Advertisment

ବିଜୁଳି ଯନ୍ତ୍ରଣାରେ ଛଟପଟ ସାରା ରାଜ୍ୟ, ଶକ୍ତିମନ୍ତ୍ରୀଙ୍କ ସଭାରେ ବି କଟିଲା ଲାଇନ

ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।

author-image
Satyendu Shekher Mishra
undefined

Odisha Power Cut

ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ଲାଇନ। ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।ବାଲେଶ୍ୱର ବାହାନଗାରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେବାକୁ ପହଞ୍ଚିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ହେଲେ ମନ୍ତ୍ରୀ ମଞ୍ଚ ଉପରକୁ ଚଢିବା କ୍ଷଣି ଚାଲିଗଲା ବିଜୁଳି। ବନ୍ଦ ହୋଇଗଲା ମାଇକ୍। ମନ୍ତ୍ରୀଙ୍କ ସହ ମଞ୍ଚସ୍ଥ ଅତିଥିମାନେ ଝାଳନାଳରେ ଅତିଷ୍ଠ ହୋଇଥିଲେ। ପରେ ଜେନେରେଟର ଲାଗିବା ପରେ ସ୍ୱାଭାବିକ ହୋଇଥିଲା ସଭା। ପ୍ରାୟ ୩୦ ମିନିଟ ପରେ ଆସିଲା ଲାଇନ୍।

Advertisment

ଏପଟେ ଭୁବନେଶ୍ୱର ପାୱାର ହାଉସ ଛକରେ ଥିବା ଟାଟା ପାୱାର ହେଡ୍ ଅଫିସରେ ବି ବିଜୁଳି ବିଭ୍ରାଟ। ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସେଠାକୁ ଯାଇଥିବା ବେଳେ ହଠାତ୍ ଚାଲି ଯାଇଥିଲା ବିଜୁଳି। କିଛି ସମୟର ଅପେକ୍ଷା ପରେ ଆସିଥିଲା ଲାଇନ୍ ।

ସେପଟେ ସଂସ୍କୃତି ମନ୍ତ୍ରୀଙ୍କ ଘରେ ବି କାଳବୈଶାଖୀ ପରେ ବିଜୁଳି ଆସିବାକୁ ଲାଗିଗଲା ଗୋଟିଏ ଦିନ। ଆଜି ଗଣମାଧ୍ୟମ ଆଗରେ ବିଜୁଳି କାଟର ଅଭିଜ୍ଞତା ବଖାଣି ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, କାଳବେଶାଖୀ ପ୍ରଭାବରେ ମୋ ଘର ବି ଗୋଟିଏ ଦିନ ଅନ୍ଧାରରେ ରହିଛି । ମରାମତି କାମ ହୋଇଥିଲେ ବି ରାତି ସାରା ଲାଇନ ଆସି ପାରିଲା ନାହିଁ । ତେବେ ଏନେଇ ଶକ୍ତିମନ୍ତ୍ରୀଙ୍କୁ ପଚାରିବାରୁ ସେ ଏଡ଼ାଇ ଚାଲି ଯାଇଥିଲେ।

Advertisment

ଏପଟେ ବିଜୁଳି ଯାତନା ଅସହ୍ୟ ହେବା ପରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଉପଭୋକ୍ତା । ଯାଜପୁର ଜିଲ୍ଲା ବିଝାଂରପୁରର କଇଥପଡିଆ ଗାଁରେ ସ୍ଥିତି ଅସମ୍ଭାଳ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଅଭିଯୋଗ, ବିନା କାରଣରେ ବାରମ୍ବାର ହେଉଛି ପାୱାର କଟ୍। ଆଉ ବ୍ରହ୍ମପୁର କଥା ନକହିବା ଭଲ । ସହରର ଲାଞ୍ଜିପଲ୍ଲୀ ଆଉ ଆଙ୍କୁଲି ଅଞ୍ଚଳରରେ ରାତି ରାତି ବିଜୁଳି ଗାଏବ୍ । ଅସହ୍ୟ ହେବାରୁ ତାତିଥିଲେ ଲୋକେ। ରାତି ଗୋଟାଏ ବେଳେ ସବ୍ ଷ୍ଟେସନ ଆଗରେ ନିଆଁ ଜାଳି ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସେହିଭଳି ଗଂଜାମ ଜିଲ୍ଲା ଭଞ୍ଜନଗରରେ ବି ସମାନ ସ୍ଥିତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଘନ ଘନ ବିଜୁଳି କାଟ ପରେ ତେଜିଛି ଅସନ୍ତୋଷ । ବଡ କଥା ହେଲା ବାରମ୍ବାର ଅଭିଯୋଗ ପରେ ବି କର୍ତ୍ତୃପକ୍ଷ ଶୁଣୁଛନ୍ତି ନା ମରାମତି କରୁଛନ୍ତି।

କେବଳ ଉପଭୋକ୍ତା ନୁହେଁ ବିଜୁଳି କାଟ୍‌କୁ ନେଇ ରାଜଧାନୀରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ। ଘେରାଉ ବେଳେ ମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ ବି କରିଥିଲେ। କିଛି ସମୟ ପାଇଁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ କର୍ମୀ। ଅନ୍ୟପଟେ ବିଜେପି ପକ୍ଷରୁ ବି ଲଣ୍ଠନ ଜାଳି କରାଯାଇଛି ପ୍ରତିବାଦ। ନବୀନ ନିବାସ ନିକଟରେ ପ୍ରତିବାଦ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ।

ସେପଟେ ଆଜି ଲୋକସେବା ଭବନରେ ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବେଳେ କାଳବୈଶାଖୀ ପରେ ପରେ ପୁନରୁଦ୍ଧାର କାମ ଏବଂ ବିଦ୍ୟୁତ କାଟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି ।

Power Cut
Advertisment
Advertisment