଜଙ୍କ ବିରୋଧରେ ଏଇ ଗାଁରୁ ଦିନେ ଶୁଭିଥିଲା ବିଦ୍ରୋହର ଅନିର୍ବାଣ ଶିଖା । ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଇଲାକାରୁ ସ୍ୱାଧୀନତା ସଂଗ୍ରାମ ପାଇଁ ଆରମ୍ଭ ହୋଇଥିଲା ବିପ୍ଳବର ଅଗ୍ନିଶିଖା । ଆଉ ଏଥିରେ ସାମିଲ ହୋଇଥିଲେ ଗାଁର ଆବଳବୃଦ୍ଧବନିତା । ଫଳରେ ନୃଶଂସ ଫିରିଙ୍ଗିଙ୍କ ଅକଥନୀୟ ଅତ୍ୟାଚାର କଷଣ ଯୋଗୁଁ କିଏ ଅନ୍ଧ ପାଲଟିଗଲା, ପୁଣି କିଏ ପାଗଳ ହୋଇଗଲା ତ ପୁଣି କିଏ ନିଖୋଜ ।

ଅଧିକ ପଢ଼ନ୍ତୁ: ଏଥର ସାଧାରଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତି

ଏମିତି ଲୋମଟାଙ୍କୁରା ଘଟଣାବଳୀକୁ ଜାବୁଡ଼ି ଧରିଥିବା ଏଇ ଗାଁ ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଥୁଆବାରୀ ଗାଁ l ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ବିଦିତ ଥୁଆବାରୀ ଗାଁ l ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଏଇ ଗାଁର 12 ବର୍ଷୀୟ ପିଲାଠୁ 80 ବର୍ଷୀୟ ବୟସ୍କ ପୁରୁଷ ମହିଳା ସାମିଲ ହୋଇଥିଲେ l ପ୍ରଜା ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏମିତି ଏକ ଗାଁର ଲୋକେ l ଗୋଟିଏ ଲକ୍ଷ୍ୟ ଥିଲା ଫିରଙ୍ଗୀମାନଙ୍କ ଅତ୍ୟାଚାର କବଳରୁ ଦେଶକୁ ସ୍ୱାଧୀନତା ଆଣିବା ।

ଓଡ଼ିଶା ର ରକ୍ତତୀର୍ଥ ଇରମ ପରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ପୃଷ୍ଠା ମଣ୍ଡନ କରିଛି ଥୁଆବାରୀ । 1936 ମସିହା ପ୍ରଜା ଆନ୍ଦୋଳନରେ ଏହି ଗାଁର କଣ୍ଡୁରୀ ପରିଡା ସ୍ଥାନୀୟ ଆଦିବାସୀଙ୍କୁ ମେଳି କରି ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଆଉ ଏହାପରେ ଗାନ୍ଧିଜୀଙ୍କ ଓଡିଶା ଆଗମନରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ବ ନେଇ ଏହି ଗାଁର କଣ୍ଡୁରୀ ପରିଡା ଓ ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ବରେ ଗାଁର ଆବାଳବୃଦ୍ଧବନିତା ଦେଶ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ଗାଁର ଶତାଧିକ ଲୋକେ ମେଳି ବାନ୍ଧି ବରକୋଳା ବଙ୍ଗଳା ଘେରାଉ, ଥାନାରେ ଅଗ୍ନି ସଂଯୋଗ, ପୋଲିସଙ୍କୁ ମାଡ଼ ମାରିବା ସହ ଟେଲିଫୋନ ତାର କାଟିଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ଇଂରେଜ ସରକାରଙ୍କ ସରକାରୀ ଅଫିସରେ ନିଆଁ ଲଗାଇଥିଲେ । ଇଂରେଜମାନଙ୍କୁ ଅସହଯୋଗ କରିଥିଲେ ଗ୍ରାମବାସୀ ।

