• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉଡ଼ନ୍ତା ବିମାନରୁ ବାହାରିଲା ବିଷାକ୍ତ କୋବ୍ରା ସାପ । ତା’ପୁଣି ପାଇଲଟ୍‌ଙ୍କ ଚାମ୍ବର୍‌ରେ । ସାହସିକତା ଦେଖାଇ ବିମାନକୁ ଜରୁରୀ ଅବତରଣ କରାଇଲେ ପାଇଲଟ୍‌ । ଏନେଇ ବିମାନର ପାଇଲଟ୍‌ଙ୍କୁ ବେଶ୍‌ ପ୍ରଶଂସା କରାଯାଉଛି । ଏଭଳି ଘଟଣା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି ।

ଦକ୍ଷିଣ ଆଫ୍ରିକାର ଜଣେ ପାଇଲଟ୍‌ ରୁଡୋଲ୍ଫ ଇରାସ୍‌ମସ୍‌ ୫ ବର୍ଷ ଧରି ଜଣେ ଅଭିଜ୍ଞ ପାଇଲଟ୍‌ ଭାବେ କାର୍ଯ୍ୟ କରିଆସୁଛନ୍ତି । ସୋମବାର ସକାଳୁ ଚାରିଜଣ ଯାତ୍ରୀଙ୍କୁ ନେଇ ରୁଡୋଲ୍ଫ ୱାର୍ସେଷ୍ଟରରୁ ନେଲ୍ସପ୍ରୁଟକୁ ଯାତ୍ରା କରୁଥିଲେ । ହଠାତ୍‌ କକ୍‌ପିଟ୍‌ରେ ସେ ଏକ ବିଷଧର କେପ୍‌ କୋବ୍ରା ସାପକୁ ଦେଖିବାକୁ ପାଇଥିଲେ । ବିଚଳିତ ନ ହୋଇ ସେ ବିମାନର ଜରୁରୀ ଅବତରଣ କରାଇଥିଲେ ।

ଅଧିକ ପଢ଼ନ୍ତୁ: ଉଡ଼ନ୍ତା ବିମାନରେ ପାଇଲଟ୍‌ ଗୁରୁତର, ସୁରକ୍ଷିତ ଲ୍ୟାଣ୍ଡିଂ କରାଇଲେ ଯାତ୍ରୀ

ବାସ୍ତବରେ, ସୋମବାର ସକାଳେ ୱାର୍ସେଷ୍ଟର ବିମାନବନ୍ଦରର କର୍ମଚାରୀ ବିମାନ ତଳେ ଏକ କେପ୍‌ କୋବ୍ରା ସାପକୁ ଦେଖିଥିଲେ । କର୍ମଚାରୀମାନେ ସାପକୁ ଧରିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସାପଟି ଭୟରେ ଇଞ୍ଜିନ୍‌ର କାଓଲିଙ୍ଗ୍‌ ଭିତରକୁ ପଶିଯାଇଥିଲା । ବହୁ ଛାନଭିନ୍‌ ପରେ ବି ସାପଟି ମିଳିନଥିଲା । ସମସ୍ତେ ଭାବିଲେ କି ସାପ ସେଠାରୁ ପଳାଇଛି ।

ବିମାନଟି ଉଡ଼ାଣ ପରେ ହଠାତ୍‌ ପାଇଲଟ୍‌ ତାଙ୍କ ସିଟ୍‌ ତଳେ ସାପଟିକୁ ଦେଖିବାକୁ ପାଇଥିଲେ । ସାପକୁ ଦେଖି କିଛି ସମୟ ପାଇଁ ସେ ସ୍ତବ୍ଧ ହୋଇଗଲେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ନିଷ୍ପତ୍ତି ନେଲେ । ସେ ଯାତ୍ରୀଙ୍କୁ ଜଣାଇଦେଲେ ଯେ, ତାଙ୍କ ସିଟ୍‌ ତଳେ ଏକ କେପ୍‌ କୋବ୍ରା ସାପ ରହିଛି । ତେଣୁ ବିମାନକୁ ଲ୍ୟାଣ୍ତିଂ କରିବାକୁ ପଡ଼ିବ । ଜୋହାନ୍ସବର୍ଗ ବିମାନବନ୍ଦରର କର୍ମଚାରୀଙ୍କ ପରାମର୍ଶ ପରେ ସେ ବିମାନକୁ ଜରୁରୀକାଳୀନ ଅବତରଣ କରାଇଥିଲେ ।

ପାଇଲଟ୍‌ ଜଣକ ନିଜ ଜୀବନକୁ ବାଜି ଲଗାଇ ପ୍ରଥମେ ଯାତ୍ରୀଙ୍କୁ ବିମାନରୁ ବାହାର କରିଥିଲେ ଏବଂ ଶେଷରେ ନିଜେ ବିମାନରୁ ଓହ୍ଲାଇଥିଲେ । ତାଙ୍କର ଏହି ସାହସିକତାକୁ ବେଶ୍ ପ୍ରଶଂସା କରାଯାଇଛି । ଯେତେବେଳେ ସାପ ଧରାଳି ବିମାନକୁ ପ୍ରବେଶ କଲେ, ପୁଣି ଥରେ ସାପଟି ବିମାନରୁ ଗାଏବ ହୋଇଗଲା ।