Advertisment

ତେଜୁଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ପରିବହନରୁ ଖାଉଟି ସାମଗ୍ରୀ ଯୋଗାଣ ଠପ୍

କେବଳ ଯାତ୍ରୀ ନୁହନ୍ତି, ଗାଡ଼ି ଚାଳକଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ଓମଫେଡ୍ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

author-image
Santosh Kumar Sahoo
undefined

Driver Protest

ତୀବ୍ର ହେଉଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଯାହାର ପ୍ରଭାବ ସିଧାସଳଖ ପଡ଼ିଛି ଜୀବନଯାତ୍ରା ଉପରେ। କ୍ଷୀର ଯୋଗାଣଠୁ ଆରମ୍ଭ କରି ଯାତ୍ରୀ ସେବା ଯାଏଁ ରାଜ୍ୟରେ ସବୁ କିଛି ଠପ୍। ସାଧାରଣ ଖାଉଟିଠୁ ଯାତ୍ରୀଙ୍କ ଯାଏଁ ସଭିଏଁ ହଇରାଣ। ଏମିତିକି ଆଗକୁ ପେଟ୍ରୋଲ, ଡିଜେଲ ଓ LPG ସଙ୍କଟ ବି ଜଳଜଳ ଦିଶିଲାଣି । ଏଭଳି ପରିସ୍ଥିତିରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ନେଇ ସରକାରଙ୍କ ବିବୃତି ଓ ଏହାକୁ ଡ୍ରାଇଭର ସଂଘର ଖଣ୍ଡନ, ଭିନ୍ନ ସଙ୍କେତ ଦେଉଛି।

Advertisment

ଭଲ ଚିକିତ୍ସା ପାଇଁ ବୌଦ୍ଧରୁ କଟକ ବଡ଼ ମେଡିକାଲ ଦୌଡ଼ି ଆସିଥିଲେ। ହେଲେ ଡାକ୍ତର ଦେଖାଠୁ ବଳିଗଲା ଘରକୁ ଫେରିବା । ଗାଡ଼ି ଚାଳକଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ବରମୁଣ୍ଡା ବସଷ୍ଟାଣ୍ଡରେ ଢେର ସମୟ ବସିବା ପରେ ଶେଷରେ ବାଧ୍ୟ ହୋଇ କାର୍ ଭଡ଼ା କରି ରୋଗୀ ନେଇ ଘରକୁ ଫେରିଲେ ବୌଦ୍ଧର ମନୋଜ ଜାନି। କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ନୟାଗଡ଼। ରାଜ୍ୟର ସବୁ ଜାଗାରେ ଦେଖିବାକୁ ମିଳିଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଏମିତି ପ୍ରଭାବ। ଛିଡ଼ା ହୋଇ ରହିଛି ବସ୍, ବିଚାରା ଯାତ୍ରୀ ହନ୍ତସନ୍ତ।

କେବଳ ଯାତ୍ରୀ ନୁହନ୍ତି, ଗାଡ଼ି ଚାଳକଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ଓମଫେଡ୍ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଓମଫେଡ୍ ବୁଥରେ ଆଜି ଲୋକଙ୍କୁ କ୍ଷୀର ମିଳି ନ ଥିଲା । ଏମିତିକି ଅନେକ ଚା’ ଦୋକାନୀ ଆଜି ନାଲି ଚା’ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ।

Advertisment

ଏସବୁ ଭିତରେ ଡ୍ରାଇଭର ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେଲାଣି ପେଟ୍ରୋଲ, ଡିଜେଲ ସାଙ୍ଗକୁ ରନ୍ଧନ ଗ୍ୟାସ୍ ସଙ୍କଟ। ପେଟ୍ରୋଲିୟମ ଡିଲର ସଂଘ କହିଛି, ଆନ୍ଦୋଳନ ଯୋଗୁ ଗତକାଲି ଡିପୋରୁ ୭୫ ପ୍ରତିଶତ ତେଲ ଲୋଡ୍ ହୋଇପାରିନି । ଏପଟେ ପାନିକ୍ ବାଇଙ୍ଗରେ ଗତକାଲି ୨୦ ପ୍ରତିଶତ ଅଧିକ ତେଲ ବିକ୍ରି ହୋଇଥିଲା । ଆଜି ପାରାଦୀପ ଡିପୋରୁ ତେଲ ଲୋଡିଂ ପୂରା ବନ୍ଦ ରହିଥିବା ବେଳେ ବାଲେଶ୍ୱର ଓ ଜଟଣୀ ଡିପୋରୁ ଅଳ୍ପ କିଛିଟା ତେଲ ଟ୍ୟାଙ୍କର ଲୋଡ୍ ହୋଇଛି। ଏମିତି ସ୍ଥିତି ଲାଗି ରହିଲେ, ଆସନ୍ତାକାଲି ଅପରାହ୍ଣ ବେଳକୁ ତେଲ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ସେପଟେ ରୋଷେଇ ଘରର ମୁଖ୍ୟ ଉପଦାନ ଏଲପିଜି କ୍ଷେତ୍ରରେ ବି ସମାନ ଅବସ୍ଥା ଦେଖାଦେଲାଣି ।

ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାରେ ହିଟ୍ ଆଣ୍ଡ ରନ୍ ପାଇଁ କଠୋର ଦଣ୍ଡ ବିଧାନ ରହିଛି। ଏହାକୁ ବିରୋଧ କରି ଗାଡ଼ି ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆମ ରାଜ୍ୟରେ ଡ୍ରାଇଭରମାନଙ୍କୁ ସରକାର ବାରମ୍ବାର ପ୍ରତାରଣା କରିବା, ଆନ୍ଦୋଳନର ଅନ୍ୟତମ କାରଣ ବୋଲି କୁହାଯାଉଛି। ଆଜି କିଛି ଡ୍ରାଇଭରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ପରିବହନ କମିଶନର ଘୋଷଣା କରିଥିଲେ। ତେବେ କେଇ ମୁହୂର୍ତ୍ତ ଭିତରେ ସଂଘ ସ୍ପଷ୍ଟ କରିଥିଲା, ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ ନୁହେଁ, ଜାରି ରହିଛି।

ଆମ୍ବୁଲାନ୍ସ ଭଳି ଜରୁରୀ ସେବାଠାରୁ ଆରମ୍ଭ କରି ଡାଲି, ଚାଉଳ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ଲାଗି ଡ୍ରାଇଭରଙ୍କ ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଯଦି ଆନ୍ଦୋଳନ ଶୀଘ୍ର ପ୍ରତ୍ୟାହାର ନ ହୁଏ, ତାହେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ।

Odisha Driver Protest
Advertisment
Advertisment