ଭୀତତ୍ରସ୍ତ ସିପାହୀ ଦଳ ତତ୍‌କାଳୀନ ଦାରୋଗା ବେଣୁଧର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନେତା ଆନନ୍ଦଚନ୍ଦ୍ର ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଗୁଳି ଚାଳନା କରିଥିଲେ । କିନ୍ତୁ ଗୁଳିର ଶିକାର ହୋଇଥିଲେ ଆଦିବାସୀ ନେତା ଶହୀଦ କଷ୍ଟି ଡାକୁଆ । କଷ୍ଟି ଡାକୁଆଙ୍କ ମୃତ୍ୟୁରେ ମ୍ରିୟମାଣ ବିପ୍ଳବୀମାନେ ଭାଙ୍ଗି ନପଡି ବିପ୍ଲବକୁ କରିଥିଲେ ଦ୍ବିଗୁଣିତ । ଏହି ଗାଁର କଣ୍ଡୁରୀ ପରିଡାଙ୍କ ସମେତ ଭାଗବତ ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, ପ୍ରହଲ୍ଲାଦ ସ୍ୱାଇଁଙ୍କ ମୁଣ୍ଡ ବିନିମୟରେ ଇଂରେଜ ସରକାର 500 ମୁଦ୍ରାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ପରେ କଣ୍ଡୁରୀ ପରିଡା ଓ ତାଙ୍କ ପୁଅ ବୁଦ୍ଧି ପରିଡ଼ାଙ୍କୁ ଗିରଫ କରି ଅକଥନୀୟ ନିର୍ଯାତନା ଦେଇଥିଲେ । ଫଳରେ କାରାଗାର ଭିତରେ କଣ୍ଡୁରୀ ପରିଡାଙ୍କ ପୁଅ ବୁଦ୍ଧି ପରିଡା ଶହୀଦ ହୋଇଥିଲେ । ଏହି ଗାଁର ଲିଙ୍ଗା ନାଏକ ଓ ହରି ସାହୁ ଇଂରେଜମାନଙ୍କ ଅତ୍ୟାଚାର ସହି ନପାରି ପାଗଳ ହୋଇଯାଇଥିଲେ l ଅନ୍ୟଜଣେ ସଂଗ୍ରାମୀ ଖତି ସାହୁଙ୍କୁ ଇଂରେଜ ସରକାର ଏଭଳି ଦଣ୍ଡ ବ୍ୟବସ୍ଥା କଲେ ଯେ କେହି ତାଙ୍କର ପତ୍ତା ମଧ୍ୟ ପାଇଲେ ନାହିଁ l ଫିରିଙ୍ଗ ବିରୋଧରେ ଗାଁ ମଧ୍ୟ ପୁରୁଷଶୂନ୍ୟ ହୋଇଯାଇଥିଲା । ଏପରିକି ଗାଁର ମହିଳାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଏହି ଆନ୍ଦୋଳନରେ ଗ୍ରାମର ସମସ୍ତ ୬୨ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ଦେଇ ଆଜି ବି ଅମର ହୋଇଛନ୍ତି l ଆନ୍ଦୋଳନରେ ପିଲାଠୁଁ ବୟସ୍କ ସାମିଲ ଥିଲେ । ଗାଁ ମୁଣ୍ଡରେ ଥିବା ଶହୀଦ ସ୍ତମ୍ଭ ଆଜି ସଂଗ୍ରାମୀମାନଙ୍କ ବୀରତ୍ୱର ମୁକସାକ୍ଷୀ ହୋଇ ଦଣ୍ଡାୟମାନ l ଗ୍ରାମର ସଂଗ୍ରାମୀଙ୍କ ସ୍ମୃତିରେ ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି । ଥୁଆବାରୀ ଗ୍ରାମବାସୀ ଦେଶ ମାତୃକାକୁ ସ୍ୱାଧୀନତାର ସ୍ୱାଦ ଚଖାଇବାକୁ ଯେଉଁ ବିପ୍ଳବ କରିଥିଲେ, ତାହା ଯୁଗ ଯୁଗ ଧରି ଚିରସ୍ମରଣୀୟ ହୋଇ ନିଶ୍ଚୟ ରହିବ । ଗ୍ରାମବାସୀଙ୍କ ସଂଗ୍ରାମର ଗାଥାକୁ ଇତିହାସ ନିଜର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି ଏବଂ ଥୁଆବାରୀ ଗ୍ରାମବାସୀଙ୍କ ବୀରତ୍ବ ଆଜି ତାଙ୍କୁ କରିଛି ଅମର l

(ରିପୋର୍ଟ- ଜୟେନ୍ଦ୍ର ବେହେରା, ନୟାଗଡ଼)

OTV is now on Whatsapp

Join and get latest news update delivered to you via whatsapp

Join Now