• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାମ୍ନାକୁ ଆସିଲା ଆଇଟିଡିଏ ବିଭାଗର ଗୁହାଳ ଘୋଟାଲା। ୨ ବର୍ଷ ହେଲା ସରୁନି ହିତାଧିକାରୀଙ୍କ ଗୁହାଳ ନିର୍ମାଣ । ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ, ଠକିଦେଲେ ଠିକାଦାର । କେବଳ ୧୦ରୁ ୧୨ଟି ସିମେଣ୍ଟ ଖୁଣ୍ଟ ହୋଇଛି। ନା ତଳେ ଚଟାଣ ଅଛି ନା ଉପରେ ଛାତ। ଚାରିଆଡେ ଖୋଲାମେଲା। ମାଲକାନଗିରି ଜିଲ୍ଲାରୁ ଆସିଛି ‘ମୋ ଗୁହାଳ’ ଯୋଜନାରେ ଦୁର୍ନୀତିର ଖବର। ଏହା ହେଉଛି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ITDAର ଗୁହାଳ। ୨୦୨୧-୨୨ ଆର୍ଥିକ ବର୍ଷରେ ମାଲକାନଗିରି ବ୍ଲକର ୬ଟି ପଞ୍ଚାୟତର ୮୪ ଜଣଙ୍କ ନାଁରେ ଆସିଥିଲା ଗୁହାଳ କାର୍ଯ୍ୟାଦେଶ । ତା ଭିତରେ ସାମିଲ ଥିଲେ ଗୌଡ଼ଗୁଡ଼ା ପଞ୍ଚାୟତ ଗମ୍ଫାକୁଣ୍ଡା ଗାଁର ୧୦ ଜଣ ହିତାଧିକାରୀ । ଆଇଟିଡିଏ ପକ୍ଷରୁ ସ୍ଥାନୀୟ ଜଣେ ଠିକାଦାରଙ୍କୁ କାମ ଦିଆଯାଇଥିଲା। ୨୦୨୧ ମସିହାରେ କାମ ଆରମ୍ଭ ହେଲା, କିନ୍ତୁ ଆଜିଯାଏଁ ସରୁନି । ଫଳରେ

ଗୁହାଳ ନାଁରେ ଆସିଥିବା ୧ ଲକ୍ଷ ୧୩ ହଜାର ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । କେବଳ ଗୌଡ଼ଗୁଡ଼ା ନୁହେଁ, ପାଣ୍ଡ୍ରିପାଣି ପଞ୍ଚାୟତର ଅନେକ ଲୋକଙ୍କ ନାଁରେ ଆସିଥିଲା ଗୁହାଳ ଘର । ହେଲେ ସବୁଗୁଡିକ ଅସମ୍ପୂର୍ଣ୍ଣ ହୋଇରହିଛି। ହିତାଧିକାରୀଙ୍କ କହିବା କଥା, ୨୦୨୧ ମସିହାରେ ଆଇଟିଡିଏର କିଛି କର୍ମଚାରୀ ଆସି ଗୁହାଳ ଘର ଆସିଥିବା କହିଥିଲେ। ଏହାପରେ ହିତାଧିକାରୀମାନେ ନିଜର ପୁରୁଣା ଗୁହାଳ ଭାଙ୍ଗି ସେହି ଜାଗାରେ ନୂଆ ଗୁହାଳ ପାଇଁ ଚିହ୍ନ ଦେଇଥିଲେ । ତେବେ ପରେ ନା ଠିକାଦାର ନା ଆଇଟିଡିଏ କର୍ମଚାରୀ କାହାରି ଦେଖା ମିଳୁନି।

ଗୋ-ସମ୍ପଦର ବିକାଶ ପାଇଁ ସରକାରଙ୍କ ‘ମୋ ଗୁହାଳ’ ଯୋଜନା। ଏହି ଯୋଜନାରେ ଗୁହାଳ ବାବଦକୁ ଜଣେ ଜଣେ ହିତାଧିକାରୀଙ୍କୁ ମିଳିଥାଏ ୧ ଲକ୍ଷ ୧୩ ହଜାର ଟଙ୍କା । ଲେବର ପେମେଣ୍ଟ ପାଇଁ ୧୫ ହଜାର ଓ ମ୍ୟାଟେରିଆଲ ବାବଦକୁ ୯୮ ହଜାର ଟଙ୍କା ଆସିଥାଏ । କିନ୍ତୁ ଏଠି ହିତାଧିକାରୀଙ୍କୁ ନା ମ୍ୟାଟେରିଆଲ ଦିଆଯାଇଛି ନା ଗୁହାଳ ବନେଇ ଦିଆଯାଇଛି।

ଆଦିବାସୀଙ୍କ ଉନ୍ନତି ପାଇଁ ରହିଛି ଆଇଟିଡିଏ ସଂସ୍ଥା। କିନ୍ତୁ ନିରୀହ ଆଦିବାସୀଙ୍କ ନିରକ୍ଷରତାର ସୁଯୋଗ ନେଇ ଠିକାଦାର ଓ ଆଇଟିଡିଏ କର୍ମଚାରୀ ମିଲିଭଗତରେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେହି ଚିରାଚରିତ ଉତ୍ତର, ଦୁର୍ନୀତିରେ ଯେଉମାନେ ସମ୍ପୃକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।