• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରେଲୱେକୁ ଉନ୍ନତୀକରଣ ଚିନ୍ତା । କଲବଲ ରେଳଯାତ୍ରୀ । ଅସନ୍ତୋଷ ଝାଡ଼ିଛନ୍ତି ରାଉରକେଲାର ସୁକାନ୍ତ । ଭୁବନେଶ୍ୱରରୁ ରାଉରକେଲା ଯିବାକୁ ଇଣ୍ଟରସିଟି ଏକ୍ସପ୍ରେସରେ ଟିକେଟ୍ ରିଜର୍ଭ କରିଥିଲେ। ହେଲେ ଆଜି ସକାଳୁ ମେସେଜ ଆସିଲା, ତାଙ୍କ ଟ୍ରେନ୍ ଭୁବନେଶ୍ୱର ନ୍ୟୁ ଷ୍ଟେସନରୁ ଛାଡ଼ିବ। ହେଲେ ପ୍ରଥମ ଥର ନାଁ ଶୁଣିଥିବା ଷ୍ଟେସନକୁ ପବ୍ଲିକ ଟ୍ରାନ୍ସପୋର୍ଟ ନ ଥିବାରୁ କ୍ୟାବରେ ଚଢ଼ା ଦରରେ ଯିବାକୁ ବାଧ୍ୟ ହେଲେ।

କେବଳ ସୁକାନ୍ତ ନୁହନ୍ତି, ଗତ କିଛିଦିନ ହେଲା, ଭୁବନେଶ୍ୱରରୁ ଟ୍ରେନରେ ଯିବାକୁ ଚାହୁଁଥିବା ଅନେକ ଯାତ୍ରୀ ଏମିତି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ବର ନ୍ୟୁ ଷ୍ଟେସନରେ ହେଲ୍ପ ଡେସ୍କ ଖୋଲାଯିବା ସହ ବାରଙ୍ଗରୁ ଷ୍ଟେସନ ଯାଏଁ ଫ୍ରି ବସ୍ ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ଷ୍ଟେସନ କର୍ତ୍ତୃପକ୍ଷ ।

କାହିଁକି ଏମିତି ଦହଗଞ୍ଜ ହେଉଛନ୍ତି ରେଳ ଯାତ୍ରୀ ? ଯାତ୍ରୀଙ୍କ ଅସୁବିଧା ଦୂର ପାଇଁ କିଛି ପଦକ୍ଷେପ ନେଇନି କି ରେଳ ବିଭାଗ ? ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି, ଏବେ ମଞ୍ଚେଶ୍ବରରୁ ଭୁବନେଶ୍ବର ଷ୍ଟେସନ ମଧ୍ୟରେ ତୃତୀୟ ଲାଇନର ନନ୍ ଇଣ୍ଟରଲକିଂ କାମ ଚାଲିଛି । ଏଥିପାଇଁ ଅଗଷ୍ଟ ୧୪ରୁ ୨୯ ତାରିଖ ଯାଏଁ ୮୫ ଯୋଡ଼ା ଟ୍ରେନ୍ ବାତିଲ କରାଯାଇଛି । ୧୧ ଯୋଡ଼ା ଯାତ୍ରୀବହୁଳ ଟ୍ରେନ ଆଂଶିକ ବାତିଲ ହୋଇଛି, ଅର୍ଥାତ୍ ସେଗୁଡ଼ିକର ଆରମ୍ଭ ଓ ଗନ୍ତବ୍ୟ ପଥ କମାଇ ଦିଆଯାଇଛି । ଫଳରେ କିଛି ଟ୍ରେନ ଭୁବନେଶ୍ୱର ନ୍ୟୁ ଷ୍ଟେସନ ଯାଏଁ ଯାତାୟାତ କରୁଥିବା ବେଳେ ଅନ୍ୟ କିଛି ଟ୍ରେନକୁ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଚଲାଯାଉଛି ।

ତେବେ ଟିକେଟ ରିଜର୍ଭ କରିଥିବା ଯାତ୍ରୀଙ୍କୁ ମେସେଜ ଜରିଆରେ ସୂଚନା ଦିଆଯାଇଛି । ଏମିତିକି ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଯାତ୍ରୀଙ୍କ ନିମନ୍ତେ ଏ ସମ୍ପର୍କିତ ସୂଚନା ଦିଆଯାଇଛି ।

 

  • Reported by:
  • KAPILENDRA PRADHAN