• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଟିଏ ଟଙ୍କାର ପୋଖରୀ । ପାରଳାଖେମୁଣ୍ଡି ସହର ମଝିରେ ଅଛି ପଟ୍ଟନାୟକ ପୋଖରୀ । ଏହି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାଁରେ ଗତ ୧୦ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହୋଇଛି ୧ କୋଟି ୩୩ ଲକ୍ଷ ୭୭ ହଜାର ଟଙ୍କା। ୨୦୦୯-୧୦ରେ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି-BRGF ସ୍କିମରେ ଖର୍ଚ୍ଚ ହୋଇଥିଲା ୧୩ ଲକ୍ଷ ୫୩ ହଜାର ଟଙ୍କା । ସେହିପରି ୨୦୧୨-୧୩ରେ ତ୍ରୟୋଦଶ ଅର୍ଥ କମିଶନ ପାଣ୍ଠିରୁ ୯ ଲକ୍ଷ, ୨୦୧୪-୧୫ରେ ପଥର ପ୍ୟାକିଙ୍ଗ ଓ ପାହାଚ ମରାମତି ନାଁରେ ୪ ଲକ୍ଷ ୭୦ ହଜାର ଏବଂ ୨୦୧୯-୨୦ରେ OUDIF ଗ୍ରାଣ୍ଟରେ ୧ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଅଧିକ ପଢ଼ନ୍ତୁ: ‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତି : ଠିକାଦାର ଏବଂ ଆଇଟିଡିଏ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା

ଏଭଳି ବିଭିନ୍ନ ଯୋଜନାରେ ବିଭିନ୍ନ ଆର୍ଥିକ ବର୍ଷରେ ମୋଟ ୧ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ । ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଦଳ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ପୋଖରୀ ମଝିରେ ବଡ଼ ବଡ଼ ଗଛ ଓ ଘାସ ବୁଦା ଉଠିଛି । ଗାଧୋଇବା ତ ଦୂରର କଥା, ଲୋକେ ଶୌଚ କରିବାକୁ ମଧ୍ୟ ପଟ୍ଟନାୟକ ପୋଖରୀକୁ ଯାଉନାହାନ୍ତି।

ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ୱାରା ପାରଳାଖେମୁଣ୍ଡି ସହରରେ ନିର୍ମିତ ଆଉ ଏକ ପୋଖରୀ ହେଉଛି ଶଙ୍କୁରି ପାତ୍ର ପୋଖରୀ । ଏହି ବନ୍ଧର ପୁନରୁଦ୍ଧାର ପାଇଁ ୨୦୧୧-୧୨ରେ ବିଆରଜିଏଫ୍ ଫଣ୍ଡରୁ ଖର୍ଚ୍ଚ ହୋଇଥିଲା ୩୪ ଲକ୍ଷ ୪୫ ହଜାର ଟଙ୍କା। ଶଙ୍କୁରି ବନ୍ଧର ହାଲ୍ ଅତି ଦୟନୀୟ । ଅଳ୍ପ ପାଣି ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ନୁହେଁ। ଦଳ ଭର୍ତ୍ତି ପୁଣି ଚାରିପଟେ ଗଛଲତା ଉଠିଗଲାଣି ।

ପାରଳାଖେମୁଣ୍ଡି ସହରକୁ ଜଳବନ୍ଦୀରୁ ମୁକ୍ତ ରଖିବା ଏବଂ ଉପଯୁକ୍ତ ଜଳ ନିଷ୍କାସନ ପାଇଁ ତତ୍କାଳୀନ ଗଜପତି ମହାରାଜା ଖନନ କରିଥିଲେ ଶଙ୍କୁରି ଓ ପଟ୍ଟନାୟକ ପୋଖରୀ । ବର୍ଷାଦିନେ ପାହାଡର ବର୍ଷା ପାଣି ପ୍ରଥମେ ଶଙ୍କୁରି ପୋଖରୀରେ ପ୍ରବେଶ କରେ, ସେଠି ଭର୍ତ୍ତି ହୋଇଗଲେ ପାଣି ଯାଏ ପଟ୍ଟନାୟକ ପୋଖରୀକୁ । ସେଠି ଭର୍ତ୍ତି ହେଲେ କ୍ରମଶଃ ତଳେ ତଳେ ଥିବା ବନ୍ଧକୁ ଯାଏ। ଫଳରେ ସହରରେ ସେତେବେଳେ ଜଳବନ୍ଦୀ ଅବସ୍ଥା ଉପୁଜୁନଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ଠିକାଦାର, ପୌର ପରିଷଦର ଯନ୍ତ୍ରୀ ମିଳିମିଶି ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି।

ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଗତ ଦିନରେ ଉଭୟ ଶଙ୍କୁରି ଓ ପଟ୍ଟନାୟକ ପୋଖରୀରେ ଦେଢ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ହେଲେ କାମ କାହିଁକି ହୋଇନି, ସେନେଇ ଲୋକେ ପ୍ରଶ୍ନ ଉଠାଇବା ସହିତ ତଦନ୍ତ ଦାବି କରିଛନ୍ତି। ଏପରିକି କାଉନସିଲର ଅନେକଥର କାଉନସିଲ୍ ବୈଠକରେ ଖର୍ଚ୍ଚର ହିସାବ ମାଗିଥିଲେ ବ ତାଙ୍କୁ ଦିଆଯାଇନି।

ଗତ ୧୦ ବର୍ଷ ଭିତରେ ଭିନ୍ନ ଭିନ୍ନ ସ୍କିମରେ ଦେଢ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲେ ବି କିଛି କାମ ହୋଇନି । ଆଗାମୀ ଦିନରେ ପୁଣିଥରେ ସରକାରଙ୍କ ‘ମୋ ପୋଖରୀ’ ଯୋଜନାରେ ପୋଖରୀ ଦୁଇଟିର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ।

ପ୍ରଶ୍ନ ଉଠୁଛି, ପୂର୍ବରୁ କୋଟି କୋଟି ଟଙ୍କା ଆସି ଖର୍ଚ୍ଚ ହୋଇନଥିବା ବେଳେ ଏବେ ପୁଣିଥରେ କିଭଳି ଆସିବ ଟଙ୍କା ? ସବୁଥର ଭଳି ଏଥର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ନା ଠିକାଦାର ଓ ଯନ୍ତ୍ରୀଙ୍କ ପକେଟ୍ ଗରମ ହେବ ? ପୂର୍ବରୁ ଆସିଥିବା ଟଙ୍କା କୁଆଡେ ଗଲା ତାର କାହିଁକି ହେଉନି ତଦନ୍ତ ?