• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋଲା ଆକାଶରେ ବିମାନ ଉଡ଼ୁଥିବା ବେଳେ ପାଇଲଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହେଲେ କ’ଣ ହେବ ? ଏପରି ହେଲେ ଶହ ଶହ ଲୋକଙ୍କ ଜୀବନ ଯିବା ଏକ ପ୍ରକାର ଥୟ । ଆମେରିକାରେ ଏଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଆକାଶରେ ଉଡ଼ୁଥିବା ବେଳେ ହଠାତ୍‌ ପାଇଲଟ୍‌ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ କକପିଟରୁ ହଟାଇବାକୁ ପଡିଥିଲା । ସୌଭାଗ୍ୟବଶତଃ ଏହି ସମୟରେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସମସ୍ତଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିଲେ ।

ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସରୁ ଏକ ବିମାନ ଲସ୍ ଭେଗାସରୁ କଲମ୍ବସକୁ ଉଡ଼ାଣ ଭରିଥିଲା । ହେଲେ ଟେକ୍ ଅଫ୍ କରିବାର କିଛି ସମୟ ପରେ ପାଇଲଟଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । କିଛି ହେବା ପୂର୍ବରୁ ଜରୁରୀକାଳୀନ ସ୍ଥିତି ପାଇଁ ବିମାନଟିକୁ ଲସ୍ ଭେଗାସରେ ହିଁ ଅବତରଣ କରିବାକୁ କୁହାଗଲା ।

ତେବେ କିଛି ଦୁର୍ଘଟଣା ହେବା ପୂର୍ବରୁ ବିମାନରେ ଥିବା ଜଣେ ଯାତ୍ରୀ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତାଙ୍କୁ ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ହେଲେ ପରେ ଜଣାପଡ଼ିଲା ଯାତ୍ରୀ ଜଣକ ଜଣେ ପେସାଦାର ପାଇଲଟ୍ ଥିଲେ । ଅନ୍ୟ ଏକ ବିମାନ କମ୍ପାନୀରେ କାମ କରୁଥିଲେ ।

ଜରୁରୀକାଳିନ ସ୍ଥିତିରେ କକପିଟ୍ ଭିତରକୁ ଆସି ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ କରିଥିଲେ । ଏହି ସମୟରେ ବିମାନର ସହ-ପାଇଲଟ୍ ପ୍ରଥମେ ବିମାନକୁ ନିୟନ୍ତ୍ରଣକୁ ନେଇଥିଲେ। କିଛି ସମୟ ଉଡ଼ାଣ ପରେ ଫ୍ଲାଇଟ୍ 6013କୁ ସୁରକ୍ଷିତ ଅବତରଣ କରାଗଲା । ତେବେ ଡ୍ୟୁଟିରେ ନଥାଇ ବି ଲୋକଙ୍କୁ ନୂଆ ଜୀବନ ଦେଇଥିବା ପାଇଲଟଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।